Hindi News >>Home >>Odisha National-International

India-Pakistan tension: ଆସନ୍ନ ଯୁଦ୍ଧ! କାହା ବଳରେ ବଳୀୟାନ ହେଉଛି ପାକିସ୍ତାନ

India-Pakistan tension: ପହଲଗାମ୍‍ ଗଣହତ୍ୟା ପରେ ପାକିସ୍ତାନ ସହ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଏ ବାବଦରେ ସୂଚନା ଦେଇଛନ୍ତି। ଦେଶର ପ୍ରତିକୋଣରୁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ପ୍ରତିଶୃତି ବି ମିଳିଛି। 

Advertisement
ଆସନ୍ନ ଯୁଦ୍ଧ! କାହା ବଳରେ ବଳୀୟାନ ହେଉଛି ପାକିସ୍ତାନ
ଆସନ୍ନ ଯୁଦ୍ଧ! କାହା ବଳରେ ବଳୀୟାନ ହେଉଛି ପାକିସ୍ତାନ
Jagdish Barik|Updated: Apr 25, 2025, 02:39 PM IST
Share

India-Pakistan tension: ପହଲଗାମ୍‍ ଗଣହତ୍ୟା ପରେ ପାକିସ୍ତାନ ସହ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ଏ ବାବଦରେ ସୂଚନା ଦେଇଛନ୍ତି। ଦେଶର ପ୍ରତିକୋଣରୁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ପ୍ରତିଶୃତି ବି ମିଳିଛି। ରାଷ୍ଟ୍ରପତିଙ୍କୁ ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଭେଟିବା ନିଶ୍ଚିତ ଭାବେ ଯୁଦ୍ଧର ଆଭାସ ଦେଉଛି। କିନ୍ତୁ ଏ ଯୁଦ୍ଧ କେମିତି ହେବ। ସୈନ୍ୟ, ଗୁଳିଭୋଳାର ଯୁଦ୍ଧ ହେବ ନା ଅର୍ଥନୀତିକ। ପାକିସ୍ତାନକୁ କେମିତି ତଳିତଳାନ୍ତ କରିବ ଭାରତ। 

ପାକିସ୍ତାନ:
ପାକିସ୍ତାନ ଜନ୍ମରୁ ହିଁ ଭାରତ ସହ ଯୁଦ୍ଧ କରି ଆସୁଛି। ଏ ଭିତରେ ଭାରତ ସହ ୪ଟି ଯୁଦ୍ଧ ଲଢ଼ିଛି ପାକିସ୍ତାନ। ପ୍ରଥମ ଯୁଦ୍ଧ ଜମ୍ମୁ କଶ୍ମୀର ରାଜ୍ୟକୁ ନେଇ। ଦ୍ୱିତୀୟ ଯୁଦ୍ଧ ୧୯୬୫ରେ ସୀମାକୁ ନେଇ। ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରମ ଏବଂ ଚତୁର୍ଥରେ ୧୯୯୯ କାର୍ଗିଲ୍‍ ଯୁଦ୍ଧ। ଏ ସବୁ ଯୁଦ୍ଧରେ ଗୋଟିଏ ଜିନିଷ ସ୍ପଷ୍ଟ। ତାହା ହେଲା, ପାକିସ୍ତାନର ହାର୍‍। ତଥାପି ଆଉ ଏକ ଯୁଦ୍ଧର ଆଶଙ୍କା, ଏକ ନୂଆ ପ୍ରସଙ୍ଗକୁ ନେଇ। ଏଥର ସୀମାରେଖା ବା କଶ୍ମୀର ମୂଳ ପ୍ରସଙ୍ଗ ନୁହେଁ, ଏଥର ପ୍ରସଙ୍ଗ ହିନ୍ଦୁଙ୍କୁ ମୁସଲମାନଙ୍କ ଶତ୍ରୁ ବୋଲି ବିଚାର କରିବା। ଆଉ ଏ ଚିନ୍ତାଧାରା ପଛରେ ରହିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସୀମ ମୁନିର। 
କିଛିଦିନ ତଳେ ଏପ୍ରିଲ ୧୬ ତାରିଖରେ ମୁନିର ଏକ ବୟାନ ଦେଇଥିଲେ। ଏଥିରେ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ସେ ଉଲ୍ଲେଖ କରିଥିଲେ। କାହିଁକି ଭାରତ ଦୁଇଟି ରାଷ୍ଟ୍ରରେ ବିଭକ୍ତ ହେଲା ତାହା ହେଲା ଜିନ୍ନାଙ୍କ ଦୁଇ ରାଷ୍ଟ୍ର ତତ୍ତ୍ୱ। ଏହାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆମ ପୂର୍ବପୁରୁଷ ଜାଣିଥିଲେ ଯେ ଆମେ ହିନ୍ଦୁଙ୍କଠାରୁ ଭିନ୍ନ। ଆମର ଜୀବନଶୈଳୀ ତାଙ୍କଠାରୁ ସବୁ କ୍ଷେତ୍ରରେ ଅଲଗା। ଆମ ଧର୍ମ ଅଲଗା। ଆମ ପରମ୍ପରା, ପ୍ରଥା ସବୁକିଛି ଅଲଗା । ଆଉ ଏହା ହେଉଛି ଦୁଇ ରାଷ୍ଟ୍ର ତତ୍ତ୍ୱର ମୂଳାଧାର। ପାକିସ୍ତାନର ସେନାମୁଖ୍ୟମାନେ ଭାରତ ବିରୋଧୀ ମନ୍ତବ୍ୟ ରଖିବା କିଛି ନୂଆ କଥା ନୁହେଁ, କିନ୍ତୁ ହିନ୍ଦୁ-ବିରୋଧୀ ମତ ରଖିବା ଏହି ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଆଉ ଏହି ମନ୍ତବ୍ୟର ୭ ଦିନ ଭିତରେ ପହଲଗାମରେ ୨୬ ଜଣ ହିନ୍ଦୁଙ୍କୁ ବର୍ବରତାର ସହ ମାରିଛନ୍ତି ମୌଳବାଦୀ ଉଗ୍ରପନ୍ଥୀ। ଆଉ ଏ ଉଗ୍ରପନ୍ଥୀଙ୍କ ପଛରେ ରହିଛି ପାକିସ୍ତାନ ସରକାରଙ୍କ ପ୍ରୋତ୍ସାହନ। 

ଧର୍ମ ନାଁରେ ଯୁଦ୍ଧ ରଚନା କରିଥିବା ପାକିସ୍ତାନକୁ ଶକ୍ତି କିଏ ଦେଉଛି। ଏ ବାବଦରେ ଜାଣିବା ପାଇଁ ପାକିସ୍ତାନରେ ନିକଟରେ ହୋଇଥିବା ଓଆଇସି ତଥା ଇସ୍‍ଲାମ୍‍ ସହଯୋଗୀ ସଂଗଠନର ୪୮ତମ ବୈଠକ । ୫୭ଟି ମୁସଲମାନ ଦେଶ ଏହାର ସଦସ୍ୟ। ଏହି ଦେଶଙ୍କ ଶକ୍ତିରେ ପାକିସ୍ତାନ ବଳୀୟାନ ଦେଖାଉଛି କି? ଅତୀତର ଉଦାହରଣ କିନ୍ତୁ ପାକିସ୍ତାନର ଏହି ଦମ୍ଭରେ ଶକ୍ତି ଦିଏ ନାହିଁ। ଯେଉଁଦିନ ଭାରତରେ ଗଣହତ୍ୟା ରଚାଯାଇଥିଲା ସେଦିନ ଓଆଇସିର ଅନ୍ୟତମ ମୂଳପୀଣ୍ଡ ୟୁଏଇରେ ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ। ୟୁଏଇର ରାଷ୍ଟ୍ରୀୟ ବିମାନ  ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକାଶ ମାର୍ଗରେ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ। ସେହି ୟୁଏଇ ଓଆଇସିର ୪୬ତମ ବୈଠକରେ ଭାରତର ତତ୍‍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନିମନ୍ତ୍ରଣ କରିଥିଲା। ଆଉ ଏହାକୁ ବିରୋଧ କରି ପାକିସ୍ତାନ ଏହି ବୈଠକକୁ ବର୍ଜନ କରିଥିଲା। ଏହା ପ୍ରମାଣ କରୁଛି ଯେ ଭାରତ ଓଆଇସି ରାଷ୍ଟ୍ରଗୁଡ଼ିକ ସହ ସର୍ବଦା ଭଲ ସମ୍ପର୍କ ରକ୍ଷା କରିଛି। ପୁଣି ପାକିସ୍ତାନ ପ୍ରସଙ୍ଗକୁ ନେଇ ଯେତେଥର ଓଆଇସିକୁ ପାକିସ୍ତାନ  ଭାରତ ବିରୁଦ୍ଧରେ ଯାଇଛି ସବୁବେଳେ ବିଫଳ ହୋଇଛି। ଏଥର କିନ୍ତୁ ଧର୍ମକୁ ପ୍ରସଙ୍ଗ କରିଛି- କଶ୍ମୀରକୁ ନୁହେଁ। 

ବିଶ୍ୱର ଏକମାତ୍ର ହିନ୍ଦୁ ବହୁଳ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଉଛି ଭାରତ। ବିକାଶକୁ ରାଷ୍ଟ୍ରଗଠନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିବା ଭାରତ ଆଜି ପାକିସ୍ତାନଠାରୁ ଅନେକ ଆଗରେ। ବିଜ୍ଞାନ, ଯୋଗାଯୋଗ, ଅର୍ଥନୀତି ହେଉ ଅବା ପ୍ରତିରକ୍ଷା ଅଥବା ମାନବ ସମ୍ବଳ ବିକାଶ ହାର- କୌଣସି କ୍ଷେତ୍ରରେ  ଭାରତର ସମକକ୍ଷ ହେବାର ଯୋଗ୍ୟତା ରଖି ନାହିଁ।  ତଥାପି ଭାରତ ବିରୁଦ୍ଧରେ ଯୁଦ୍ଧ ଉସକାଇବା ଏହାର ନେତୃତ୍ୱଙ୍କ ଚରିତ୍ରକୁ ସ୍ପଷ୍ଟ କରୁଛି।  ଭାରତରୁ ପାଣି ନେଲେ ପାକିସ୍ତାନରେ ଚାଷ ହେବ ବୋଲି ଜାଣିଛି ପାକିସ୍ତାନ। ସେଥିପାଇଁ ଯେତେବଳେ କୂଟନୀତିକ ସ୍ତରରେ ଭାରତ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରୁଛି ସେତେବଳେ ଏହାକୁ ଯୁଦ୍ଧ ସହ ତୁଳନା କରୁଛି ପାକିସ୍ତାନ। ଏହା ପ୍ରତ୍ୟକ୍ଷ ଯୁଦ୍ଧ ନୁହେଁ, କିନ୍ତୁ ଯେମିତି  ବାଣିଜ୍ୟ ଓ ଯୋଗାଯୋଗ ବନ୍ଦ କରି ଭାରତ ପାକିସ୍ତାନ ସରକାର ଉପରେ ଚାପ ପ୍ରୟୋଗ ରିବାରେ ସଫଳ ହୋଇଛି ଠିକ୍ ସେମିତି ଅର୍ଥନୀତିକୁ ତଳି ତଳାନ୍ତ କରିବାରେ ସିନ୍ଧୁ ଚୁକ୍ତି ପ୍ରତିପାଦିତ ହେବ। ଅପରପକ୍ଷେ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରି କଶ୍ମୀରର ଚାଷ ଜମିକୁ ଜଳ ସେଚନ କରି ଅଧିକ ଅମଳ କରିବା ସମ୍ଭବ ହେବ। ଏହା ଭାରତର ଅର୍ଥନୀତିକୁ ଆହୁରି ମଜଭୁତ କରିବ। ଭାରତର ତୃତୀୟ ବୃହତ୍‍ ଅର୍ଥ ବ୍ୟବସ୍ଥା ଆଡ଼କୁ ଯାତ୍ରା ସୁଗମ ହେବ। 

ଏହାର ଜବାବ କେବେ ସିମଲା ଚୁକ୍ତି ରଦ୍ଦ ହୋଇ ନପାରେ। କାରଣ  ଶିମ୍‍ଲା ଚୁକ୍ତି ଦୁଇ ଦେଶ ଭିତରେ ଶାନ୍ତି ସ୍ଥାପନ ପାଇଁ ସୀମା ନିର୍ଦ୍ଧାରଣର ଏକ ରାଜିନାମା। ଏଥିରେ କୌଣସି ଦେଶ ସୀମା ଉଲ୍ଲଂଘନ ନକରିବା, ସୀମାପାର କାରବାରରେ ହସ୍ତକ୍ଷେପ ନକରିବା ପ୍ରଭୃତି ଉଲ୍ଲେଖ କରେ। କିନ୍ତୁ ପାକିସ୍ତାନର ଆଚରଣ ଓ ଉଚ୍ଚାରଣ ଦେଖିଲେ ଏ ଚୁକ୍ତି ଅନେକ ଦିନ ଧରି ପରୋକ୍ଷ ଭାବେ ଉଲ୍ଲଂଘନ ହୋଇ ଆସୁଛି। ଏ ବିଷୟରେ ଭାରତ ମଧ୍‍ୟ ପୂର୍ବରୁ ବୟାନ ରଖିଛି।  ଏଣୁ ଏହି ଚୁକ୍ତି ବାତିଲ ଭାରତ ଉପରେ କିଛି ପ୍ରଭାବ ପକାଇବ ନାହିଁ। ବରଂ ପାକିସ୍ତାନର ଏଭଳି ଆଚରଣକୁ ଜବାବ ଦେବା ଲାଗି ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ହେବ। ଯେଉଁଭଳି ଭାବେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଜମ୍ମୁ କଶ୍ମୀରରେ ସୁରକ୍ଷାକୁ କଡ଼ାକଡ଼ି କରିଥିଲା ତାହାକୁ ଆଉ କିଛି ବର୍ଷ ରକ୍ଷା କରିବାକୁ ପଡ଼ିବ। ସେଠାର ଲୋକଙ୍କ ମନରେ ଲୋକତନ୍ତ୍ର ପ୍ରତି ଆସ୍ଥା ବୃଦ୍ଧି କରିବାକୁ ହେବ। ଏସବୁରେ ମୋଦୀ ସରକାର ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ କରୁଛନ୍ତି। 

ଅର୍ଥାତ୍‍ ଭାରତ ସୀମାନ୍ତରରେ ପ୍ରତ୍ୟକ୍ଷ ଯୁଦ୍ଧ କରି ସମୟ ଏବଂ ଅର୍ଥ ଖର୍ଚ୍ଚ କରିବାକୁ କେବେ ଚାହିଁବ ନାହିଁ। ବରଂ ଏକ ପରିପକ୍ୱ ଗଣତନ୍ତ୍ର ଭାବେ ଭାରତ ନିଜର ଅର୍ଥନୀତିକ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖିବ।  ପାକିସ୍ତାନକୁ ଅର୍ଥନୀତିକ ପଙ୍ଗୁ କରିବାକୁ ଚାହିଁବ ଭାରତ। ଅର୍ଥାତ୍‍ ଆଗକୁ ଏପରି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିବ ଯେଉଁଥିରେ ପାକିସ୍ତାନ ଏକଘରକିଆ ହେବାକୁ ବାଧ୍ୟ ହେବ।

Read More
{}{}