Hindi News >>Home >>Odisha National-International

BANGLADESH VIOLENCE : ଉଗ୍ର ରୂପ ନେଉଛି ବାଂଲାଦେଶ ହିଂସା : ଗଲାଣୀ ୧୦୫ ଜଣଙ୍କ ଜୀବନ

Bangladesh violence: ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ମାମଲାରେ ଅଶାନ୍ତ ବାଂଲାଦେଶ । ଗଲାଣି ଶତାଧିକ ଲୋକଙ୍କ ଜୀବନ । ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Advertisement
Bangladesh violence
Bangladesh violence
Zee Odisha Desk|Updated: Jul 20, 2024, 02:33 PM IST
Share

Bangladesh violence: ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି।ଗତ କିଛି ସପ୍ତାହ ଧରି ଜାରି ରହିଥିବା ଏହି ଆନ୍ଦୋଳନରେ ଗତକାଲି ସୁଦ୍ଧା ଶତାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।ଅତି କମରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତି । ଉତ୍ତର-ପୂର୍ବ ରାଜ୍ୟର ଏକାଧିକ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ଫେରିଛନ୍ତି ପ୍ରାୟ 3ଶହ ଛାତ୍ରଛାତ୍ରୀ । ଶୁକ୍ରବାର ଏହି ଛାତ୍ରଛାତ୍ରୀ ସ୍ବଦେଶ ଫେରିଥିବା ଜଣାପଡିଛି ।କର୍ଫ୍ୟୁ ଲାଗୁ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ନୟୋଜିତ କରାଯାଇଛି।

ଚାକିରୀ ଉପରେ ସରକାରଙ୍କ କୋଟା ନୀତିରେ ସଂସ୍କାର ଆଣିବାକୁ ଦାବି କରୁଥିବାରୁ ବାଂଲାଦେଶର ଦୀର୍ଘତମ କାର୍ଯ୍ୟକର୍ତ୍ତା ନେତା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଏହା ସବୁଠାରୁ କଠିନ ରାଜନୈତିକ ଆହ୍ବାନ।ଦେଶକୁ ଏକ ଟେଲିଭିଜନ ଭାଷଣରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଶାନ୍ତିପୂର୍ଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ଛାତ୍ରମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପ୍ରସ୍ତାବକୁ ଛାତ୍ରମାନେ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଢାକା ବିଶ୍ବବିଦ୍ୟାଳୟରେ ବ୍ୟାପକ ହିଂସା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । କୋଟା ଆନ୍ଦୋଳନ ପାଇଁ ଟ୍ରେନ୍‌ ଏବଂ ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଛି। ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ହିଂସା ଥମିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କତା ଅବଲମ୍ବନ କରିବା ଓ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାରତୀୟ ଛାତ୍ରଛାତ୍ରୀମାନେ ସେଠାରେ ମେଡିକାଲ ଓ ଅନ୍ୟ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ସେମାନେ ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାର ଅଖୁରାହ ଅନ୍ତର୍ଜାତୀୟ ପୋଷ୍ଟ ଓ ମେଘାଳୟର ଦାବକି ପୋଷ୍ଟ ଦେଇ ଭାରତ ଫେରିଛନ୍ତି । ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ଉତ୍ତର ପ୍ରଦେଶ, ମେଘାଳୟ, ଜମ୍ମୁ କାଶ୍ମୀରର ହୋଇଥିବା ଜଣାପଡିଛି । ମୋଟ କେତେସଂଖ୍ୟକ ଛାତ୍ରଛାତ୍ରୀ ସେଠାରେ ଅଧ୍ୟୟନ କରୁଛନ୍ତି, ସେ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନି ।

ପ୍ରକାଶ ଥାଉଯେ,୧୯୭୨ ମସିହାରେ ବାଂଲାଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତିରେ 30 ପ୍ରତିଶତ ସଂରକ୍ଷଣ ଦେବାକୁ ଏକ ସ୍ଥାନୀୟ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଥିଲେ ।ପରେ ଏହା ହିଂସାତ୍ମକ ରୂପ ନେଇଥିଲା । ଢାକା ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି । ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଢେଇ ହଜାରରୁ ଅଧିକ ଆହତ ମଧ୍ୟ ହେଇଛନ୍ତି । ବ୍ୟାପକ ଫୋର୍ସ ମୁତୟନ ହେବା ସହ ଇଣ୍ଟରନେଟ ସେବାକୁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

Read More
{}{}