Home >>Kendrapara

୧୧ ମେ'ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମେ ମାସ ୧୧ ତାରିଖ ଶନିବାର ଦିନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । କେନ୍ଦ୍ରାପଡ଼ା କୋର୍ଟ ସମେତ ଆଳି, ରାଜନଗର ଓ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ହେବକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିନାମୂଲ୍ୟରେ ଲୋକଙ୍କୁ ଆଇନସେବା ଯୋଗାଇ ଦିଆଯିବ ।

Advertisement
Kendrapara court
Kendrapara court
Zee Odisha Desk|Updated: May 01, 2024, 07:38 PM IST
Share

କେନ୍ଦ୍ରାପଡ଼ା: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ। ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମେ ମାସ ୧୧ ତାରିଖ ଶନିବାର ଦିନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । କେନ୍ଦ୍ରାପଡ଼ା କୋର୍ଟ ସମେତ ଆଳି, ରାଜନଗର ଓ ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ହେବକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିନାମୂଲ୍ୟରେ ଲୋକଙ୍କୁ ଆଇନସେବା ଯୋଗାଇ ଦିଆଯିବ । ଦିନ ୧୦ ଘଟିକାରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହେବ ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ ମାମଲା, ଚେକ୍ ବାଉନ୍‌ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୁର୍ଘଟଣା, ଶ୍ରମବିବାଦ ଜନିତ ମାମଲା, ବିଦ୍ୟୁତ୍‌, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ୍ ଦେଇ), ବୈବାହିକ ବିବାଦ (ବିବାହ ବିଚ୍ଛେଦ ବ୍ୟତୀତ), ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବନ୍ଧୀୟ ଅବସରକାଳୀନ ପ୍ରାପ୍ୟ ମାମଲା, ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ ମାମଲା, ରାଜ୍ୟ/ଜିଲ୍ଲା/ତାଲୁକ ଅଧିକାରୀଙ୍କ ନିକଟରେ ଥିବା ରାଜସ୍ୱ ଓ ଅନ୍ୟାନ୍ୟ ମାମଲା, ଖାଉଟି ବିବାଦ, ଅନ୍ୟାନ୍ୟ ଦେୱାନୀ ମାଲା (ଭଡ଼ା, ସହଜ ଅଧିକାର, ନିଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ସୁଟ୍‌, ନିର୍ଦ୍ଦେଶକ ସୁଟ୍‌) ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାଗୁଡ଼ିକର ଫଇସଲା ହେବ । ମାନ୍ୟବର ଜିଲ୍ଲା ଦୌରାଜଜ୍ ଶ୍ରୀଯୁକ୍ତ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋକଦ୍ଦମା ଏବଂ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଦେୟ ଦେବାକୁ ପଡ଼େ ନାହିଁ । ସହଜ ସରଳଭାବେ ବିବାଦ ସମାଧାନ କରିବାକୁ ଏହା ଏକ ପ୍ରକୃଷ୍ଟ କ୍ଷେତ୍ର ।  ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଂଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଂଜୀକରଣ କରାଇ ଏହାର ସୁବିଧା ନେବାକୁ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ।

Read More
{}{}