Surat Building Collapse: ଲଗାଣ ବର୍ଷା ଯୋଗୁ ଶନିବାର ଗୁଜରାଟର ସୁରଟର ସଚିନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠ ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ କୋଠାତଳେ ଫଶି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୁରଟ ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ରାତିସାରା ସର୍ଚ୍ଚ ଅପରେସନ ଜାରି ରହିଥିଲା। ଅପରେସନ୍ ସମୟରେ ଜଣେ ମହିଳାଙ୍କ ସ୍ୱର ଶୁଣାଗଲା, ତେଣୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ସାଙ୍ଗେସଙ୍ଗେ ପଠାଯାଇ ଭିତରୁ ମହିଳାଙ୍କୁ ବାହାରକୁ ଆଣିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ୭ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ନିଖୋଜ ଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ଆସିନାହିଁ।
ସୂଚନା ଅନୁସାରେ ୩୦ଟି ଫ୍ଲାଟ୍ ଥିବା ଏହି ବିଲ୍ଡିଂରେ ଅଧିକାଂଶ ପରିବାର ଭଡାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। କିନ୍ତୁ ଆନୁଷ୍ଠାନିକ ଭାବରେ ଏହି କୋଠା ତଳେ କେତେ ପରିବାର ଫସି ରହିଛନ୍ତି ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ।