Hindenburg vs Adani Group: ଆମେରିକୀୟ ଅନୁସନ୍ଧାନ ଏବଂ ନିବେଶ କମ୍ପାନୀ ହିଣ୍ଡନବର୍ଗ ପୁଣିଥରେ ଆଦାନୀ ଗ୍ରୁପ୍ ସହ ଜଡିତ ଏକ ନୂତନ ଦାବି କରିଛି। ଏଥର ଆମେରିକାର ହିଣ୍ଡନବର୍ଗ ରିସର୍ଚ୍ଚ ମାର୍କେଟ ରେଗୁଲେଟର SEBI ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଓ ତାଙ୍କ ସ୍ୱାମୀଙ୍କୁ ଆଦାନୀଙ୍କ ସହ ଜଡିତ ବିଦେଶୀ ପାଣ୍ଠିରେ ସେୟାର ନେଇଥିବା ଅଭିଯୋଗ କରିଛି। ତେବେ SEBI ଅଧ୍ୟକ୍ଷ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଏସବୁ ଭିତ୍ତିହୀନ ଓ ତାଙ୍କୁ ବଦନାମ କରିବାର ପ୍ରୟାସ। ଏହା ସମେତ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଦାନୀ ଗ୍ରୁପ୍ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏହି ବୟାନରେ ଆଦାନୀ ଗ୍ରୁପ୍ ସ୍ପଷ୍ଟ କରିଛି ଯେ SEBI ମୁଖ୍ୟଙ୍କ ସହ ସେମାନଙ୍କର ଗ୍ରୁପର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। ଭିତ୍ତିହୀନ ଅଭିଯୋଗ ହିଣ୍ଡନବର୍ଗ ଦ୍ୱାରା କରାଯାଉଛି।
ଶନିବାର ଦିନ ବିଳମ୍ବିତ ରାତିରେ ପ୍ରକାଶିତ ନୂତନ ରିପୋର୍ଟରେ ହିଣ୍ଡନନବର୍ଗ କହିଛି ଯେ SEBI ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଓ ତାଙ୍କ ସ୍ୱାମୀ ଧାବଲ ବୁଚଙ୍କ ବିଦେଶୀ ପାଣ୍ଠିରେ ଅଂଶଧନ ଅଛି ଯାହା ଆଦାନୀ ଗ୍ରୁପରେ ଅର୍ଥର ଅପବ୍ୟବହାର ପାଇଁ ବ୍ୟବହୃତ ହୋଇଥିଲା। ଏହି ସମୟରେ ଆଦାନୀ ଗ୍ରୁପ୍ ଓ SEBI କୁ ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି। ଦେଶର ବରିଷ୍ଠ ଅଧିକାରୀଙ୍କ ଉପରେ କଥିତ ଅଭିଯୋଗକୁ ଜାଣିବା ଓ ଏହି ଘୋଟାଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଜେପିସି ଗଠନ କରିବାକୁ ବିରୋଧୀ ଦଳ ଦାବି କରିଛି।
ହିଣ୍ଡନବର୍ଗର ରିପୋର୍ଟରେ ଜବାବ ଦେଇ ଆଦାନୀ ଗ୍ରୁପ୍ କହିଛନ୍ତି ଯେ ରିପୋର୍ଟରେ ଦର୍ଶାଯାଇଥିବା ଲୋକ କିମ୍ବା ମାମଲା ସହିତ ଆଦାନୀ ଗ୍ରୁପ୍ର କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ। ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଆଦାନୀ ଗ୍ରୁପ୍ ଏହାର କମ୍ପାନୀ ବିରୁଦ୍ଧରେ ଦିଆଯାଇଥିବା ଅଭିଯୋଗକୁ ସେ ପ୍ରତ୍ୟାଖ୍ୟାନ କରିଛି ଏବଂ ଏହାର ବିଦେଶୀ ହୋଲ୍ଡିଂର ଗଠନ ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି ଦୋହରାଇଛି। ହିଣ୍ଡନବର୍ଗ ରିପୋର୍ଟରେ, ଆଦାନୀ ଗ୍ରୁପ୍ ବିଷୟରେ କୁହାଯାଇଛି ଯେ ଏହା କମ୍ପାନୀର ଜାଲ ବୁଣି ପାଣ୍ଠିକୁ ଏପଟ ସେପଟ କରି ନିବେଶ କରିଥିଲା।
SEBI ମୁଖ୍ୟ ତଥା ତାଙ୍କ ସ୍ୱାମୀ ମିଳିତ ଭାବେ ଏକ ବୟାନ ଜାରି କରି ହିଣ୍ଡନବର୍ଗର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରିପୋର୍ଟରେ ଦିଆଯାଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଏଗୁଡ଼ିକରେ କୌଣସି ସତ୍ୟତା ନାହିଁ। ଆମର ଜୀବନ ଓ ଆର୍ଥିକ ପରିସ୍ଥିତି ଏକ ଖୋଲା ବହି ପରି। ବର୍ଷସାରା SEBI କୁ ସମସ୍ତ ଆବଶ୍ୟକୀୟ ସୂଚନା ଦିଆଯାଇଛି। କୌଣସି ଆର୍ଥିକ ଦଲିଲ ପ୍ରକାଶ କରିବାରେ ଆମର ଦ୍ୱିଧା ନାହିଁ।