ନୂଆଦିଲ୍ଲୀ: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଭାରତରେ ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଏଲୋନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ ସହିତ ହାତ ମିଳାଇଛି। ଉଭୟ କମ୍ପାନୀ ଏ ସମ୍ପର୍କରେ ଚୁକ୍ତି ଘୋଷଣା କରିଛନ୍ତି। ସ୍ପେସଏକ୍ସର ସାଟେଲାଇଟ୍ ଇଣ୍ଟରନେଟ୍ ଡିଭିଜନ ଷ୍ଟାରଲିଙ୍କ୍ ମାଧ୍ୟମରେ ଭାରତର ଗ୍ରାହକମାନଙ୍କୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପାଇଁ ଏହି ସହଭାଗୀତା କରାଯାଇଛି। ଏକ୍ସଚେଞ୍ଜ ଫାଇଲିଂରେ ଏୟାରଟେଲ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
ଆପଣଙ୍କୁ କହିରଖୁଛୁ ଯେ, ଆମ ଦେଶରେ ଏପର୍ଯ୍ୟନ୍ତ ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇନାହିଁ। ଭାରତରେ, ସରକାର ଏପର୍ଯ୍ୟନ୍ତ କେବଳ ଭାରତୀ ଗ୍ରୁପ୍-ନିବେଶିତ OneWeb ଏବଂ Jio-SES ର ମିଳିତ ଉଦ୍ୟୋଗ Jio Satellite Communications କୁ ସାଟକମ୍ ଲାଇସେନ୍ସ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଷ୍ଟାରଲିଙ୍କ ବ୍ୟତୀତ, ଆମାଜନ ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରିଛି।
ଷ୍ଟାରଲିଙ୍କ ଏପର୍ଯ୍ୟନ୍ତ ପାଖାପାଖି ଶହେଟି ଦେଶରେ ଏହାର ସେବା ଆରମ୍ଭ କରିସାରିଛି। ନିକଟରେ ଭୁଟାନରେ ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା ଆରମ୍ଭ କରାଯାଇଛି । ବର୍ତ୍ତମାନ ବାଂଲାଦେଶରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏହା ଆଶା କରାଯାଉଥିଲା ଯେ, ଷ୍ଟାରଲିଙ୍କ ଭାରତରେ ପ୍ରବେଶ କରିପାରିବ। କାରଣ ହେଉଛି ମସ୍କଙ୍କୁ ଟ୍ରମ୍ପଙ୍କ ନିକଟତର ବୋଲି ବିବେଚନା କରାଯାଏ। କିନ୍ତୁ ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା ସ୍ପଷ୍ଟ କରିଥିଲେ ଯେ, ଭାରତରେ ଲାଇସେନ୍ସ ପାଇବା ପାଇଁ ଷ୍ଟାରଲିଙ୍କକୁ ସମସ୍ତ ପ୍ରକାରର ନିୟମ ପାଳନ କରିବାକୁ ହେବ ।