Alzheimer: ୧୮ ଜୁଲାଇରେ ରିଲିଜ୍ ହୋଇଥିବା ଫିଲ୍ମ 'ସୈୟାରା'ରେ ଅଭିନେତ୍ରୀ ଅନିତା ପଡ୍ଡା ଏବଂ ଅଭିନେତା ଆହାନ ପାଣ୍ଡେଙ୍କ ଚମତ୍କାର କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ଆକର୍ଷିତ କରୁଛି। ଏହି ଫିଲ୍ମରେ ଅଭିନେତ୍ରୀ ଆଲଜାଇମର ରୋଗୀ ଭାନି ବାତ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ କିପରି ଭାନିଙ୍କ ନିଜ ସ୍ମୃତି ଶକ୍ତି ଧୀରେ ଧୀରେ ହରାଇବା ଆରମ୍ଭ କରନ୍ତି। ଏହି ରୋଗ ବିଷୟରେ ସବୁଠି ଆଲୋଚନା ହେଉଛି, ତେବେ ଆପଣ ଜାଣନ୍ତି କି ଏହି ରୋଗ କ'ଣ? ଏହା କିପରି ହୁଏ? ଏବଂ ଏହା କାହିଁକି ହୁଏ?
ଆଲଜାଇମର କ’ଣ? What is Alzheimer
ଆଲଜାଇମର ଏକ ମସ୍ତିଷ୍କ ରୋଗ। ଯେଉଁଥିରେ ଜଣେ ବ୍ୟକ୍ତି ଧୀରେ ଧୀରେ ନିଜର ସ୍ମୃତିଶକ୍ତି ଏବଂ ଚିନ୍ତା କରିବାର କ୍ଷମତା ହରାଇଥାଏ। ଏହି ରୋଗ ସାଧାରଣତଃ ୬୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କଠାରେ ଦେଖାଯାଏ। କିନ୍ତୁ କିଛି କମ୍ ବୟସର ଲୋକ ମଧ୍ୟ ଏହି ରୋଗରେ ପୀଡିତ। ଏହା ଏକ ନ୍ୟୁରୋଡିଜେନେରେଟିଭ୍ ରୋଗ। ଯାହା ଆପଣଙ୍କ ମସ୍ତିଷ୍କକୁ ପ୍ରଭାବିତ କରେ। ଏହା ସମୟ ସହିତ ଆପଣଙ୍କ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତି ପହଞ୍ଚାଏ।
ଏହି ରୋଗରେ କ’ଣ ହୁଏ?
ଏହି (ଆଲଜାଇମର୍) ରୋଗରେ ପୀଡିତ ଲୋକଙ୍କ ମସ୍ତିଷ୍କ କୋଷଗୁଡ଼ିକ ଧୀରେ ଧୀରେ ମରିଯିବା ଆରମ୍ଭ କରେ ଏବଂ ଏହା ଯୋଗୁଁ ମସ୍ତିଷ୍କ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ। ଏଥିରେ ବ୍ୟକ୍ତିର ସାମ୍ପ୍ରତିକ ଘଟଣା କିମ୍ବା ଅତୀତର ଘଟଣାଗୁଡ଼ିକୁ ମନେ ରଖିବାର କ୍ଷମତା ପ୍ରଭାବିତ ହୁଏ। ଏହି ରୋଗର ରୋଗୀଙ୍କୁ କିଛି ନୂଆ କରିବା, ବୁଝିବା ଓ ଦୈନନ୍ଦିନ କାର୍ଯ୍ୟ କରିବାରେ ଅସୁବିଧା ହୁଏ। ଏହି ଲକ୍ଷଣଗୁଡ଼ିକ ସମୟ ସହିତ ଏତେ ବୃଦ୍ଧି ପାଏ ଯେ ଲୋକମାନେ କାମ କରିପାରନ୍ତି ନାହିଁ। ଯାହା ଫଳରେ ସେମାନେ ଅନ୍ୟମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଆନ୍ତି।
ଏହି ରୋଗ କାହିଁକି ହୁଏ?
ବିଶେଷଜ୍ଞଙ୍କ ମତରେ ମସ୍ତିଷ୍କରେ ଦୁଇ ପ୍ରକାରର ପ୍ରୋଟିନ୍ ଆମିଲଏଡ୍ ଏବଂ ଟାଉ ଜମା ହେବା ଯୋଗୁଁ ଏହି ରୋଗ ହୋଇପାରେ। ଆମିଲଏଡ୍ ପ୍ରୋଟିନ୍ ମସ୍ତିଷ୍କ କୋଷ ସହିତ ଲାଗି ରହିଥାଏ ଓ ଟାଉ ପ୍ରୋଟିନ୍ ଫସି ଯାଇ ଟଙ୍ଗଲସ୍ ହୋଇଯାଏ। ଯାହା ମସ୍ତିଷ୍କ କୋଷ ମଧ୍ୟରେ ଯୋଗାଯୋଗ ବନ୍ଦ କରିଦିଏ ଏବଂ ଧୀରେ ଧୀରେ କୋଷଗୁଡ଼ିକ ମରିଯିବା ଆରମ୍ଭ କରେ।
କାହାକୁ ଆଲଜାଇମର ରୋଗ ହୁଏ?
ଏହି ରୋଗ ସାଧାରଣତଃ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ମସ୍ତିଷ୍କ ଆଘାତ ପାଇଥିବା ବ୍ୟକ୍ତି, ଧୂମପାନକାରୀ, ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ସ୍ଥୂଳତାରେ ପୀଡିତ ବ୍ୟକ୍ତିମାନଙ୍କଠାରେ ହେବାର ସମ୍ଭାବନା ଅଧିକ ଥାଏ। ଆଲଜାଇମର ରୋଗ ଜେନେଟିକ୍ ମଧ୍ୟ ହୋଇପାରେ। ଯଦି ପିତାମାତା କିମ୍ବା ଭାଇଭଉଣୀଙ୍କର ଆଲଜାଇମର ଅଛି। ତେବେ ଏହି ରୋଗର ଆଶଙ୍କା ମଧ୍ୟ ୧୦% ରୁ ୩୦% ବୃଦ୍ଧି ପାଏ।
Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ। ଜୀ ଓଡ଼ିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ।