Vice President Election 2025: ଶାସକ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ମଙ୍ଗଳବାର ଦିନ ଶେଷ ହୋଇପାରେ। ଆଲୋଚନା ହେଉଛି ଯେ ମେଣ୍ଟ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି। ତଥାପି ସରକାର କିମ୍ବା ସହଯୋଗୀ ଦଳ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ। ଜଗଦୀପ ଧନଖର ନିଜ ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ହେଉଛି। ସଦ୍ୟତମ ବୈଠକ ପରେ ଏନଡିଏ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଉପରେ ଛାଡି ଦେଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ଏନଡିଏ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ଅଗଷ୍ଟ ୭ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ନଡ୍ଡା ପ୍ରାର୍ଥୀ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କହି ରଖୁଛୁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
ଚର୍ଚ୍ଚାରେ ରହିଛି ଏହି ସବୁ ନାମ
ଧନଖର ଇସ୍ତଫା ଦେବା ପରେ ଅନେକ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟସଭା ଉପ-ସଭାପତି ଏବଂ ଜନତା ଦଳ (ୟୁନାଇଟେଡ୍) ନେତା ହରିବଂଶ ସିଂହ, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା, ଜମ୍ମୁ ଏବଂ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସାମିଲ ଅଛନ୍ତି। ଯଦିଓ ଏମାନଙ୍କ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ।
ବିରୋଧୀ ଦଳରୁ କିଏ ହେବେ ପ୍ରାର୍ଥୀ
ପିଟିଆଇ ରିପୋର୍ଟ ଅନୁଯାୟୀ, ସୂତ୍ର ଅନୁସାରେ ବିରୋଧୀ ଇଣ୍ଡିଆ ମେଣ୍ଟ ଏକ ମିଳିତ ପ୍ରାର୍ଥୀ ଦେବ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ ସମ୍ଭାବ୍ୟ ନାମଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଏହା ଉପରେ ସହମତି ଗଠନ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ସହିତ ଯୋଗାଯୋଗ କରୁଛନ୍ତି। ଖଡ୍ଗେ କହିଛନ୍ତି ଯେ ବିରୋଧୀ ମେଣ୍ଟରେ ଏକ ଦୃଢ଼ ଭାବନା ରହିଛି ଯେ ଫଳାଫଳ ଯାହା ହେଉନା କାହିଁକି ଏକ ଦୃଢ଼ ରାଜନୈତିକ ବାର୍ତ୍ତା ପଠାଇବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରତିଯୋଗିତାରୁ ପଛକୁ ହଟିବା ଉଚିତ୍ ନୁହେଁ।