Smoking beedi on Flight: ସୁରଟରୁ କୋଲକାତା ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ଉଡ଼ାଣ ପୂର୍ବରୁ ବିମାନ ଶୌଚାଳୟରେ ବିଡ଼ି ଟାଣୁଥିବା ସମୟରେ ଧରାପଡ଼ିଛନ୍ତି । ଗୁରୁବାର ଦିନ ଏପରି ଘଟଣା ସାମ୍ନାକୁ ଆସିଛି । ଉକ୍ତ ଯାତ୍ରୀଙ୍କ ନାମ ଅଶୋକ ବିଶ୍ୱାସ ବୋଲି ସୂଚନା ମିଳିଛି । ଅଶୋକ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ସେ କାମ ଗୁଜରାଟ ନବସାରୀରେ କାମ କରନ୍ତି ।
ବିମାନବନ୍ଦରରେ କଡ଼ା ସୁରକ୍ଷା ଯାଞ୍ଚ ସତ୍ତ୍ୱେ ମଧ୍ୟ ଅଶୋକ ବିମାନ ଭିତରକୁ ବିଡ଼ି ଏବଂ ଦିଆସିଲି ନେବାରେ ସକ୍ଷମ ହୋଇପାରିଥିଲେ । ତେବେ ଯାନ୍ତ୍ରିକ ସମସ୍ୟା କାରଣରୁ ବିମାନଟି କିଛି ସମୟ ବିଳମ୍ବ ହୋଇଥିଲା । ଜଣେ ଏୟାର ହୋଷ୍ଟେସ୍ ଶୌଚାଳୟରୁ ଧୂଆଁ ଆସୁଥିବାର ଦେଖିବା ପରେ ତୁରନ୍ତ ବିମାନବନ୍ଦର ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଯାହା ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା।
ଯାଞ୍ଚ କରିବା ପରେ, ଅଶୋକଙ୍କ ବ୍ୟାଗରୁ ବିଡ଼ି ଏବଂ ଦିଆସିଲି ମିଳିଥିଲା । ପରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ବିମାନ କମ୍ପାନୀ ଘଟଣା ବିଷୟରେ ଡୁମାସ୍ ପୋଲିସକୁ ଅବଗତ କରାଇଥିଲେ । ପରେ ପୋଲିସ୍ ଯାତ୍ରୀଙ୍କୁ ଗିରଫ କରିଥିଲା । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ବିମାନଟି ଅପରାହ୍ନ ୪.୩୫ ରେ ଛାଡିବାର ଥିଲା କିନ୍ତୁ କୌଣସି ଯାନ୍ତ୍ରିକ ସମସ୍ୟା କାରଣରୁ ଉଡାଣରେ ବିଳମ୍ବ ହୋଇଥିଲା। ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏୟାର ହୋଷ୍ଟେସ ଧୂଆଁ ଏବଂ ବିଡି ଗନ୍ଧ ପାଇ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଥିଲେ ।
ତଦନ୍ତରୁ ଜଣାପଡିଛି ଯେ, 15A ରେ ବସିଥିବା ଯାତ୍ରୀ ଅଶୋକ ବିଶ୍ୱାସ ନିଜ ବ୍ୟାଗରେ ନିଷିଦ୍ଧ ଜିନିଷ ବହନ ନେଇ ଯାତ୍ରା କରୁଥିଲେ । ଅନ୍ୟ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ପୋଲିସ ତାଙ୍କ ବିରୁଦ୍ଧରେ BNS ଧାରା 125 ଅନୁଯାୟୀ ଏକ ମାମଲା ରୁଜୁ କରିଛି। କିନ୍ତୁ ଏନେଇ ଏୟାରଲାଇନ୍ସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ ।
Also Read- ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି
Also Read- Weekly Tarot Reading: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ, ୩ ରାଶିକୁ ଆର୍ଥିକ ଲାଭ