PM Modi meets Maldives Presidents: କିଛିଦିନ ତଳେ ତିକ୍ତ ହୋଇଥିବା ଭାରତ-ମାଳଦୀପ ସମ୍ପର୍କ ପୁଣିଥରେ ପୁରୁଣା ରାସ୍ତାକୁ ଫେରୁଛି। ଏହିକ୍ରମରେ ମାଳଦୀପର ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ମାଳଦୀପରେ ଚାଲିଥିବା ଆର୍ଥିକ ଦୂରାବସ୍ଥାକୁ ସୁଧାରିବା ଲାଗି ଭାରତ ରାଜି ହୋଇଥିବା ବେଳେ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ମାଳଦୀପ ଭାରତର ସର୍ତ୍ତରେ ମଧ୍ୟ ରାଜି ଥିବା ପ୍ରକାଶ କରିଛି। କୌଣସି ମୁହୂର୍ତ୍ତରେ ମାଳଦୀପ ଭୂଇଁକୁ ଭାରତର ସ୍ୱାର୍ଥ ବିରୋଧୀ କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ସ୍ପଷ୍ଟ କରିଛନ୍ତି।
ଆଜି ମାଳଦୀପ ସହ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ ଭାରତ ୨ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ଏହା ସହ ମୁଦ୍ର ଅଦଳବଦଳ ଚୁକ୍ତି ମଧ୍ୟ ସ୍ୱାକ୍ଷର କରି ୩୩୬୦ କୋଟି ଟଙ୍କାର କ୍ଷମତା ପ୍ରଦାନ କରିଛି। ଏହାଦ୍ୱାରା ନିଜ ନିଜ ଦେଶରେ ନିଜ ନିଜ ମୁଦ୍ରାରେ କାରବାର ସମ୍ଭବ ହେବ।
ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ ପୁରୁଣା। ଆହୁରି ଭାରତ ମାଳଦ୍ୱୀପର ସବୁଠୁ ନିକଟତମ ପଡ଼ୋଶୀ ଏବଂ ଘନିଷ୍ଠ ବନ୍ଧୁ ରାଷ୍ଟ୍ର। ଆମର ‘‘ପଡ଼ୋଶୀ ପ୍ରଥମ’’ ନୀତି ଏବଂ ‘‘ସାଗର’’ ଭିଜନରେ ମାଳଦ୍ୱୀପର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଭାରତ ସବୁବେଳେ ମାଳଦ୍ୱୀପ ପାଇଁ ପ୍ରଥମ ସହାୟତାକାରୀ ଭୂମିକା ନିର୍ବାହ କରିଛି ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଶ୍ରୀ ମୋଦୀ ମିଡିଆ ବାର୍ତ୍ତାରେ କହିଛନ୍ତି, ମାଳଦ୍ୱୀପର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପୂରଣ କରିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପିଇବା ପାଣି ଯୋଗାଣ, କୋଭିଡ ସମୟରେ ଟିକା ଯୋଗାଇ ଦେବା ପ୍ରଭୃତି କ୍ଷେତ୍ରରେ ରତ ସବୁବେଳେ ନିଜ ପଡ଼ୋଶୀ ହେବାର ଦାୟିତ୍ୱ ନିର୍ବାହ କରିଛି। ଆଉ ଆଜି ଆମେ ଆପୋସ ସହଯୋଗକୁ ରଣନୀତିକ ମାର୍ଗ ଦେବା ଲାଗି, ବିସ୍ତୃତ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ’ ସଂକଳ୍ପ ଆପଣାଇଛୁ।
ବିକାଶମୂଳକ ଭାଗିଦାରୀ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଆଉ ଆମେ, ଏଥିରେ ସବୁବେଳେ ମାଳଦ୍ୱୀପର ଲୋକଙ୍କ ପ୍ରାଥମିକତାକୁ ଅଗ୍ରାଧିକାର ଦେଇଛୁ। ଚଳିତ ବର୍ଷ ଏସବିଆଇ ମାଳଦ୍ୱୀପର ୧୦୦ ନିୟୁତ ଡଲାର ‘ଟ୍ରେଜରୀ ବିଲ୍ସ’କୁ ରୋଲ ଓଭର୍ କରିଛି। ଆଜି ମାଳଦ୍ୱୀପର ଆବଶ୍ୟକତା ଅନୁସାରେ, ୪୦୦ ନିୟୁତ ଡଲାର ଏବଂ ତିନି ହଜାର କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ମଧ୍ୟ ସମ୍ପାଦିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ମାଳଦ୍ୱୀପରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହଯୋଗ ବିଷୟରେ ଆମେ ଆଲୋଚନା କରିଛୁ । ଏ ଭିତରେ ଭାରତର ସହଯୋଗରେ ମାଳଦୀପରେ ପୁନର୍ବିକଶିତ ହନିମାଧୁ ବିମାନବନ୍ଦରକୁ ଉଦଘାଟନ କରାଯାଇଛି। ଗ୍ରେଟର୍ ମାଲେ ଯୋଗାଯୋଗ ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରାଯିବା ସହ ଥିଲାଫୁଶୀରେ ନୂଆ ବାଣିଜ୍ୟିକ ବନ୍ଦର ବିକାଶରେ ମଧ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭାରତ କହିଛି।
ଭାରତ ସହଯୋଗରେ ନିର୍ମିତ ୭୦୦ରୁ ଅଧିକ ସାମାଜିକ ଆବାସ ୟୁନିଟକୁ ମାଳଦୀପର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାଳଦ୍ୱୀପର ୨୮ଟି ଦ୍ୱୀପରେ ଜଳ ଏବଂ ସ୍ୱେରେଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ୬ଟି ଦ୍ୱୀପର କାମ ମଧ୍ୟ ଖୁବ୍ ଶୀଘ୍ର ଶେଷ ହେବ। ଏହି ପ୍ରକଳ୍ପଗୁଡ଼ିକ ୩୦,୦୦୦ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ସୁନିଶ୍ଚିତ କରିବ।
‘‘ହା ଡାଲୁ’’ରେ କୃଷି ଆର୍ଥିକ ଅଞ୍ଚଳ ପ୍ରତିଷ୍ଠା ଏବଂ ‘‘ହା ଆଲିଫୁ’’ରେ ମାଛ ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ତଥା ଓଶିନୋ-ଗ୍ରାଫି ଓ ନୀଳ ଅର୍ଥବ୍ୟବସ୍ଥାରେ ମଧ୍ୟ ଆମେ ସାଥୀ ହୋଇ କାମ କରିବେ ବୋଲି ଦୁଇ ରାଷ୍ଟ୍ର ମିଳିତ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବା ସହ ଆର୍ଥିକ ବିକାଶ ପାଇଁ ଦୁଇ ରାଷ୍ଟ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଳୋଚନା କରି ଏକମତ ହୋଇଛନ୍ତି। ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ବୁଝାମଣା ସହ ଡିଜିଟାଲ କାରବାରକୁ ଗୁରୁତ୍ୱ ଦିଆଯାଇଛି। କିଛି ଦିନ ପୂର୍ବରୁ ମାଳଦ୍ୱୀପରେ ରୁପେ କାର୍ଡ ଶୁଭାରମ୍ଭ କରାଯାଇଛି। ଆଗକୁ ଭାରତ ଓ ମାଳଦ୍ୱୀପକୁ ମଧ୍ୟ ୟୁପିଆଇ କାରବାରରେ ଯୋଡ଼ିବାକୁ ଉଦ୍ୟମ କରାଯିବ ବୋଲି ଏଥିରେ ସୂଚନା ଦିଆଯାଇଛି। ଏହା ସହ ବାଣିଜ୍ୟିକ କାରବାରକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ଦୁଇ ଦେଶରେ ପରସ୍ପରର ନୂଆ ବାଣିଜ୍ୟିକ ଦୂତାବାସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ମାଳଦ୍ବୀପର ‘‘ଆଡ୍ଡୁ’’ ରେ ଏକ ନୂତନ ଭାରତୀୟ ଦୂତାବାସ ଏବଂ ବେଙ୍ଗାଲୁରୁରେ ମାଳଦ୍ୱୀପର ଏକ ନୂତନ ଦୂତାବାସ ଖୋଲିବା ଉପରେ ମଧ୍ୟ ଆମେ ଆଲୋଚନା ହୋଇଛି। ।
ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗର ବିଭିନ୍ନ ଦିଗ ଉପରେ ଆମେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏକତା ହାର୍ବର ପ୍ରକଳ୍ପ କାମ ଦ୍ରୁତ ଗତିରେ ଚାଲିଥିବା ନେଇ ସୂଚନା ଦେଇଛି ମିଳିତ ବିବୃତ୍ତି। ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶରେ ଭାରତର ସହଯୋଗ ଜାରି ରହିବ। ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା ଏବଂ ସମୃଦ୍ଧି ପାଇଁ ଦୁଇ ଦେଶ ଏକାଠି କାମ କରିବେ । ଜଳ ବିଜ୍ଞାନ ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ। କଲମ୍ବୋ ସୁରକ୍ଷା ସମ୍ମିଳନୀରେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଯୋଗ ଦେବା ପାଇଁ ମାଳଦ୍ୱୀପକୁ ସ୍ୱାଗତ କରିଛି ଭାରତ।