Home >>Zee Odisha

petrol price:ଲୋହିତ ସାଗର ସଂକଟ ପାଇଁ ପେଟ୍ରୋଲ ଦର ଲିଟର ୧୩୫ ଟଙ୍କା ଛୁଇଁବ କି ?

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଭାରତରେ ତୈଳଦର ସ୍ଥିର ରହିଥିଲେ ମଧ୍ଯ ଏବେବି ଏହା ଚିନ୍ତାର ବିଷୟ ହୋଇ ରହିଛି । ଏମିତିରେ ଯଦି ପେଟ୍ରୋଲ ଦର ବଢେ ତେବେ ଦେଶର ଅର୍ଥନୀତି ଉପରେ ଏହାର କେଉଁଭଳି ପ୍ରଭାବ ପଡିବ ?

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 08, 2024, 09:35 PM IST
Share

petrol price:

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଭାରତରେ ତୈଳଦର ସ୍ଥିର ରହିଥିଲେ ମଧ୍ଯ ଏବେବି ଏହା ଚିନ୍ତାର ବିଷୟ ହୋଇ ରହିଛି । ଏମିତିରେ ଯଦି ପେଟ୍ରୋଲ ଦର ବଢେ ତେବେ ଦେଶର ଅର୍ଥନୀତି ଉପରେ ଏହାର କେଉଁଭଳି ପ୍ରଭାବ ପଡିବ ? ଏଭଳି ପ୍ରଶ୍ନ ଉଠିବା ପଛରେ ଲୋହିତ ସାଗର ସଂକଟ ରହିଛି । ଲୋହିତ ସାଗରରେ ଆମେରିକା,ଇରାନ ଓ ହୁତି ବିଦ୍ରୋହୀ ଯେଉଁଭଳି ଭାବେ ମୁହାଁମୁହିଁ ହେଉଛନ୍ତି ତାହା ବିଶ୍ୱ ବାଣିଜ୍ୟ ପାଇଁ ଶୁଭ ସଂକେତ ନୁହେଁ । ଗୋଲ୍ଡମ୍ୟାନ୍ ସାକ୍ସର ତୈଳ ଅନୁସନ୍ଧାନ ବିଭାଗର ମୁଖ୍ୟ ଡନ୍ ଷ୍ଟ୍ରୁଭେନଙ୍କ ବିବୃତ୍ତି ଗୋଟିଏ ବଡ଼ ସଂକଟର ସଂକେତ ଦେଉଛି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଲୋହିତ ସାଗର ସଙ୍କଟ ଦୀର୍ଘ ସମୟ ଧରି ଚାଲିବ ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଦ୍ୱିଗୁଣିତ ହେବ। ଏହାର ଅର୍ଥ ହେଉଛି ବର୍ତ୍ତମାନର ସ୍ତରରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା 155 ରୁ 160 ଡଲାରରେ ପହଞ୍ଚିପାରେ। ତେବେ କଳ୍ପନା କରନ୍ତୁ, ଯଦି ଏହା ଘଟେ ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ’ଣ ହେବ?

ନିର୍ବାଚନ ବର୍ଷରେ ଏହି ପ୍ରଶ୍ନର ଉତ୍ତର ଦେବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଯଦି ଅଶୋଧିତ ତୈଳର ମୂଲ୍ୟ ଏହି ସ୍ତରରେ ପହଞ୍ଚେ ତେବେ ଦେଶରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଅତି କମରେ 135 ଟଙ୍କା ହୋଇପାରେ। ଏହା ଏକ ଆକଳନ । ଯାହା ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ ।  ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 77 ଡଲାରରୁ ଅଧିକ। ଲୋହିତ ସାଗର ସଙ୍କଟ ଏପର୍ଯ୍ୟନ୍ତ ଜାରି ରହିଛି । ଆମେରିକା, ବ୍ରିଟେନ ଏବଂ ଅନେକ ୟୁରୋପୀୟ ଦେଶ ହୁତି ବିଦ୍ରୋହୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କଲେଣି । ଇରାନ ହୁତି ଆତଙ୍କବାଦୀଙ୍କ ସମର୍ଥନରେ ଛିଡା ହୋଇଛି। ଏହି ପରିସ୍ଥିତି ଭାରତ ପାଇଁ ମଧ୍ୟ ଏକ ବଡ ମୁଣ୍ଡବ୍ୟଥାର କାରଣ ସାଜିଲାଣି ।

ଅଶୋଧିତ ତୈଳ ମୂଲ୍ୟ କାହିଁକି ଦୁଇଗୁଣ ବଢିପାରେ?

ଗୋଲ୍ଡମ୍ୟାନ୍ ସାକ୍ସର ଜଣେ ଅଧିକାରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ହୁତି ଆତଙ୍କବାଦୀମାନେ ହର୍ମୁଜ୍ ପ୍ରଣାଳୀ ପାଖରେ  ପହଞ୍ଚି ସାରିଲେଣି । ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ଟ୍ୟାଙ୍କର ଯାଇଥାଏ । ଯେଉଁ କାରଣରୁ ତୈଳ ପରିବହନରେ ବହୁତ କ୍ଷତି ହୋଇପାରେ ଏବଂ ଅଶୋଧିତ ତେଲର ମୂଲ୍ୟ ଦ୍ୱିଗୁଣିତ ହୋଇପାରେ । CNBC କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଲୋହିତ ସାଗର ହେଉଛି ଏକ ମୁଖ୍ୟ ତୈଳ ଜଳ ପରିବହନ  ମାର୍ଗ। ଏହି ଜଳପଥରେ ବାଧା ଉପୁଜିଥିବାରୁ ଅଶୋଧିତ ତୈଳର ମୂଲ୍ୟ ତିନିରୁ ଚାରି ଡଲାରକୁ ବୃଦ୍ଧି ପାଇପାରେ। ଯଦି ହର୍ମୁଜ୍ ପ୍ରଣାଳୀ ଏକ ମାସ ପର୍ଯ୍ୟନ୍ତ ବନ୍ଦ ରହେ ତେବେ ତୈଳ ମୂଲ୍ୟ 20 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଯଦି ଏଠାରେ ଅଧିକ ସମୟ ପର୍ଯ୍ୟନ୍ତ ଅବରୋଧ ଜାରି ରହେ ତେବେ ଅଶୋଧିତ ତେଲର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇପାରେ । ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା 77 ଡଲାରରୁ ଅଧିକ ରହିଛି। ଏହାର ଅର୍ଥ ହେଉଛି ଏହି ମୂଲ୍ୟ ବ୍ୟାରେଲ ପିଛା 155 ରୁ 160 ଡଲାରରେ ପହଞ୍ଚିପାରେ।

ତେବେ ଭାରତରେ ପେଟ୍ରୋଲର ମୂଲ୍ୟ କ’ଣ ବଢିବ ?

ଯଦି ଏହି ଅନୁମାନ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଭାରତ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରେ ଏବଂ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରନ୍ତି ।ବିଶେଷଜ୍ଞଙ୍କ ଅନୁସାରେ  ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା 155 ରୁ 160 ଡଲାର ମଧ୍ୟରେ ରହିଲେ ଭାରତରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଆନୁମାନିକ 135 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ଆନୁମାନିକ 120 ଟଙ୍କା ପର୍ଯ୍ୟନ୍ତ ବଢିପାରେ । ତେବେ ନିର୍ବାଚନୀ ବର୍ଷ ହୋଇଥିବାରୁ ଏଭଲି ସହଜରେ ଘଟିବ ନାହିଁ ବୋଲି ମଧ୍ଯ ଆଶା କରାଯାଉଛି ।

ନିର୍ବାଚନ ବର୍ଷରେ ଟଙ୍କାର ଅବସ୍ଥା?

ଯେତେବେଳେ ଦେଶରେ ନିର୍ବାଚନ ହେବାର ଥାଏ, ସେତେବେଳେ ଡଲାର ତୁଳନାରେ ଟଙ୍କା ହ୍ରାସ ପାଇଥାଏ। ଏହାର ପ୍ରଭାବ ଦେଶରେ ଅଶୋଧିତ ତୈଳର ଆମଦାନୀ ବିଲରେ ମଧ୍ୟ ଦୃଶ୍ୟମାନ ହୁଏ ।  ଦେଶ ଏହାର ଅଶୋଧିତ ତୈଳ ଆବଶ୍ୟକତାର 80 ପ୍ରତିଶତରୁ ଅଧିକ ଆମଦାନୀ କରିଥାଏ। ଯେଉଁଥିପାଇଁ ଆନ୍ତର୍ଜାତୀୟ ବଜାର ଉପରେ ଅନେକଙ୍କୁ ନିର୍ଭର କରିବାକୁ ପଡିବ । ଅଶୋଧିତ ତୈଳ ମୂଲ୍ୟ ଉପରେ ଜିଓ-ପଲିଟିକ୍ସ ବା ଭୂ-ରାଜନୀତିର ପ୍ରଭାବ ପଡିଥାଏ । ତେଣୁ ଏହାର ପ୍ରଭାବ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦୃଶ୍ୟମାନ ହେଉଛି। ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ପରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ 140 ଡଲାରରେ ପହଞ୍ଚିଥିଲା। ଏହା ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ଘଟିଥିଲା। ବର୍ତ୍ତମାନ ନୂଆ ସଂକଟ କାରଣରୁ ଏହା ୧୪୦ ଡଲାରରୁ ୨୦ ଡଲାର ବଢି ୧୬୦ ଡଲାରରେ ପହଂଚି ପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏହା ବହୁତ କଷ୍ଟକର ହେବ |

ଅନ୍ୟପକ୍ଷରେ ଆଉ କିଛି ବିଶ୍ଳେଷକଙ୍କ କହିବା ହେଉଛି ଯେ,ଅଶୋଧିତ ତୈଳର ମୂଲ୍ୟ 150 ଡଲାରରୁ ଅଧିକ ହେବା ସମ୍ଭବ ନୁହେଁ, କିନ୍ତୁ ଯଦି ସେମିତି ଘଟେ ତେବା ତାହା  ଭାରତ ଭଳି ଦେଶ ପାଇଁ ଖରାପ ହେବ । କାରଣ ଭାରତ ନିଜ ତୈଳ ଆବଶ୍ୟକତାର  80% ରୁ ଅଧିକ ଆମଦାନୀ ଦ୍ୱାରା ପୂରଣ କରେ। ଏଭଳି ପରିସ୍ଥିତିରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 150 ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 125 ରୁ 140 ଟଙ୍କା ହୋଇପାରେ। ତେବେ ଲୋହିତ ସାଗରରେ ଚାଲିଥିବା ପରିସ୍ଥିତିର ମୁକାବିଲା ପାଇଁ ପ୍ରୟାସ କରାଯାଉଛି। ଆଗାମୀ ଦିନରେ ଅଶୋଧିତ ତୈଳ ମୂଲ୍ୟ ଉପରେ ଏହି ସଂକଟର ଅଧିକ ପ୍ରଭାବ ପଡ଼ିବ ନାହିଁ ।

ଅଶୋଧିତ ତେଲର ବର୍ତ୍ତମାନ ମୂଲ୍ୟ କେତେ?

ବର୍ତ୍ତମାନ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି। ଉପସାଗରୀୟ ଦେଶଗୁଡିକରେ ଅଶୋଧିତ ତୈଳ  ବ୍ୟାରେଲ ପିଛା 77.85  ଡଲାର ରହିଛି । ଅନ୍ୟପକ୍ଷରେ, ଆମେରିକୀୟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 72.91 ଡଲାର ରହିଛି । ଏହା ଦେଖିବାକୁ ବାକି ରହିଲା ଯେ,ଲୋହିତ ସାଗର ସଙ୍କଟର ଫଳାଫଳ କ’ଣ ହେବ ଏବଂ ଅଶୋଧିତ ତୈଳ ମୂଲ୍ୟ କେତେ ବଢିବ ।

Read More
{}{}