ନୂଆଦିଲ୍ଲୀ: ଆମେରିକାର ନ୍ୟୁ ଜର୍ସିର ପ୍ଲେନଫିଲ୍ଡ ଠାରେ ଇସ୍କନ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। ଆମେରିକାରେ ରହୁଥିବା ଇଂ ହେମନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଉତ୍ସବକୁ ବେଶ ଆଡମ୍ବରପୁର୍ଣ୍ଣ ସହକାରେ ପାଳନ କରାଯାଇଥିଲା। ଏହି ଉତ୍ସବରେ ଶତାଧିକ ଓଡ଼ିଆ ଏକତ୍ରିତ ହୋଇଥିଲେ। ଏହା ସହିତ ଆମେରିକାରେ ଅବସ୍ଥାପିତ ଇସ୍କନର ମହାପ୍ରଭୁଙ୍କ ଭକ୍ତଙ୍କ ସହିତ ସ୍ଥାନୀୟ କିଛି ନ୍ୟୁଜର୍ସିର ବାସିନ୍ଦା ମଧ୍ୟ ସାମିଲ ହୋଇ ଓଡ଼ିଆ ନବବର୍ଷକୁ ବେଶ ଧୂମଧାମରେ ପାଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ଭକ୍ତଙ୍କୁ ମହାପ୍ରଭୁଙ୍କ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା।
ଏହି ନବବର୍ଷ ପାଳନ ପର୍ବର ପ୍ରାରମ୍ଭିକ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥି ନିମନ୍ତେ ୧୨ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରସ୍ତୁତ ବ୍ୟଞ୍ଜନ ମଧ୍ୟରେ ଦହିବରା, ଆଳୁ ଚପ, ଜିରା ରାଇସ, ପୁରୀ, ଖଜୁରୀ ଖଟ୍ଟା, ଡାଲି, ମହୁର, ପଣଷ କଷା, ସାହି ପନୀର, ଛେନାପୋଡ଼, ଖିରି, ମାଲପୁଆ ଓ ମିଠା ପ୍ରସ୍ତୁତ କରାଯାଇଥିଲା। ଏହା ସହିତ ସ୍ୱତନ୍ତ୍ର ଭାବେ ଛତୁଆ ଓ ବେଲପଣା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ମହାପ୍ରଭୁଙ୍କ ନିକଟରେ ପ୍ରସାଦ ଲାଗି ହେବା ପରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟାନ୍ୟ ଭକ୍ତଙ୍କୁ ତାହା ପ୍ରଦାନ କରାଯାଇଥିଲା। ଓଡ଼ିଶାଠାରୁ ବହୁ ଦୂରରେ ପ୍ରସ୍ତୁତ ଓଡ଼ିଆ ପ୍ରସାଦ ଓ ବ୍ୟଞ୍ଜନକୁ ସମସ୍ତେ ଆଗ୍ରହର ସହିତ ଗ୍ରହଣ କରିଥିଲେ।
ଏକତ୍ର ହୋଇଥିବା ପ୍ରବାସୀ ଓଡ଼ିଆ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ୧୦ ବର୍ଷ ଧରି ଏହି ପର୍ବ ଆୟୋଜନ ହୋଇ ଆସୁଛି। ଦୀର୍ଘ ଦିନ ଧରି ଆମେରିକାରେ ରହି ଆସୁଥିବା ଶ୍ରୀ ପଣ୍ଡା ସମସ୍ତ ଓଡ଼ିଆଙ୍କୁ ଏକତ୍ର କରି ଏହି ପର୍ବ ପାଳନର ନେତୃତ୍ୱ ନେଇ ଆସୁଛନ୍ତି। ଏହି ଉତ୍ସବକୁ ସ୍ଥାନୀୟ ବାସିନ୍ଦା ଭରପୂର ପ୍ରଶଂସା କରିଥିଲେ।
Also Read- ରଥଯାତ୍ରା ହେବ ଶୃଙ୍ଖଳିତ, ବୈଠକରେ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
Also Read- ନିକୁଞ୍ଜ ଧଳଙ୍କ ବଦଳି: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ