ଭୁବନେଶ୍ୱର: ସାଧାରଣ ନାଗରିକଙ୍କୁ ବିମାନରେ ଉଡ଼ିବାର ସୁଯୋଗ ସୃଷ୍ଟି ତଥା ଦେଶର ଆଭ୍ୟନ୍ତରୀଣ ଭାଗରେ ଅଧିକରୁ ଅଧିକ ବିମାନ ସେବା ଉପଲବ୍ଧ କରାଇବା ଲାଗି ଆରମ୍ଭ କରାଯାଇଥିବା ଉଡ଼ାନ୍ ଯୋଜନାରେ ଦେଶରେ ୧୪୯ଟି ନୂଆ ବିମାନ ବନ୍ଦର ସୃଷ୍ଟି ହୋଇଛି। ୨୦୧୪ ପରେ ଏହିସବୁ ବିମାନବନ୍ଦରକୁ ବିକଶିତ କରାଯାଇ ସେଠାରେ ସାଧାରଣ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ କରାଯାଇଥିବା କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଲୋକସଭାରେ ସେ ରଖିଥିବା ତଥ୍ୟ ଅନୁଯାୟୀ, ଏହିସବୁ ବିମାନ ବନ୍ଦର ବିଭିନ୍ନ ରାଜ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଶିଳ୍ପ ସଂସ୍ଥା, ଭାରତୀୟ ବାୟୁସେନା ଏବଂ ଘରୋଇ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ପରିଚାଳିତ ହେଉଛି । ଆମ ରାଜ୍ୟରେ ଏହିକ୍ରମରେ ୪ଟି ବିମାନବନ୍ଦର ତିଆରି କରାଯାଇଛି। ସେଥିରୁ ଦୁଇଟି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନା କରାଯାଉଥିବାବେଳେ ଗୋଟିଏ ବିମାନବନ୍ଦର ପ୍ରାଧୀକରଣ ଏବଂ ଅନ୍ୟଟି ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ( ସେଲ୍) ଦ୍ୱାରା ପରିଚାଳନା କରାଯାଉଛି। ଯେଉଁ ଚାରୋଟି ସ୍ଥାନରେ ନୂଆ କରି ବିମାନ ସେବା ଆରମ୍ଭ ସେହି ଜିଲ୍ଲା ଗୁ଼ଡ଼ିକ ହେଲା, କୋରାପୁଟର ଜୟପୁର, ଝାରସୁଗୁଡ଼ା, ରାଉରକେଲା ଓ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର।
ଏହି ୧୦ ବର୍ଷ ଭିତରେ ଦେଶରେ ସବୁଠାରୁ ଅଧିକ ମହାରାଷ୍ଟ୍ରରେ ନୂଆ ବିମାନ ବନ୍ଦର ନିର୍ମାଣ ଓ ସେବା ଆରମ୍ଭ କରାଯାଇଛି। ଏହି ରାଜ୍ୟରେ ସମାନ ଅବଧିରେ ୧୦ଟି ବିମାନ ବନ୍ଦର ନିର୍ମାଣ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ ୭ଟି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଥିବାବେଳେ ଉତ୍ତରାଖଣ୍ଡରେ ୯, ଅରୁଣାଚଳରେ ୪, କର୍ଣ୍ଣାଟକରେ ୫, ଗୁଜରାଟରେ ୫ଟି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି ।