PM Modi high level meeting: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ୍ ଅନିଲ ଚୌହାନଙ୍କ ସମେତ ତିନି ସେନାର ମୁଖ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେନାକୁ ସ୍ୱାଧୀନତା ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା ।
ସୂଚନା ଅନୁଯାୟୀ, ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦକୁ କଡ଼ା ଟକ୍କର ଦେବା ଆମର ଜାତୀୟ ସଂକଳ୍ପ। ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଏବଂ ଆସ୍ଥା ଅଛି ବୋଲି ପିଏମ ମୋଦୀ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଥିଲେ ଯେ, ଆମର ପ୍ରତିକ୍ରିୟାର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ସ୍ଥିର କରିବା ପାଇଁ ୩ ସେନା ପାଖରେ ସ୍ୱାଧୀନତା ଅଛି।
ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଏବଂ ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ ଉପସ୍ଥିତ ଥିଲେ। ପହଲଗାମ୍ ଆକ୍ରମଣ ପରେ ସୁରକ୍ଷା ପରିସ୍ଥିତି, ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ଏବଂ ଭବିଷ୍ୟତ ରଣନୀତି ଉପରେ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିବା ଜଣାପଡିଛି ।
ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ବୈଠକର ଗୋଟିଏ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ପୂର୍ବରୁ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ଏହାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଆକ୍ରମଣ ପରେ, ଉପତ୍ୟକାରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ମଧ୍ୟ ଖୋଜା ଚାଲିଛି। ସୁରକ୍ଷା ବାହିନୀର ଯବାନମାନେ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ କରୁଛନ୍ତି। ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି ବୋଲି ଅନେକ ମତ ପ୍ରକାଶ ପାଇଛି । ଫଳରେ ଭାରତ ସରକାର ପାକିସ୍ତାନ ଉପରେ ଅନେକ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।
ପହଲଗାମ ଆକ୍ରମଣ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ କମିଟି (CCS) ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ବଡ଼ ଯୁଦ୍ଧ ହୋଇଥିଲେ ମଧ୍ୟ ପୂର୍ବରୁ କେବେ ଏହା ସ୍ଥଗିତ ହୋଇନଥିଲା । କ୍ୟାବିନେଟ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ, ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, 1960 ର ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନକରିବ ସେପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି କୁହାଯାଇଥିଲା ।
Also Read- Liver Health: ଏହି ଭିଟାମିନର ଅଭାବରେ ଖରାପ ହୁଏ ଲିଭର, ତେଣୁ ବେଳରୁ ସାବଧାନ !
Also Read- ସ୍ବତନ୍ତ୍ର ଅଧିବେଶନ ପାଇଁ କେନ୍ଦ୍ରରେ ମୋଦୀଙ୍କୁ ରାହୁଲଙ୍କ ଚିଠି, ରାଜ୍ୟରେ ବାଚସ୍ପତିଙ୍କୁ କଂଗ୍ରେସର ପ୍ରସ୍ତାବ