ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସୁପ୍ରିମ୍ କୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଛନ୍ତି। ଏସବୁ ପ୍ରଶ୍ନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ କ୍ଷମତା ବାବଦରେ ସମ୍ବିଧାନର ବ୍ୟବସ୍ଥାକୁ ଅନୁଶୀଳନ ଲାଗି କହିଛନ୍ତି ରାଷ୍ଟ୍ରପତି। ଏପ୍ରିଲ-୮ ତାରିଖରେ ସୁପ୍ରିମକୋର୍ଟ କୌଣସି ବିଧେୟକକୁ ଅନୁମୋଦନ ଦେବା ଲାଗି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସମୟସୀମା ନିର୍ଦ୍ଧାରଣ ଲାଗି ରାୟ ଦେଇଥିଲେ କୋର୍ଟ। ଏହି ରାୟକୁ ଅନୁଶୀଳନ କରି ରାଷ୍ଟ୍ରପତି ଏକ ଶକ୍ତ ଜବାବ ଦେଇଛନ୍ତି। ଏହାସହ ଏହି ରାୟର ସାମ୍ବିଧାନିକ ବୈଧତା ସମ୍ପର୍କରେ ମଧ୍ୟ ପ୍ରଶ୍ନ କରିଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୨୦୦, ୨୦୧, ୧୪୨, ୧୪୩, ୩୬୧, ଏବଂ ୧୩୧ ସହିତ ଏହି ସବୁ ପ୍ରଶ୍ନ ଜଡ଼ିତ। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ କ୍ଷମତା ଏବଂ ରାଜ୍ୟ ବିଧାନସଭା ଦ୍ୱାରା ପାରିତ ବିଲ୍ଗୁଡ଼ିକର ଅନୁମୋଦନ ସମୟସୀମା ଉପରେ କେନ୍ଦ୍ରିତ। ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ମୁର୍ମୁଙ୍କ ଏହି ପ୍ରଶ୍ନଗୁଚ୍ଛ ଉପରେ, ଯାହା ଆଗକୁ ନ୍ୟାୟିକ ତର୍ଜମା ଲାଗି ବାଟ ଖୋଲିବ:
୧. ସମ୍ବିଧାନର ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ପାଖରେ କୌଣସି ବିଲ୍ ଉପସ୍ଥାପନ କରାଗଲେ ଥିବା ସାମ୍ବିଧାନିକ ବିକଳ୍ପଗୁଡ଼ିକ କ’ଣ?
୨. ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳ ଏହି ବିକଳ୍ପଗୁଡ଼ିକୁ ବ୍ୟବହାର କରିବା ପାଇଁ ମନ୍ତ୍ରୀ ପରିଷଦର ପରାମର୍ଶରେ ସହମତ ହେବାକୁ ବାଧ୍ୟ କି?
୩. ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା ବ୍ୟବହାର କ’ଣ ନ୍ୟାୟିକ ପରୀକ୍ଷା ଯୋଗ୍ୟ?
୪. ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁସାରେ ରାଜ୍ୟପାଳ ଅନୁଚ୍ଛେଦ ୨୦୦ ଅଧୀନରେ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ନ୍ୟାୟିକ ପରୀକ୍ଷଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି କି?
୫. ସାମ୍ବିଧାନିକ ସମୟସୀମା ନଥିଲେ ମଧ୍ୟ ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ସମସ୍ତ କ୍ଷମତା ବ୍ୟବହାର ପାଇଁ ସମୟସୀମା ନିର୍ଦ୍ଧାରଣ ଲାଗି ନ୍ୟାୟାଳୟ ନିର୍ଦ୍ଦେଶ କରାଯାଇପାରିବେ କି?
୬. ସମ୍ବିଧାନର ଅନୁଚ୍ଛେଦ ୨୦୧ ଅଧୀନରେ ରାଷ୍ଟ୍ରପତିଙ୍କ ସାମ୍ବିଧାନିକ କ୍ଷମତାର ବ୍ୟବହାର କ’ଣ ନ୍ୟାୟିକ ପରୀକ୍ଷଣଯୋଗ୍ୟ?
୭. ସାମ୍ବିଧାନରେ ସମୟସୀମା ବାବଦରେ କୌଣସି ଉଲ୍ଲେଖ ନଥିଲେ ମଧ୍ୟ, ଅନୁଚ୍ଛେଦ ୨୦୧ ଅଧୀନରେ ରାଷ୍ଟ୍ରପତିଙ୍କ କ୍ଷମତା ବ୍ୟବହାର ପାଇଁ ସମୟସୀମା ନିର୍ଦ୍ଧାରଣ ଏବଂ ବ୍ୟବହାର ପ୍ରକ୍ରିୟା ନିର୍ଦ୍ଦେଶ କରାଯାଇପାରିବ କି?
୮. ଧାରା ୧୪୩ ଅନୁସାରେ ରାଜ୍ୟପାଳଙ୍କ ଦ୍ୱାରା ସଂରକ୍ଷିତ କୌଣସି ବିଧେୟକ ବାବଦରେ ନିଷ୍ପତ୍ତି ନେବା ବେଳେ ରାଷ୍ଟ୍ରପତି ସୁପ୍ରିମ କୋର୍ଟଙ୍କ ମତାମତ ମାଗିବାକୁ ବାଧ୍ୟ କି?
୯. ସମ୍ବିଧାନର ଅନୁଚ୍ଛେଦ ୨୦୦ ଏବଂ ୨୦୧ ଅଧୀନରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କ’ଣ ଆଇନ ପ୍ରଣୟନ ପୂର୍ବରୁ ନ୍ୟାୟିକ ପରୀକ୍ଷଣଯୋଗ୍ୟ?
୧୦. ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତାର ବ୍ୟବହାର ଏବଂ ଆଦେଶକୁ କୌଣସି ପ୍ରକାରେ ପ୍ରତିସ୍ଥାପନ କରାଯାଇପାରିବ କି?
୧୧. ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ ଏକ ଆଇନ କ’ଣ ଅନୁଚ୍ଛେଦ ୨୦୦ ଅଧୀନରେ ରାଜ୍ୟପାଳଙ୍କ ଅନୁମୋଦନ ବିନା କାର୍ଯ୍ୟକାରୀ ଆଇନ ହୋଇପାରିବ?
୧୨. ଅନୁଚ୍ଛେଦ ୧୪୫ (୩) ଅନୁସାରେ, ସୁପ୍ରିମ କୋର୍ଟଙ୍କ କୌଣସି ଖଣ୍ଡପୀଠ ଏକ ମାମଲାର ପ୍ରଥମେ ପର୍ଯ୍ୟାପ୍ତ ସାମ୍ବିଧାନିକ ଅନୁଶୀଳନ କରି ପାଞ୍ଚ ଜଣିଆ ଖଣ୍ଡପୀଠକୁ ପାଠାଇବାକୁ ବାଧ୍ୟ ନୁହେଁ କି?
୧୩. ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ କ’ଣ ପ୍ରସିଜ୍ୟୁରାଲ ମାଟର ଗୁଡ଼ିକର ଉର୍ଦ୍ଧ୍ୱକୁ ଯାଇ ପ୍ରଚଳିତ ସମ୍ବିଧାନର ବ୍ୟବସ୍ଥା ବିରୁଦ୍ଧରେ ଯିବା ଲାଗି ସୁପ୍ରିମେକାର୍ଟଙ୍କ କ୍ଷମତା ରହିଛି?
୧୪. ଅନୁଚ୍ଛେଦ ୧୩୧ ବ୍ୟତୀତ ଅନ୍ୟ କୌଣସି ଭାବେ ରାଜ୍ୟ ଓ କେନ୍ଦ୍ର ଭିତରେ ବିବାଦକୁ ସମାଧାନ କରିବା ଲାଗି ସୁପ୍ରିମ କୋର୍ଟଙ୍କୁ ସମ୍ବିଧାନ କ୍ଷମତା ପ୍ରଦାନ କରିଛି କି?
ଏହି ୧୪ଟି ପ୍ରଶ୍ନ ଉଠାଇ ରାଷ୍ଟ୍ରପତି ମୁର୍ମୁ କେନ୍ଦ୍ର ରାଜ୍ୟ ଭିତରେ ସମ୍ପର୍କ, ଏଥିରେ ଆସୁଥିବା ବିବାଦ ଏବଂ ବିବାଦ ସମାଧାନର ରାସ୍ତା ବାବଦରେ ସାମ୍ବିଧାନିକ ତର୍ଜମା ବାବଦରେ ସ୍ପଷ୍ଟତା ଚାହିଁଛନ୍ତି। ଏହାସହ କାର୍ଯ୍ୟ ନିର୍ବାହୀ ଓ ନ୍ୟାୟପାଳିକା ର ସାମ୍ବିଧାନିକ ପରିଧି ବାବଦରେ ସ୍ପଷ୍ଟତା ଚାହିଁଛନ୍ତି। ରାଷ୍ଟ୍ରପତିଙ୍କ ଏହି ପ୍ରଶ୍ନଗୁଚ୍ଛ ଜାତୀୟ ସ୍ୱାର୍ଥରେ ବିଚାରବିଭାଗର ତର୍ଜମାକୁ ଆଶା କରୁଛି।