BLA Attack: ରବିବାର ଦିନ ପାକିସ୍ତାନରେ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଛି । କ୍ୱେଟାରୁ ପାକିସ୍ତାନର ତଫତାନ ଯାଉଥିବା ଏକ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ସାତ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣ ଆହତ ହୋଇଥିଲେ। କିନ୍ତୁ ବାଲୁଚ୍ ଲିବରେସନ୍ ଆର୍ମି (BLA) ଦାବି କରିଛି ଯେ, ୯୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ, ଉକ୍ତ ଅଞ୍ଚଳରେ ହେଲିକପ୍ଟର ଏବଂ ଡ୍ରୋନ ମୁତୟନ କରିଛି।
ରିପୋର୍ଟ ଅନୁସାରେ, ଆଇଇଡି ବୋଝେଇ ଏକ ଗାଡ଼ି ସେନା କନଭୟର ଏକ ବସ୍ ସହିତ ଧକ୍କା ଦେଇଥିଲା। ଫଳରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ନୋସ୍କି ଷ୍ଟେସନ୍ ଏସ୍ଏଚ୍ଓ ଜାଫରୁଲ୍ଲା ସୁଲେମାନି କହିଛନ୍ତି ଯେ, ପ୍ରାରମ୍ଭିକ ରିପୋର୍ଟରୁ ଏହା ଏକ ଆତ୍ମଘାତୀ ଆକ୍ରମଣ ବୋଲି ସୂଚିତ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ, ଆକ୍ରମଣକାରୀ ଜାଣିଶୁଣି ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସେନା କନଭୟରେ ଧକ୍କା କରାଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ମୃତ ସୈନିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। BLA ପକ୍ଷରୁ ବିବୃତ୍ତି ଜାରି କରି କରାଯାଇଛି । ସେଥିରେ କୁହାଯାଇଛି ଯେ, ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି ।
ଆପଣଙ୍କୁ କହି ରଖୁଛୁ ଯେ, ୫ ଦିନ ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ବାଲୁଚ୍ ବିଦ୍ରୋହୀମାନେ ଜାଫର ଏକ୍ସପ୍ରେସ ପାସେଞ୍ଜର ଟ୍ରେନ୍ ଅପହରଣ କରିନେଇଥିଲେ। ଉକ୍ତ ଟ୍ରେନଟି କ୍ୱେଟାରୁ ପେଶାୱର ଯାଉଥିଲା। ଟ୍ରେନଟି ମଙ୍ଗଳବାର, ମାର୍ଚ୍ଚ ୧୧ ତାରିଖ ସକାଳ ୯ଟାରେ କ୍ୱେଟାରୁ ଛାଡିଥିଲା ଏବଂ ୧୧ଟି ସହର ଅତିକ୍ରମ କରି ପେଶାୱରର ସିବି ରେଳ ଷ୍ଟେସନରେ ଅପରାହ୍ନ ୧.୩୦ ରେ ପହଞ୍ଚିବାର ଥିଲା । ପ୍ରାୟ ୧ଟାରେ ବାଲୁଚିସ୍ତାନର ବୋଲାନ ଜିଲ୍ଲାର ମାଶକାଫ ଅଞ୍ଚଳରେ ବାଲୁଚ୍ ଲିବରେସନ୍ ଆର୍ମି ପକ୍ଷରୁ ଏହାକୁ ଅପହରଣ କରାଯାଇଥିଲା।