Stock Market: ଜିଡିପି ଅଭିବୃଦ୍ଧି ତଥ୍ୟ ଆସିବାର ଗୋଟିଏ ଦିନ ପରେ ଶୁକ୍ରବାର ଷ୍ଟକ ବଜାର ଏକ ନୂତନ ସର୍ବକାଳୀନ ସର୍ବୋଚ୍ଚ ରେକର୍ଡ ସ୍ଥାପନ କରିଛି। ବିଏସଇ ସେନ୍ସେକ୍ସ ୧୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୭୩,୭୪୫.୩୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟିରେ ମଧ୍ୟ ୩୫୦ ପଏଣ୍ଟରୁ ଅଧିକ ବୃଦ୍ଧି ଘଟି ୨୨,୩୩୮.୭୫ ପଏଣ୍ଟରେ ବନ୍ଦ ହୋଇଛି। ସେନସେକ୍ସରେ ବୃଦ୍ଧି ଯୋଗୁଁ ବିଏସଇରେ ସମସ୍ତ ତାଲିକାଭୁକ୍ତ କମ୍ପାନୀର ମାର୍କେଟ କ୍ୟାପ ୪.୧୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୯୨.୨୨ ଲକ୍ଷ କୋଟି ଟଙ୍କା ପାଖାପାଖି ହୋଇଛି ।
ସରକାର ଗୁରୁବାର ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ଜିଡିପି ଅଭିବୃଦ୍ଧି ତଥ୍ୟ ପ୍ରକାଶ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ହାର ଆକଳନ ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ୭୨,୫୦୦ରେ ବନ୍ଦ ହୋଇଥିବା ସେନ୍ସେକ୍ସ ଶୁକ୍ରବାର ୭୨,୬୦୬.୩୧ରେ ଖୋଲିଥିଲା। ଗୁରୁବାର ସନ୍ଧ୍ୟାରେ ସରକାର ଉପସ୍ଥାପନ କରିଥିବା ଜିଡିପି ତଥ୍ୟ ଅନୁଯାୟୀ ଅକ୍ଟୋବର-ଡିସେମ୍ବର ତ୍ରୟମାସର ଜିଡିପି ଅଭିବୃଦ୍ଧି ୮.୪ ପ୍ରତିଶତ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୭.୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।
୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧିରେ ଜିଡିପି ଅଭିବୃଦ୍ଧି ହାର ୪.୩ ପ୍ରତିଶତ ଥିବାରୁ ଅକ୍ଟୋବର-ଡିସେମ୍ବରରେ ଦେଶର ଜିଡିପି ଅଭିବୃଦ୍ଧି ଦ୍ୱିଗୁଣିତ ହୋଇଛି। ସେହିଭଳି ୭.୬ ପ୍ରତିଶତ ଅଭିବୃଦ୍ଧି ହାର ସାରା ବିଶ୍ୱ ତୁଳନାରେ ବହୁତ ଅଧିକ ଥିବାରୁ ଭାରତୀୟ ଷ୍ଟକ ବଜାର ଉପରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇଛି ।
ଏହି ୪ କାରଣ ରେକର୍ଡର ପଛର କାରକ
ଦେଶରେ ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଷ୍ଟକ ବଜାରରେ ଜୋରଦାର ଉଛାଳ ଦେଖିବାକୁ ମିଳୁଛି । ତେବେ କେଉଁ ୪ଟି କାରଣ ରୁ ଏହି ବୃଦ୍ଧି ଷ୍ଟକ ବଜାରରେ ଦେଖିବାକୁ ମିଳିଛି,ଆସନ୍ତୁ ଜାଣିବା।
• ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ଆଶାଠାରୁ ଭଲ ରହିଛି। ଗତ ୬ ଟି ତ୍ରୈମାସରେ ଏହା ଅର୍ଥନୈତିକ ଅଭିବୃଦ୍ଧିର ସର୍ବୋଚ୍ଚ ହାର । ଦେଶରେ ନିର୍ମାଣ ଓ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରାଯାଇଛି।
• ଭାରତୀୟ ଷ୍ଟକ ବଜାରରେ ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ବୈଶ୍ୱିକ ସଙ୍କେତରେ ଉନ୍ନତି । ଗୁରୁବାର ରାତିରେ ଗ୍ରୀନ ଜୋନରେ ଆମେରିକାର ୱାଲ୍ ଷ୍ଟ୍ରିଟ୍ ଷ୍ଟକ ବଜାର ବନ୍ଦ ରହିଥିଲା। ଉଭୟ ଏସ୍ ଆଣ୍ଡପି ୫୦୦ ଏବଂ ନାସଦାକ୍ ରେକର୍ଡ ସ୍ତର ଛୁଇଁଛି। ଏହାବ୍ୟତୀତ ଚୀନର ସାଂଘାଇ ବଜାର ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସରେ ମଧ୍ୟ ବୃଦ୍ଧି ଘଟିଛି ।
• ଆମେରିକାରେ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହା ନିୟନ୍ତ୍ରଣକୁ ଆସିବାର ସଙ୍କେତ ମିଳିଛି। ଏହା ଜୁନ୍ ବୈଠକରେ ଆମେରିକୀୟ ଫେଡେରାଲ ରିଜର୍ଭ ନୀତି ସୁଧ ହାର ହ୍ରାସ କରିବାର ଆଶାକୁ ବଢ଼ାଇଦେଇଛି।
• ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ ଆଇଆଇ) ଭାରତରେ ବିପୁଳ ପରିମାଣରେ କ୍ରୟ ଜାରି ରଖିଛନ୍ତି। ଏହାର କ୍ରମାଗତ ଫାଇଦା ଷ୍ଟକ ବଜାରକୁ ମିଳୁଛି। ଗତ କାରବାର ଅଧିବେଶନରେ ଏଫଆଇଆଇ ମାନେ ୩୫୬୮ କୋଟି ଟଙ୍କାର ସେୟାର କିଣିଥିବା ବେଳେ ବିକ୍ରି ମାତ୍ର ୨୩୦ କୋଟି ଟଙ୍କା ହୋଇଛି । ବଜାର ପଜିଟିଭ୍ ଜୋନରେ ରହିବାର ଏହା ଏକ ବଡ଼ ସଙ୍କେତ।
ଏଥର ଶନିବାର ବି ଷ୍ଟକ ମାର୍କେଟରେ କାରବାର ହେବ । ବିପର୍ଯ୍ୟୟ ପୁନରୁଦ୍ଧାର ସିଷ୍ଟମର କାର୍ଯ୍ୟ ସମୀକ୍ଷା ପାଇଁ ୨ଟି ଅଧିବେଶନରେ ଟ୍ରେଡିଂ ହେବ