କେନ୍ଦ୍ରପଡ଼ା: ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୩ ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବେଶ କରିପାରିବେ ନାହିଁ। ଏହି ସମୟ ଅବଧି ମଧ୍ୟରେ ଭିତରକନିକା ଭିତରେ ବୋଟ ଚଳାଚଳ କରିବ ନାହିଁ। କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।
କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା ପରେ ମାଆ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଉଚ୍ଚ ସ୍ଥାନରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ। ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାଏ ମାଆ କୁମ୍ଭୀର। କାରଣ ଗୋଧୀ ,ବିଲୁଆ ଆଦି କୁମ୍ଭୀର ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମାଆ କୁମ୍ଭୀର ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ନିଜେ କରିଥିବା ବସାକୁ ଜଗି ରହିଥାଏ। ଅଣ୍ଡାରୁ ଛୁଆ ବାହାରିବା ପରେ ମାଆ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିବା ସହ ନିଜେ ମଧ୍ୟ ସେହି ସ୍ଥାନ ଛାଡି ନଦୀକୁ ଚାଲିଯାଏ। ଅଣ୍ଡାଦାନ ପରେ ମାଆ କୁମ୍ଭୀର ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଥାଏ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ୩ ମାସ ଭିତରକନିକା ବନ୍ଦ ରହିଥାଏ।
କୁମ୍ଭୀର ହିଂସ୍ର ହୋଇଥିବାରୁ ନଦୀରେ କୁମ୍ଭୀର ଚଳ ପ୍ରଚଳ କରିବା ସମୟରେ ଆକ୍ରମଣ କରିବାର ସମ୍ଭାବନା ଅଧିକ ରହିଥାଏ। ନଦୀ କୂଳିଆ ଗ୍ରାମବାସୀ ସତର୍କ ହୋଇ ଚଳ ପ୍ରଚଳ କରିବା ସହ କୁମ୍ଭୀର ଦେଖିବା ମାତ୍ରେ ବନ ବିଭାଗକୁ ତୁରନ୍ତ ଖବର ଦେବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ନିବେଦନ କରିଛନ୍ତି। ୧୯୭୫ ମସିହାରେ ବଉଳା କୁମ୍ଭୀର ବିଲୁପ୍ତ ପ୍ରାୟ ପ୍ରାଣୀ ତାଲିକାରେ ଆସିବା ପରେ ଜାତିସଂଘ ତତ୍ତ୍ୱବଧାନରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଭିତରକନିକା ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଅର୍ଥାତ କୁମ୍ଭୀର ଚାଷ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଭିତରକନିକା ଜଙ୍ଗଲ ମଧ୍ୟରେ ଥିବା କାଳିଭଞ୍ଜଡିଆଁ ଜଙ୍ଗଲ ମଧ୍ୟରୁ ଏକ କୁମ୍ଭୀର ବସା ଠାବ କରାଯାଇ ସେଥି ମଧ୍ୟରୁ ଅଣ୍ଡା ସଂଗ୍ରହ କରାଯାଇ ଡାଙ୍ଗମାଳ ଠାରେ ନିର୍ମାଣ କରାଯାଇଥିବା କୃତ୍ରିମ ହ୍ୟାଚେରୀ ଠାରେ ଅଣ୍ଡା ରଖାଯାଇ ଛୁଆ ଫୁଟା ଯାଇଥିଲା। ସେବେଠାରୁ ଏହି କୁମ୍ଭୀର ଚାଷ ପ୍ରକଳ୍ପକୁ ସଫଳତା ମିଳିବା ସହ ବର୍ଷକୁ ବର୍ଷ ବଉଳା କୁମ୍ଭୀର ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।