Hindi News >>Home >>Odisha State

ନବଜାତ ଶିଶୁ ପୁତ୍ର ମୁହଁ ଦେଖିବା ପୂର୍ବରୁ ବାପାକୁ ଝାମ୍ପି ନେଲା କୁମ୍ଭୀର

ପୁଅ ଜନ୍ମହେବା ଖୁସିରେ ଯେଉଁ ଘର ଅଗଣା ଏବେ ଖୁସିରେ ଫାଟି ପଡିବା କଥା, ସେଠି ଏବେ ଲୁହର ଅଶ୍ରୁ ବର୍ଷା ହେଉଛି।

Advertisement
ନବଜାତ ଶିଶୁ ପୁତ୍ର ମୁହଁ ଦେଖିବା ପୂର୍ବରୁ ବାପାକୁ ଝାମ୍ପି ନେଲା କୁମ୍ଭୀର
Trilochan Das|Updated: May 09, 2022, 09:34 PM IST
Share

କେନ୍ଦ୍ରାପଡା: ଶିବ ପ୍ରସାଦଙ୍କ ତିନୋଟି ଝିଅ ଥିଲେ, ପୁଅ ଟିଏ ପାଇଁ ଚାହିଁ ବସିଥିଲେ। କେତେ ବ୍ରତ, ମାନସିକ କରିଥିଲେ, ପୁଳାପୁଳା ଆଶା ବାନ୍ଧିଥିଲେ ହେଲେ ବିଧିର ବିଧାନ ଥିଲା କିନ୍ତୁ ଅଲଗା। ପୁଅ ଜନ୍ମ ହେଲା ସତ ହେଲେ ପୁଅ ମୁହଁ ଦେଖିବା ଆଗରୁ କୁମ୍ଭୀର ମୁହଁରେ ଚାଲିଗଲା ବାପା ଶିବପ୍ରସାଦଙ୍କ ଜୀବନ। ପୁଅ ଜନ୍ମହେବା ଖୁସିରେ ଯେଉଁ ଘର ଅଗଣା ଏବେ ଖୁସିରେ ଫାଟି ପଡିବା କଥା, ସେଠି ଏବେ ଲୁହର ଅଶ୍ରୁ ବର୍ଷା ହେଉଛି। ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନଳପାହୀ ଗ୍ରାମକୁ ଶୋକରେ ବୁଡ଼ାଇ ଦେଇଛି। 

ନଳପାହୀ ଗ୍ରାମର ଶିବପ୍ରସାଦ ବେହେରା(୪୦)। ୩ ଝିଅ, ପତ୍ନୀ ସରସ୍ବତୀଙ୍କୁ ନେଇ ଅଭାବୀ ସଂସାର ହସଖୁସିରେ ଚଳୁଥିଲା। ହେଲେ ହଠାତ୍ ମାଡି ଆସିଲା ଦୁଃଖର କଳା ପାହାଡ। ଗତ ୪ ତାରିଖ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ ଶିବପ୍ରସାଦ। ଘରକୁ ଫେରିବାକୁ ବିଳମ୍ବ ହେବାରୁ ଗ୍ରାମବାସୀ ନଦୀ ନିକଟରେ ଖୋଜିବାରୁ ତାଙ୍କ ଗାମୁଛା ଓ ଚପଲ ଦେଖିବାକୁ ପାଇଥିଲେ। ନଦୀରେ ଏକ କୁମ୍ଭୀର ଭାସୁଥିବାରୁ ତାଙ୍କୁ କୁମ୍ଭୀର ଝାମ୍ପି ନେଇଥିବା ସନ୍ଦେହ କରି ବନବିଭାଗକୁ ଖବର ଦେବା ସହ ଡଙ୍ଗା ସାହାଯ୍ଯରେ ବନବିଭାଗ ଓ ଗ୍ରାମବାସୀ ରାତିସାରା ଖୋଜିଥିଲେ ମଧ୍ୟ ତାଙ୍କ ପତା ମିଳିନଥିଲା। ପୁଣି ଥରେ ୫ତାରିଖ ସକାଳୁ ଶିବପ୍ରସାଦଙ୍କୁ ଖୋଜା ଚାଲିଥିବା ବେଳେ ଏପଟେ ପତ୍ନୀ ସରସ୍ଵତୀ ଘରେ ପ୍ରସବ ବେଦନାରେ ଛଟପଟ ହେଉଥିଲେ। ସରସ୍ବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। 

ସେପଟେ ଶିବ ପ୍ରସାଦଙ୍କ କ୍ଷତାକ୍ତ ଶବ ଉଦ୍ଧାର କରାଯାଇଥିଲା। ତାଙ୍କ ୨ ହାତ କୁମ୍ଭୀର ଖାଇ ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା। ଠିକ୍ ୨ ଦିନ ପରେ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ନେଇଛି ସତ କିନ୍ତୁ ପୁଅ ଟିଏ ପାଇଁ ବ୍ରତ ଓ ମାନସିକ ରଖିଥିବା ବାପାଙ୍କ ଜୀବନ କୁମ୍ଭୀର ଆକ୍ରମଣରେ ଚାଲିଯାଇଛି। ଯେଉଁଠି ଖୁସିର ଲହରୀ ଖେଳିବା କଥା ସେଠି ଲୁହର ଲହରୀ ଖେଳୁଛି। ଏପରି ସ୍ଥଳରେ ଅଭାବୀ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ମୃତ ଶିବ ପ୍ରସାଦଙ୍କ ପତ୍ନୀ।

ଅପରପକ୍ଷରେ ଶନିବାର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସରସ୍ବତୀ। ପୁଅ ଜନ୍ମହେବା ଖୁସିରେ ସରସ୍ଵତୀ ଖୁସି ହେବେ କ'ଣ, ସ୍ଵାମୀଙ୍କୁ ଝୁରି ଆଖିରୁ ତାଙ୍କର ଅହରହ ଲୁହ ଗଡ଼ି ଚାଲିଛି। ପୁଅ ମୁହଁ ଦେଖିବା ଆଗରୁ ଶିବପ୍ରସାଦଙ୍କ ଜୀବନ କୁମ୍ଭୀର ମୁହଁରେ ଚାଲିଯିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ୫,୭, ୯ ବର୍ଷର ୩ କୁନି ଝିଅ ବାପାଙ୍କୁ ଖୋଜୁଛନ୍ତି। ପଚାରୁଛନ୍ତି ବାପା କେବେ ଆସିବେ? ଏହାର ଉତ୍ତର କିନ୍ତୁ କାହା ଠାରୁ ପାଉନାହାନ୍ତି କୁନି କୁନି ଝିଅ। 

କେବଳ ପରିବାର ନୁହେଁ ଶିବ ଜଣେ ଭଲ ମଣିଷ ହୋଇଥିବାରୁ ପଡୋଶୀ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ନଳପାହୀ ଗାଁ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ଶିବପ୍ରସାଦଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡିଛନ୍ତି। ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ଯ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ବନବିଭାଗ କହିଛି ଖବର ପାଇ ତଦନ୍ତ କରି ସାରିଛୁ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ  ସରକାରୀ ବିଧି ବ୍ୟବସ୍ଥା ଅନୁଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ। ଏଭଳି ହୃଦୟ ବିଦାରକ ଘଟଣା ବାରମ୍ବାର ଘଟୁଥିବା ବେଳେ କିପରି ଏହାର ପୁନରାବୃତ୍ତି ନ ହେବ ସେନେଇ ବନବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ନଦୀକୂଳିଆ ଗ୍ରାମବାସୀ।

Read More
{}{}