Tariff Tension: ଭାରତ ବର୍ଷକୁ ୮୭ ହଜାର କୋଟି ଟଙ୍କାର ବୟନ ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଏହି ରପ୍ତାନି ବାଧାପ୍ରାପ୍ତ ହେବ । ଏଭଳି ସ୍ଥିତିରେ ଭାରତୀୟ କମ୍ପାନୀ ଗୁଡ଼ିକ ବିଦେଶରେ ଥିବା ସେମାନଙ୍କ କାରଖାନାକୁ ଉତ୍ପାଦନ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପର୍ଲ ଗ୍ଲୋବାଲ ଇଣ୍ଡଷ୍ଟ୍ରିଜ୍ ନାମକ କମ୍ପାନୀର ଏମଡି ପଲ୍ଲବ ବାନାର୍ଜୀ କହିଛନ୍ତି, ଆମେରିକା ବଜାରକୁ ଭାରତ ଅପେକ୍ଷା ଅପେକ୍ଷାକୃତ ଅନୁକୂଳ ସ୍ଥାନରୁ ଉତ୍ପାଦନ ଯୋଜନା କରାଯାଉଛି।
ଭିଏତନାମ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ଗୁଏତମାଳା ଭଳି ଦେଶରେ ଥିବା କମ୍ପାନୀର କାରଖାନାରୁ ଉତ୍ପାଦନ ନେଇ ଉଦ୍ୟମ ଚାଲିଛି । ବାଂଲାଦେଶ, ଭିଏତନାମ, ଇଣ୍ଡୋନେସିଆ, ଭଳି ଦେଶ ଉପରେ ଟ୍ରମ୍ପ ୧୯ ରୁ ୨୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ତେଣୁ ଆମେରିକାର ରିଟେଲର ମାନେ ଏସବୁ ବଜାରରୁ ଅଧିକ ସାମ୍ରୀ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଅନ୍ୟ ଏକ ପୋଷାକ ରପ୍ତାନିକାରୀ କମ୍ପାନୀ ଆମେରିକା ବଜାରକୁ ପଠାଯିବା ପାଇଁ ଥିବା ଅର୍ଡରକୁ ଆଫ୍ରିକାକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଆଫ୍ରିକାରେ ଆମର ଏକ କେନ୍ଦ୍ର ରହିଛି। ସେଠାରୁ ଉତ୍ପାଦନ କରିବାକୁ ଯୋଜନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଦେଶର ଉଦ୍ୟୋଗଜଗତକୁ ସୁରକ୍ଷା ଦେବା ନିମନ୍ତେ ସରକାର ଶୀଘ୍ର ୨୨୫୦ କୋଟି ଟଙ୍କାର ରପ୍ତାନି ପ୍ରୋତ୍ସାହନ ମିଶନ ଘୋଷଣା କରିବେ ବୋଲି ଆଶା କରାଯାଉଛି । ରପ୍ତାନିକାରୀଙ୍କ ସହ ଏନେଇ ସରକାରୀ ଅଧିକାରୀ ମାନେ ଆଲୋଚନା ଚଳାଇଛନ୍ତି । ବ୍ୟବସାୟକୁ କିଭଳି ସହଜ କରାଯାଇପାରିବ , ଦେଶ ଭିତରେ ଖର୍ଚ୍ଚକୁ କିଭଳି ବଢାଯାଇପାରିବ, ନୂଆ ଯୋଗାଣ ଶୃଙ୍ଖଳ ସୃଷ୍ଟି କରାଯାଇ ପାରିବ ତାହା ଉପରେ ଧ୍ୟାନ ଦିଆଯାଉଛି। ଏହି ମିଶନରେ ଏମଏସଏମଇ ଏବଂ ଇ-କର୍ମସ ରପ୍ତାନିକାରୀଙ୍କ ପାଇଁ ସହଜ ଋଣ ଯୋଜନା, ବିଦେଶରେ ଗୋଦାମ ପ୍ରତିଷ୍ଠା ଏବଂ ବିଶ୍ୱ ସ୍ତରରେ ବ୍ରାଣ୍ଡିଂ ଭଳି ପଦେକ୍ଷେପ ନିଆଯାଇପାରେ।
ଉଲ୍ଲେଖଯୋଗ୍ୟ, ସରକାର ଚଳିତବର୍ଷ ଫେବୃଆରୀ ୧ରେ ଏହି ମିଶନ ସ୍ଥାପନ ନେଇ ଘୋଷଣା କରିଥିଲେ। ବର୍ହିବାଣିଜ୍ୟ ମହା ନିର୍ଦ୍ଦେଶାକଙ୍କ କାର୍ଯ୍ୟାଳୟ ପକ୍ଷରୁ ରପ୍ତାନି ପ୍ରୋତ୍ସାହନ ପରିଷଦକୁ ଏ ସମ୍ପର୍କରେ ଗତ ଏପ୍ରିଲ ୩୦ ତାରିଖରେ ବିଭିନ୍ନ ସୂଚନା ଦିଆଯାଇ ସାରିଛି। ମିଶନକୁ ମୁଖ୍ୟତଃ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି।
Also Read: Odisha Panipaga: ଆସୁଛି ଲଘୁଚାପ, ୧୨ ରୁ ବଢିବ ବର୍ଷାର ପରିମାଣ...ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା