ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଆନନ୍ଦ ବିହାର ନିକଟ କସମୋସ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। କିଛି ଅକ୍ସିଜେନ ସିଲିଣ୍ଡର ମଧ୍ୟ ନିଆଁରେ ଜଳିଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ହସ୍ପିଟାଲରେ ନିଆ ଲାଗିବା ପରେ ପ୍ରବଳ ଧୂଆଁ ଉଠିଥିଲା ସେହି ସମୟରେ କାଚ ଭାଙ୍ଗି ୧୧ ଜଣ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅବଶିଷ୍ଟ ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ହସ୍ପିଟାଲରୁ ପଦାକୁ ବାହାର କରାଯାଇଥିଲା । ନଚେତ୍ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା ବୋଲି କୁହାଯାଉଛି।
ଅଗ୍ନିକାଣ୍ଡ ସମୟରେ ଅମିତ ନାମକ ଜଣେ ହାଉସକିପିଂ କର୍ମଚାରୀ ହସ୍ପିଟାଲର ବାଥରୁମରେ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ । ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଆଠଟି ଅଗ୍ନିଶମ ଗାଡି ପଠାଇଥିଲା।
ସୂଚନାଯୋଗ୍ୟ, ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀର ହରି ନଗରରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା କାରଣରୁ ବସ୍ତି କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନିକଟସ୍ଥ ବସ୍ତିଗୁଡ଼ିକୁ ଖାଲି କରିଦିଆଯାଇଛି। ଆହତମାନଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲ ଏବଂ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି।
ମୃତକଙ୍କ ମଧ୍ୟରେ ଅଛନ୍ତି ମୁଟ୍ଟୁ ଅଲି (୪୫), ଶାବିବୁଲ (୩୦), ରବିବୁଲ (୩୦), ରୁବିନା (୨୫), ଡଲି (୨୫), ହସିବୁଲ, ହସିନା (୭) ଏବଂ ରୁଖସାନା (୬) । ଏଥିସହ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଅଧିକାରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ କହିବାନୁସାରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିଛି। ଭବିଷ୍ୟତରେ ଏପରି ଘଟଣା ଯେପରି ନ ଘଟେ ସେଥିପାଇଁ ବର୍ତ୍ତମାନ ବସ୍ତିଗୁଡ଼ିକୁ ଖାଲି କରିଛୁ।'
ଅନ୍ୟପଟେ, ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସକାଳେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ପାଣିରେ ବୁଡ଼ି ଯାଇଥିଲା। ବର୍ଷା କାରଣରୁ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦିଲ୍ଲୀର ପ୍ରାଥମିକ ପାଣିପାଗ କେନ୍ଦ୍ର ସଫଦରଜଙ୍ଗରେ 78.7 ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପ୍ରଗତି ମଇଦାନରେ 100 ମିମି ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର 204.50 ମିଟର ସତର୍କତା ସ୍ତର ନିକଟରେ ପହଞ୍ଚିବା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ହେବାର ସମ୍ଭାବନା ବୃଦ୍ଧି ପାଇଛି।
Also Read- Weekly Tarot Reading: ନୂଆ ସପ୍ତାହଟି କିପରି ବିତିବ ? ପଢନ୍ତୁ ମେଷଠୁ ମୀନ ୧୨ରାଶିର ଭାଗ୍ୟଫଳ
Also Read- SSC 2025 ପରୀକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା...