Ollywood Superstar Uttam Mohanty: ଭୁବନେଶ୍ୱର: ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଡାକ୍ତରଖାନାରେ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରିବା ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଓଲିଉଡ଼ର ସୁପରଷ୍ଟାର ଉତ୍ତମ ମହାନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଗତ ୬ ତାରିଖରୁ ଗୁଡଗାଓଁର ମେଦାନ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଫେବୃଆରୀ ୨୭ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
କୁହାଯାଏ କି ଉଚ୍ଚ ଶିକ୍ଷିତ ହେବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ଉତ୍ତମ ମହାନ୍ତି ଆରମ୍ଭରୁ ଅଭିନୟକୁ ଆସିବାକୁ ଚାହୁଁନଥିଲେ। ଆରମ୍ଭରୁ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ଲକ୍ଷରେ ନିଜର ଶିକ୍ଷାକୁ ବଢାଇଥିଲେ। ସେଇଥିପାଇଁ ସେ ଓଡ଼ିଶା ଛାଡ଼ି ଲୁଧିଆନା ମଧ୍ୟ ଚାଲିଯାଇଥିଲେ। ଦୁର୍ଘଟଣା ବସତଃ ୧୯୭୬ ମସିହାରେ ଆସିଥିବା ସିନେମା 'ଅଭିମାନ'ରେ ସାଧୁ ମେହେରଙ୍କ ଅନୁରୋଧ କ୍ରମେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଦୁର୍ଘଟଣାବସତଃ ଯଦିଓ ଅଭିନୟକୁ ଆସିଥିଲେ କିନ୍ତୁ ସେ ଯେ ଓଲିଉଡ଼ ଜଗତର ଏକ ଲମ୍ବା ରାସ୍ତାର ପଥିକ ହେବେ ତାହା କାହାକୁ ଜଣା ନଥିଲା। ଅଭିମାନରେ ସୁଯୋଗ ମିଳିବା ପରେ ସେ ପ୍ରାୟ ୧୩୦ରୁ ଅଧିକ ସିନେମାରେ କାର୍ଯ୍ୟ କରିଛନ୍ତି। କେବଳ କାର୍ଯ୍ୟ କରିନାହାନ୍ତି ବରଂ ଶତାଧିକ ସିନେମା ହିଟ ମଧ୍ୟ ସାବ୍ୟସ୍ତ ହୋଇଛି। ପ୍ରଥମ ସିନେମା ଅଭିମାନ ସେହି ସମୟରେ ସୁପର ହିଟ ହୋଇଥିବା ନେଇ ମଧ୍ୟ କୁହାଯାଏ।
ଓଲିଉଡ଼ ଜଗତର ପାଦ ଥାପିବା ପରେ ସେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେଇଆସିଥିଲେ। କୁହାଯାଏ ସେ ଓଡ଼ିଆ ଚଳଚିତ୍ର ଜଗତକୁ ଏକ ନୂତନ ଦିଶା ଦେବାରେ ସଫଳ ହୋଇଥିଲେ। ସୁନ୍ଦର ଚେହେରା, ନିଖୁଣ ଅଭିନୟ, ଦମଦାର ଡ୍ୟାନ୍ସ ଓ ଅକ୍ସନରେ ଉତ୍ତମ ମହାନ୍ତିଙ୍କର ଏକ ନିଆରାପଣ ବାରି ହୋଇପଡୁଥିଲା। ସମସାମୟିକ କଳାକାରଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟତା ସାଉଣ୍ଟିବାରେ ଉତ୍ତମ ମହାନ୍ତି ସର୍ବାଗ୍ରେ ରହିଥିଲେ। ନିଜର ନିଆରା ଅଭିନୟର ଯାଦୁ ବଳରେ ଦର୍ଶକଙ୍କୁ ବାନ୍ଧିରଖିବାରେ ସେ ସକ୍ଷମ ହୋଇଥିଲେ। ଫଳରେ ସେ ୪ ଦଶନ୍ଧିରୁ ଅଧିକ ସମୟ ଓଲିଉଡରେ ରାଜ କରିଥିଲେ।
ଅଭିମାନରୁ ଅଭିନୟ ଜଗତରେ ପାଦ ଥାପିଥିବା ଉତ୍ତମଙ୍କୁ ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀରେ ମଧ୍ୟ ଦେଖିବାକୁ ମିଳେ। ୧୯୭୯ରେ ଚିହ୍ନା-ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦ରେ ରାମାୟଣ, ରାମ ବଳରାମ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ପୁଣି ୧୯୮୪ରେ ଦଣ୍ଡାବାଳୁଙ୍ଗା ତାଙ୍କୁ ଏକ ଭିନ୍ନ ପରିଚୟ ଦିଏ। କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଚକା ଡୋଳା କରୁଛି ଲୀଳା, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ଆମ ଘର ଆମ ସଂସାର, ବିଧିର ବିଧାନ, ଅକୁହା କଥା, ବସ୍ତ୍ର ହରଣ, ମା, ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ, ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର, ସହର ଜଳୁଛି, ରୁପା ଗାଁର ସୁନା କନିଆ, ମା ପରି କିଏ ହେବ, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ସେଇ ଝିଅଟି, ଧର୍ମ ସହିଲେ ହେଲା, ମୋ କୋଳ ତୋ ଝୁଲଣା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ ଆଦି ସିନେମାରେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି।
ସିନେଜଗତରେ ସେ ଥିଲେ ବେତାଜ ବାଦଶାହ। ବର୍ତ୍ତମାନ ସମୟରେ ବାଦ-ବିବାଦ, ବିରୋଧର ପୁଳା ପୁଳା ଖବର ସାମ୍ନାକୁ ଆସୁଥିବା ବେଳେ ଉତ୍ତମ ଥିଲେ କିନ୍ତୁ ବେଶ ନିଆରା। ଉତ୍ତମ ଥିଲେ ଅଜାତଶତୃ। ସେଥିପାଇଁ ବୋଧ ହୁଏ ସେ ସିନେପ୍ରେମୀଙ୍କର ପ୍ରଥମ ନାୟକ ହୋଇପାରିଥିଲେ। ଉତ୍ତମ ମହାନ୍ତିଙ୍କ ରୂପରେ ଓଲିଉଡ ପାଇଥିଲା ପ୍ରଥମ ସୁପରଷ୍ଟାର। ପୁଳା ପୁଳା ସିନେମା ଜରିଆରେ ଯେତିକି ଭଲପାଇବା ପାଇଥିଲେ ସେତିକି ପୁରସ୍କାର ମଧ୍ୟ ହାସଲ କରିଥିଲେ। ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବ ପୁରସ୍କାର (୧୯୯୯), ଶ୍ରେଷ୍ଠ ଅଭିନେତା ଭାବେ ୩ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ଉତ୍ତମ ମହାନ୍ତି । ସେ ୧୯୯୧ ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।ସେହିପରି ୧୯୮୨-୮୩-୮୪ ରେ ରିଲିଜ ହୋଇଥିବା ଫିଲ୍ମ (‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’) ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୨୦୦୬ ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ ୨୦୦୮ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି ।