Supreme Court: ଭୁବନେଶ୍ୱର: ସଂସଦର ଉଭୟ ଗୃହରେ ପାରିତ ହୋଇ ଆଇନରେ ରୂପାନ୍ତରୀତ ହୋଇଥିବା ନୂଆ ୱକ୍ଫ୍ ସଂଶୋଧନ ଆଇନକୁ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧେନ ବିଚାରପତି ସଞ୍ଜୀବ ଖାନ୍ନା, ବିଚାରପତି ସଞ୍ଜୟ କୁମାର ଓ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି ହେବ। ୧୦ଟି ଆବେଦନକୁ ଏଥିରେ ଗ୍ରହଣ କରାଯାଇଛି ଯେଉଁଥିରେ ସରକାରଙ୍କୁ କେଉଁଭଳି ଆଦେଶ କୋର୍ଟ ଦେବେ ତାକୁ ଅପେକ୍ଷା କରାଯାଇଛି। ଆବେଦନକାରୀ ତୁରନ୍ତ ଆଇନର କାର୍ଯ୍ୟକାରୀତା ଉପରେ ସ୍ଥଗିତାଦେଶ ପାଇଁ ଦାବି କରିଥିବା ବେଳେ ସରକାରଙ୍କ ପକ୍ଷ ଏହାକୁ ନେଇ ଚିନ୍ତାରେ ରହିଛନ୍ତି।
ଗତ ୪ ତାରିଖ ଦିନ ୱକ୍ଫ୍ ସଂଶୋଧନ ବିଧେୟକ ସଂସଦର ଉଭୟ ଗୃହରେ ବହୁମତରେ ପାରିତ ହେବା ପରେ ତାହା ଆଇନରେ ପରିଣତ ହୋଇଛି। ଏହାସହ ରାଷ୍ଟ୍ରପତିମଧ୍ୟ ଏହି ବିଧେୟକକୁ ଅନୁମୋଦନ କରି ରାଜପତ୍ର ପ୍ରକାଶ କରାଯାଇଛି। ଏଣୁ ଏ ଆଇନ ଏବେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ରହିଛି। ୱାକ୍ଫ ସମ୍ପତ୍ତିକୁ ଗରିବ, ଦଳିତ, ମହିଳା ମୁସଲମାନଙ୍କ ସ୍ୱାର୍ଥ ସାଧନରେ ବ୍ୟବହାର କରିବାକୁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏ ଆଇନକୁ ମୌଳିୀକ ଅଧିକାର କ୍ଷୁର୍ଣ୍ଣ କରାଯିବାକୁ ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନ। ଏହି ସଂଗଠନମାନେ ଏନେଇ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ନିବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆଜି ଶୁଣାଣି ଧାର୍ଯ୍ୟ କରିଛନ୍ତି।
ଯେଉଁ ୧୦ ବ୍ୟକ୍ତି ତଥା ସଂଗଠନଙ୍କର ଆବେଦନ ଆଜି ଶୁଣାଣି ପାଇଁ ଗ୍ରହଣ କରାଯାଇଛି ସେଗୁଡ଼ିକ ଭିତରେ ରହିଛନ୍ତି, ଏଆଇଏମଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱେସି, ଆପ୍ ନବିଧାୟକ ମମାନାତୁଲ୍ଲା ଖାନ, ଆସୋସିଏସନ୍ ଫର ସିଭିଲ୍ ପ୍ରଟେକ୍ସନ୍ ରାଇଟସ୍ ପକ୍ଷରୁ ଅର୍ସଦ ମଦାନୀ, ଏବଂ ସମସ୍ଥ କେରଳ ଜମାଇତୁଲ ଉଲେମା ପକ୍ଷରୁ ଅଞ୍ଜୁମ୍ କାଦ୍ରୀ।
ଏହି ସଂଗଠନଗୁଡ଼ିକ ତୁରନ୍ତ ଆଇନ ଉପରେ ରହିତାଦେଶ ପାଇଁ ନିବେଦନ କରିଛନ୍ତି। ଶୁଣାଣି ଶେଷ ନ ହେବା ଯାଏ ଆଇନର କାର୍ଯ୍ୟାରୀତା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରାଯାଇଛି। ଏଣୁ ଯଦି କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବେ ତେବେ ସଂସଦ ଦ୍ୱାରା ପାରିତ ହୋଇଥିବା ଆଇନ ଅନିଶ୍ଚିତତା ଘେରକୁ ଚାଲିଯିବ।
ଏ ଭିତରେ ସୁପ୍ରିମ କୋର୍ଟଙ୍କ ପାଖରେ ଆଗୁଆ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର। କୋର୍ଟଙ୍କ ଆଗରେ କ୍ୟାଭେଟ୍ ଆବେଦନ କରି ସରକାର କହିଛନ୍ତି, କୌଣସି ଆଦେଶ ଦେବା ପୂର୍ବରୁ କେନ୍ଦ୍ରର ବୟାନ ଶୁଣିବାକୁ ନିବେଦନ କରାଯାଇଛି। ଏହା ସହ କୌଣସି ଆଭ୍ୟନ୍ତରୀଣ ଆଦେଶ ଜାରି ନକରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ସରକାର।