Waqf Amendment Bill: ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକ- ୨୦୨୪ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍କୁ କେନ୍ଦ୍ରୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ। କିନ୍ତୁ ଉପସ୍ଥାପନ ପରା ସଦସ୍ୟମାନେ ଆଲୋଚନା ପୂର୍ବରୁ ବିଧେୟକ ବାବଦରେ ଅଧିକ ତର୍ଜମା କରିବା ପାଇଁ ଏକ ଯୁଗ୍ମ ସାଂସଦୀୟ କମିଟି ଗଠନ ଦାବି ଉଠିଥିଲା। ବାଚସ୍ପତି ଏହି ଦାବିକୁ ସ୍ୱୀକାର କରି ବରିଷ୍ଠ ସଦସ୍ୟ ଜଗଦମ୍ବିକା ପାଲ୍ ଙ୍କ ନେତୃତ୍ୱରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା JPCକୁ ଏହାର ବିଚାର ଲାଗି ପଠାଇଥିଲେ। ପରେ ଏହି ବିଲ୍ ଉପରେ ଅଧିକ ଆଲୋଚନା ଓ ଏହାକୁ ପାରିତ କରାଇବା ପାଇଁ ଆଜି ଅର୍ଥାତ୍ ୨ ଅପ୍ରେଲ ୨୦୨୫ରେ ପୁନର୍ବାର ଲୋକସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।
କୃହକାର୍ଯ୍ୟସୂଚୀ ନିର୍ଦ୍ଧାରଣ କମିଟି ପକ୍ଷରୁ ଏହି ବିଲ୍କୁ ଉପସ୍ଥାପନ ପାଇଁ କାର୍ଯ୍ୟସୂଚୀରେ ସାମିଲ କରିବା ପରେ ଏବେ ବିଭିନ୍ନ ଦଳ ସେମାନଙ୍କ ମଧ୍ୟ ରାଜନୀତିକ ମେଣ୍ଟକୁ ସୁଦୃଢ଼ କରିଛନ୍ତି। ଇଣ୍ଡି ମେଣ୍ଟର ସଦସ୍ୟମାନେ ଗତକାଲି ସଭାପତି ତଥା ରାଜ୍ୟସଭାରେ କଂଗ୍ରେସଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଛନ୍ତି। ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗୀ ଡିଏମ୍କେ ଏହି ବିଧେୟକ ଉପରେ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଟିଡିପି, ଜେଡିୟୁ ସରକାରଙ୍କୁ ସମର୍ଥନ କରିବା ଲାଗି ସହମତ ପ୍ରକାଶ କରିଛନ୍ତି। ବିଜେପି ସାତଜଣ ସାଂସଦଙ୍କ ନାଁ ତାଲିକାଭୁକ୍ତ କରିଛି ଯେଉଁମାନେ ଏହି ବିଧେୟକ ବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆଜି ଶୂନ୍ୟକାଳ ପରେ ଏହି ବିଧେୟକକୁ ଆଲୋଚନା ପାଇଁ ବାଚସ୍ପତି ଅନୁମତି ପ୍ରଦାନ କରିପାରନ୍ତି।
ଏହାର ଉଦ୍ଦେଶ୍ୟ କ’ଣ?
ଓ୍ୱାକଫ୍ (ସଂଶୋଧନ) ବିଲ୍, ୨୦୨୪ ଓ୍ୱାକଫ୍ ଆଇନ, ୧୯୯୫କୁ ସଂଶୋଧନ କରିବାକୁ ଲକ୍ଷ୍ୟ ରଖିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା:
1. ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି: ଓ୍ୱାକଫ୍ ବୋର୍ଡଗୁଡ଼ିକର କାର୍ଯ୍ୟକୁ ଅଧିକ ପାରଦର୍ଶୀ ଓ ଦକ୍ଷ କରିବା ପାଇଁ, ଯେପରି ସମ୍ପତ୍ତି ନିୟନ୍ତ୍ରଣରେ ଅପବ୍ୟବହାର ରୋକାଯାଇ ପାରିବ।
2. ସମ୍ପତ୍ତି ବିବାଦ ହ୍ରାସ: ଓ୍ୱାକଫ୍ ସମ୍ପତ୍ତି ସମ୍ବନ୍ଧୀୟ ବିବାଦକୁ ସ୍ପଷ୍ଟ ସଂଜ୍ଞା ଓ ଯାଞ୍ଚ ମାଧ୍ୟମରେ କମାଇବା।
3. ମହିଳା ଓ ଅନ୍ୟ ସମ୍ପ୍ରଦାୟର ପ୍ରତିନିଧିତ୍ୱ: ଓ୍ୱାକଫ୍ ବୋର୍ଡରେ ମୁସଲମାନ ମହିଳା ଏବଂ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରି ଅଧିକ ସମାବେଶୀ କରିବା।
4. ନିବନ୍ଧନ ପ୍ରକ୍ରିୟାରେ ସୁଧାର: ଏକ କେନ୍ଦ୍ରୀୟ ପୋର୍ଟାଲ ମାଧ୍ୟମରେ ଓ୍ୱାକଫ୍ ସମ୍ପତ୍ତିର ନିବନ୍ଧନକୁ ସରଳ ଓ ଆଧୁନିକ କରିବା।
5. ଅବୈଧ ଦଖଲ ହଟାଇବା: ଓ୍ୱାକଫ୍ ସମ୍ପତ୍ତିରୁ ଅବୈଧ ଦଖଲକୁ ଦୂର କରିବା ପାଇଁ ଆଇନଗତ ବ୍ୟବସ୍ଥା ସୁଦୃଢ଼ କରିବା।
6. ସରକାରୀ ସମ୍ପତ୍ତିର ସୁରକ୍ଷା: ସରକାରୀ ସମ୍ପତ୍ତିକୁ ଓ୍ୱାକଫ୍ ସମ୍ପତ୍ତି ଭାବେ ଘୋଷଣା କରାଯାଇଥିବା ଦାବିକୁ ରୋକିବା ପାଇଁ ଜିଲ୍ଲା କଲେକ୍ଟରଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେବା।
ସରକାରଙ୍କ ଭାଷାରେ ଏହି ବିଲ୍ ଗରିବ ମୁସଲମାନ ଓ ମହିଳାଙ୍କୁ ନ୍ୟାୟ ଦେବା ସହ ଓ୍ୱାକଫ୍ ସମ୍ପତ୍ତିର ସୁରକ୍ଷା ଓ ସଠିକ୍ ବ୍ୟବହାର ନିଶ୍ଚିତ କରିବ। କିନ୍ତୁ କାହିଁକି ବିରୋଧର ସ୍ୱର ଏତେ ଜୋରରେ ବ୍ୟାପିଛି?
ବିରୋଧର କାରଣ କ’ଣ?
ଏହି ବିଲ୍ ବିରୋଧୀ ଦଳଗୁଡ଼ିକ ଏବଂ ବିଭିନ୍ନ ମୁସଲିମ ସଂଗଠନଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ବିରୋଧର ମୁଖ୍ୟ କାରଣଗୁଡ଼ିକ ହେଲା:
1. ଧାର୍ମିକ ସ୍ୱାଧୀନତାରେ ହସ୍ତକ୍ଷେପ: ବିରୋଧୀ ଦଳଗୁଡ଼ିକ ଯୁକ୍ତି ଦିଅନ୍ତି ଯେ ଏହି ବିଲ୍ ସମ୍ବିଧାନର ଅନୁଚ୍ଛେଦ ୨୫ (ଧର୍ମ ସ୍ୱାଧୀନତା) ଏବଂ ୨୬ (ଧାର୍ମିକ ବ୍ୟାପାର ପରିଚାଳନାର ଅଧିକାର)କୁ ଉଲ୍ଲଂଘନ କରୁଛି। ଓ୍ୱାକଫ୍ ବୋର୍ଡରେ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ସରକାରୀ ଅଧିକାରୀଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେବାକୁ ଧାର୍ମିକ ସ୍ୱାୟତ୍ତତା ଉପରେ ଆକ୍ରମଣ ବୋଲି କୁହାଯାଉଛି।
2. ସମ୍ବିଧାନ ବିରୋଧୀ ଓ ବିଭାଜନକାରୀ: କଂଗ୍ରେସ, ଡିଏମ୍କେ, ଏନ୍ସିପି, ତୃଣମୂଳ କଂଗ୍ରେସ ଏବଂ ଏଆଇଏମ୍ଆଇଏମ୍ ପରି ଦଳଗୁଡ଼ିକ ଏହାକୁ "ସମ୍ବିଧାନ ବିରୋଧୀ", "ଅଳ୍ପ ସଂଖ୍ୟକ ବିରୋଧୀ" ଏବଂ "ବିଭାଜନକାରୀ" ବୋଲି ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ଏହା ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରୁଛି।
3. ସଙ୍ଘୀୟ ବ୍ୟବସ୍ଥା ଉପରେ ଆଘାତ: ଓ୍ୱାକଫ୍ ସମ୍ପତ୍ତି ରାଜ୍ୟ ସରକାରଙ୍କ ଅଧିକାର କ୍ଷେତ୍ରରେ ଆସୁଥିବାରୁ, କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପକୁ ସଙ୍ଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି କୁହାଯାଉଛି।
4. ଓ୍ୱାକଫ୍ ବୋର୍ଡର କ୍ଷମତା ହ୍ରାସ: ବିଲ୍ ମାଧ୍ୟମରେ ଓ୍ୱାକଫ୍ ବୋର୍ଡର କ୍ଷମତା କମାଇ ଜିଲ୍ଲା କଲେକ୍ଟରଙ୍କୁ ଅଧିକ ଦାୟିତ୍ୱ ଦିଆଯାଉଥିବାରୁ, ଏହା ଓ୍ୱାକଫ୍ ପ୍ରଶାସନର ସ୍ୱାୟତ୍ତତାକୁ ହାନି ପହଞ୍ଚାଉଛି ବୋଲି ଆଶଙ୍କା କରାଯାଉଛି।
5. ‘ଓ୍ୱାକଫ୍ ବାଇ ୟୁଜର’ ଧାରା ହଟାଇବା: ଦୀର୍ଘ ସମୟ ଧରି ଧାର୍ମିକ ବା ଦାନ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତିକୁ ଓ୍ୱାକଫ୍ ଭାବେ ଗ୍ରହଣ କରିବାର ବ୍ୟବସ୍ଥା (ଓ୍ୱାକଫ୍ ବାଇ ୟୁଜର)କୁ ହଟାଇବା ଦ୍ୱାରା ଅନେକ ଐତିହାସିକ ସମ୍ପତ୍ତି ଓ୍ୱାକଫ୍ ଅଧୀନରୁ ବାହାରିଯିବ ବୋଲି ବିରୋଧୀମାନେ କହୁଛନ୍ତି।
6. ରାଜନୈତିକ ଉଦ୍ଦେଶ୍ୟ: ଏହାକୁ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ରାଜନୈତିକ ଏଜେଣ୍ଡା ଭାବେ ଦେଖାଯାଉଛି, ଯାହା ଧାର୍ମିକ ବିଭାଜନ ସୃଷ୍ଟି କରିପାରେ ବୋଲି ଅଭିଯୋଗ ହୋଇଛି।
ସବୁଠାରୁ ବଡ଼ କଥା ହେଲେ ଶାସକ ଦଳ ସଂସ୍କାର ପାଇଁ ସଂସଦରେ ଭୋଟ୍ ମାଧ୍ୟମରେ ସମର୍ଥନ ହାସଲ କରିବା ସ୍ୱାଭାବିକ ହେବ। କାରଣ ଗଣନ୍ତ୍ରରେ ବିଧେୟକ ପାରିତ କରିବା ଲାଗି ଆବା୍ୟକ ସଂଖ୍ୟା ଶାସକ ଦଳ ପାଖରେ ରହିଛି। କିନ୍ତୁ ବିଧେୟକ ପାରିତ ହେବା ପରେ ପରିସ୍ଥିତି କିପରି ହେବ? ଯେଉଁ ସମ୍ବେଦନଶୀଳ ପରିସ୍ଥିତି ଉପୁଜିବ ତାହାକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରସ୍ତୁତ ରହିଛନ୍ତି ତ?