Indian Immigrants: ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି। ସେନାର ବନ୍ଧୁକ ମୁନରେ ଭୟଭୀତ ୧୦୪ ଭାରତୀୟ ଆମେରିକାରୁ ବିତାଡ଼ିତ ହୋଇ ଭାରତ ପହଞ୍ଚିଛନ୍ତି। ଏମାନେ ସମସ୍ତେ ବେଆଇନ ଭାବେ ଆମେରିକା ଭୂଇଁରେ ବାସ କରୁଥିଲେ। ଏଣୁ ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ସେନା ତାଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିଛି।
ଅମୃତସର ବିମାନବନ୍ଦରରେ ଏକ ଆମେରିକୀୟ ସେନା ବିମାନରେ ଏହି ୧୦୪ ଜଣ ଭାରତୀୟ ଭାରତ ପହଞ୍ଚିବା ପରେ ତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି। କିନ୍ତୁ ସାରା ଯାତ୍ରାରେ ତାଙ୍କ ହାତ ଓ ଗୋଡ଼କୁ ବନ୍ଧା ଯାଇଥିଲା ବୋଲି କହିଛନ୍ତି ଭାରତ ଫେରିଥିବା ଏହି ବେଆଇନ ପ୍ରବେଶକାରୀ। ଅମୃତସରରେ ଓହ୍ଲାଇଥିବା ଏହି ୧୦୪ଜଣଙ୍କ ଭିତରୁ ୩୩ ଜଣ ହରିୟାଣା, ୩୩ଜଣ ଗୁଜରାଟ, ୩୦ ଜଣ ପଞ୍ଜାବ, ଏବଂ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ଜଣ ଲେଖାଏଁ ଥିବା ବେଳେ ଦୁଇଜଣ ଚଣ୍ଡିଗଡ଼ରୁ ରହିଛନ୍ତି। ଏଥିରେ ୧୯ ଜଣ ମହିଳା, ୧୩ଶିଶୁ ରହିଛନ୍ତି। ପ୍ରତ୍ୟାର୍ପିତ ସମସ୍ତ ନାଗରିକଙ୍କୁ ସେମାନଙ୍କ ନିଜ ଥାନାକୁ ପଞ୍ଜାବ ପୁଲିସ ପଠାଇଛି।
କଂଗ୍ରେସ ସାଂସଦ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ କମିଟି ଅଧ୍ୟକ୍ଷ ଶଶି ଥରୁର ଭଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ସେନା ବିମାନରେ ଅଣାଯିବା ନେଇ ଆପତ୍ତି ଉଠାଇଛନ୍ତି। ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ଖବରରେ ସେ, ପ୍ରତ୍ୟାର୍ପଣକୁ ଯଥାର୍ଥ ବୋଲି କହିବା ସହ ଭାରତ ସେମାନଙ୍କୁ ଗ୍ରହଣ କରିବାକୁ ମଧ୍ୟ ଉଚିତ ବୋଲି କହିଛନ୍ତି। କିନ୍ତୁ ସେମାନଙ୍କୁ ସାଧାରଣ ବାଣିଜ୍ୟିକ ବିମାନ କିମ୍ବା ସ୍ୱତନ୍ତ୍ର ବେସାମରିକ ଚାର୍ଟରରେ ପଠାଯାିପାରିଥାଆନ୍ତା ବୋଲି କହି କହିଛନ୍ତି।
କର୍ମ ନିଯୁକ୍ତି ଲାଗି ଆମେରିକାକୁ ଅନେକ ସଂଖ୍ୟାରେ ଯୁବକ ଉତ୍ତର ଭାରତରୁ ବେଆଇନ ଭାବେ ଯାତ୍ରା କରିଥାଆନ୍ତି। ଏଥିଲାଗି ସେମାନଙ୍କୁ ଦଲାଲ୍ ମାଧ୍ୟମରେ ଯିବାକୁ ପଡ଼ିଥାଏ। ଏଥିଲାଗି ୪୦-୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଆନ୍ତି ବୋଲି ଫେରିଥିବା କିଛି ଲୋକ କହିଛନ୍ତି।
‘ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ ଜଣେ ପ୍ରତ୍ୟାର୍ପିତ କହିଛନ୍ତି ଯେ ସେମାନେ ଆମେରିକାକୁ ଯିବା ପୂର୍ବରୁ ପ୍ରଥମେ ଇଟାଲୀ ଯାଇଥିଲେ। ସେଠାରେ କିଛିଦିନ ରହିବା ପରେ ତାଙ୍କୁ ଲାଟିନ୍ ଆମେରିକା ପଠାଯାଇଥିଲା। ସେଠାରୁ ୧୫ ଘଣ୍ଟାର ନୌକା ଯାତ୍ରା ଓ ପରେ ୪୦-୪୫ କିଲୋମିଟର ପାଦଚଲା ରାସ୍ତାରେ ଯାଇ ସେମାନେ ଆମେରିକା ପହଞ୍ଚିଥିବା କହିଛନ୍ତି। ଏହି ଯାତ୍ରା ସମୟରେ ସେମାନଙ୍କୁ ୧୭-୧୮ ପାହାଡ଼ ଚଢ଼ିବାକୁ ପଡ଼ିଥିଲା। ଏହି ପାହାଡ଼ସବୁ ତୀଖ ଥିବାରୁ ଏଥିରୁ ଖସିଲେ ବଞ୍ଚିବାର ସମ୍ଭାବନା ନଥିଲା। ଏମିତି କି ସେମାନେ କିଛି ମୃତ ଶରୀର ସେଠାରେ ପଡ଼ିଥିବା ମଧ୍ୟ ଦେଖିଥିବା କହିଛନ୍ତି।