Pahalgam Terror Attack: ନୂଆଦିଲ୍ଲୀ: ନିଜର ସାଉଦୀ ଗସ୍ତକୁ ଅଧାରୁ ବାତିଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ସ୍ୱଦେଶ ଫେରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ଗସ୍ତକୁ ଛୋଟ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ପରେ ରାତ୍ରୀଭୋଜନରେ ଯୋଗ ଦେଇ ନଥିଲେ। ମଧ୍ୟରାତ୍ରି ପରେ ପ୍ରାୟ ୨ଟା ବେଳେ ପ୍ରଧାନମନ୍ତ୍ରୀ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଉପସାଗରୀୟ ଦେଶକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମାପ୍ତ କରିବା ପରେ ବୁଧବାର ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ମଧ୍ୟ ଡକାଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପାହାଲଗାମରେ ଆତଙ୍କୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୭ ଜଣ ପର୍ଯ୍ୟଟକଙ୍କ ଜାବନହାନୀ ହୋଇଥିଲା।
ସରକାରୀ ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ଭାରତ ଅଭିମୁଖେ ଉଡ଼ାଣ ଭରିସାରିଛନ୍ତି। ତାଙ୍କର ସାଉଦି ଆରବ ଗସ୍ତ ଅଧାରୁ ବାତିଲ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏବଂ ସାଉଦି ଆରବ ରାଷ୍ଟ୍ରଦୂତ ସୁହେଲ ଅଜାଜ ଖାନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେଶକୁ ଫେରିବା ସମ୍ପର୍କରେ ସୂଚନା ଦେଇଥିଲେ।
ସେପଟେ ମଙ୍ଗଳବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗରରେ ପହଞ୍ଚିବା ପରେ, ପହଲଗାମର ବୈସାରନରେ ଆତଙ୍କବାଦୀ ଆକ୍ରମଣ ପରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ। ଆକ୍ରମଣର ଦୋଷୀମାନଙ୍କୁ ଯଥାଶୀଘ୍ର ଆଇନ ଅନୁଯାୟୀ ଦଣ୍ଡିତ କରିବା ନିଶ୍ଚିତ କରିବାକୁ ସେ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ, ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ନଲିନ ପ୍ରଭାତଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ ଏବଂ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ବୁଧବାର ପହଲଗାମ ଏବଂ ବୈସାରନ ଗସ୍ତ କରିବେ। ଯଦି ପରିସ୍ଥିତି ଅନୁକୂଳ ହୁଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ପହଞ୍ଚିବା ପରେ ଶ୍ରୀନଗର ଗସ୍ତରେ ଯାଇପାରନ୍ତି। ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମୀକ୍ଷା ବୈଠକରେ ପୋଲିସ, ସିଆରପିଏଫ, ବିଏସଏଫ, ସେନା, ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।
ସହାୟତାର ହାତ ବଢାଇଲା ସାଉଦୀ
ସୁହେଲ ଅଜାଜ ଖାନ କହିଛନ୍ତି ଯେ, କାଶ୍ମୀରରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସାଉଦି ଯୁବରାଜଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯୁବରାଜ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଏହି କ୍ଷେତ୍ରରେ ଭାରତକୁ ସମସ୍ତ ପ୍ରକାରର ସାହାଯ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଭାରତ ଏବଂ ସାଉଦି ଆରବ ଆତଙ୍କବାଦ ସମ୍ବନ୍ଧୀୟ ପ୍ରସଙ୍ଗରେ ସହଯୋଗ କରନ୍ତି ଏବଂ ଆମେ ଏକାଠି କାମ କରିବା ଜାରି ରଖିବୁ।
ଉଲ୍ଲେଖନୀୟ ଯେ ଗୃହମନ୍ତ୍ରୀ ଅମିତ ଶାହ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ସମସ୍ତ ଏଜେନ୍ସି ସହିତ ଏକ ଜରୁରୀ ସୁରକ୍ଷା ସମୀକ୍ଷା ବୈଠକ ପାଇଁ ଶାହ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଥିଲେ। ଅଧିକାରୀଙ୍କ ଅନୁଯାୟୀ, ଶାହ ବୁଧବାର ସକାଳେ ପହଲଗାମ ଯାଇପାରନ୍ତି।