Ahmedabad Plane Crash: ଗୁରୁବାର ଅପରାହ୍ନରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ବିମାନରେ ଦୁଇଜଣ ପାଇଲଟ ଏବଂ ୧୦ ଜଣ କ୍ୟାବିନ କ୍ରୁ ସମେତ ୨୪୨ ଜଣ ଥିଲେ। ବିମାନ ଦୁର୍ଘଟଣା ପରେ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଯନ୍ତ୍ରଣାଦାୟକ ଦୃଶ୍ୟକୁ ବଖାଣିଛି। ଏହି ଦୁର୍ଘଟଣା ସମ୍ପର୍କରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଏୟାର ଇଣ୍ଡିଆ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରି ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଏହି ଦୁଃଖଦ ଘଟଣାର ଖବର ଶୁଣି ସେ ଦୁଃଖିତ। ସେ X ରେ ପୋଷ୍ଟ କରି କହିଛନ୍ତି, "ମୁଁ ଭାରତର ଲୋକଙ୍କ ପ୍ରତି ମୋର ଗଭୀର ସମବେଦନା ପ୍ରକାଶ କରୁଛି।"
ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ AI-171 ଭାରତୀୟ ସମୟ ଅପରାହ୍ନ ୧:୩୯ ରେ ଅହମ୍ମଦାବାଦ ବିମାନବନ୍ଦରର ରନୱେ ୨୩ ରୁ ଉଡ଼ାଣ ଆରମ୍ଭ କରିଥିଲା। ରନୱେ ୨୩ ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ବିମାନବନ୍ଦର ସୀମା ବାହାରେ ଭୂମିରେ ଖସି ପଡ଼ିଥିଲା ଏବଂ ତା'ପରେ ଘଟଣାସ୍ଥଳରୁ ଆକାଶରେ କଳା ଧୂଆଁ ଉଡ଼ୁଥିବା ଦେଖାଯାଇଥିଲା।
ବିମାନଟି ଅହମ୍ମଦାବାଦର ମେଘନଗର ଆଇଜିପି କମ୍ପ୍ଲେକ୍ସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନରେ 12 ଜଣ କ୍ୟାବିନ କ୍ରୁ ସଦସ୍ୟଙ୍କ ସମେତ ୨୪୨ ଜଣ ଥିଲେ। ବିମାନଟି କ୍ୟାପ୍ଟେନ ସୁମିତ ସବରୱାଲ ଚଲାଇଥିଲେ, ତାଙ୍କ ସହିତ ପ୍ରଥମ ଅଧିକାରୀ କ୍ଲାଇଭ କୁନ୍ଦର ମଧ୍ୟ ଥିଲେ। କ୍ୟାପ୍ଟେନ ସୁମିତ ସବରୱାଲ ଜଣେ ଏଲଟିସି ଏବଂ ତାଙ୍କର ୮୨୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଅଛି। ଯେତେବେଳେ କି କୋ-ପାଇଲଟଙ୍କର ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ, ଜଣେ କାନାଡିଆନ ଓ ୭ ଜଣ ପର୍ତ୍ତୁଗୀଜ ନାଗରିକ ଥିଲେ।