RG Kar Case: କୋଲକାତା ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ବିରଳରୁ ବିରଳତମ ମାମଲା ନୁହେଁ ବୋଲି କୋର୍ଟ କହିଲେ । ଗତ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସଂଜୟ । ସଞ୍ଜୟକୁ ଆଜୀବନ ସଜା ପରେ ସିଆଲଦା କୋର୍ଟ ବାହାରରେ ଜନଗହଳୀ ବଢିବାରେ ଲାଗିଛି ।
ସୂଚନାଯୋଗ୍ୟ, ୯ ଅଗଷ୍ଟ ୨୦୨୪ରେ କୋଲକାତା ସ୍ଥିତ ଆର.ଜି. କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ନେଇ ଲୋକମାନେ ଦାବି କରିବା ସହ ରାଜରାସ୍ତାକୁ ବାହାରିଥିଲେ । ମମତା ସରକାରଙ୍କ ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଲୋଗାନ ଦିଆଯାଇଥିଲା । ଅନେକ ସ୍ଥାନରେ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଥିଲା, ଏହି ମାମଲାରେ ବିଚାର କରି ସିଆଲଦା କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।
କୋଲକାତାର ସିଆଲଦା କୋର୍ଟରେ ବିଚାରପତି ଅନିର୍ବାଣ ଦାସ ସଞ୍ଜୟ ରାୟଙ୍କ ବିରୋଧରେ ରାୟ ଶୁଣାଇଛନ୍ତି। ବିଚାରପତି କହିଥିଲେ ଯେ, ଆପଣ ଦୋଷୀ ଏବଂ ଆପଣଙ୍କୁ ଦଣ୍ଡ ମିଳିବା ଉଚିତ। ଅଭିଯୁକ୍ତ ସଞ୍ଜୟ ରାୟ କୋର୍ଟରେ ଦାବି କରିଥିଲେ ଯେ ଏହି ଘଟଣାରେ ତାଙ୍କୁ ଫସାଇ ଦିଆଯାଇଛି। ଆଜି (ସୋମବାର) ଦିନ ସଞ୍ଜୟଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା ।
ଆରଜି କର ମାମଲାରେ ମୋଟ ୫୦ ଜଣ ସାକ୍ଷୀ ନିଜ ବୟାନ ରଖିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ମୃତ ମହିଳା ଡାକ୍ତରଙ୍କ ବାପା, ସିବିଆଇ ଏବଂ କୋଲକାତା ପୋଲିସର ତଦନ୍ତକାରୀ ଅଧିକାରୀ, ଫୋରେନସିକ୍ ବିଶେଷଜ୍ଞ ଏବଂ ମୃତକଙ୍କ କିଛି ସହପାଠୀ । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନାର ଅଭିଜିତ ମଣ୍ଡଳଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତାଙ୍କ ବିରୁଦ୍ଧରେ କୌଣସି ଚାର୍ଜସିଟ୍ ଦାଖଲ ନ ହେବାରୁ ତାଙ୍କୁ ଜାମିନ ମିଳିଥିଲା।
ସୂଚନାଯୋଗ୍ୟ, ୧୦ ଅଗଷ୍ଟ, ୨୦୨୪ରେ, କୋଲକାତା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୪ ଘଣ୍ଟା ମଧ୍ୟରେ ଜଣେ ସ୍ୱେଚ୍ଛାସେବୀଙ୍କୁ ଗିରଫ କରିଥିଲା ଏବଂ ଘଟଣାସ୍ଥଳରୁ ଅନେକ ପ୍ରମାଣ ସଂଗ୍ରହ କରିଥିଲା। ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪ ଅଗଷ୍ଟ ୧୧ ତାରିଖରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଗିରଫ ସ୍ୱେଚ୍ଛାସେବକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଇ ସିବିଆଇ କୋର୍ଟରେ ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ୧୪ ଅଗଷ୍ଟ ୨୦୨୪ରେ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲେଡିଜ୍ ନାଇଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ସେହି ରାତିରେ ଆର.ଜି. ହସ୍ପିଟାଲରେ ଭଙ୍ଗାରୁଜା ଘଟଣା ଦେଖିବାକୁ ମିଳିଥିଲା । ୬ ଅକ୍ଟୋବର ୨୦୨୪ରେ, ଆଭ୍ୟନ୍ତରୀଣ ତଦନ୍ତ କମିଟିର ସୁପାରିଶ କ୍ରମେ, ହସ୍ପିଟାଲ ପ୍ରଶାସନ ଯୌନ ନିର୍ଯାତନା, ଧମକ ଏବଂ ଦାଦାବଟି ଆଦାୟ ଅଭିଯୋଗରେ ୧୦ ଜଣ ଡାକ୍ତରଙ୍କ ସମେତ ୫୯ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ। ୧୧ ନଭେମ୍ବର ୨୦୨୪ରେ ମାମଲାର ଚାର୍ଜସିଟ୍ ଆଧାରରେ କୋର୍ଟରେ ଅଭିଯୋଗ ଦାଖଲ ହୋଇଥିଲା ଏବଂ ଶୁଣାଣି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।