Jagdip Dhankhar: ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଦେଶର ରାଜନୈତିକ ମହଲରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ସ୍ବାସ୍ଥ୍ୟଗତ କାରଣକୁ ଆଗକୁ ରଖି ଶ୍ରୀ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ଏହି ଘଟଣା ପରେ ଉପରାଷ୍ଟ୍ରପତି ପଦ ପାଇଁ କ’ଣ ହେବ ତାହା ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ଉପରେ ନଜର ପକାଇବା ନିମ୍ନ ୧୦ଟି ମୁଖ୍ୟ ବିନ୍ଦୁରେ :
ଆଶ୍ଚର୍ଯ୍ୟଜନକ ଇସ୍ତଫା: ୨୦୨୨ ମସିହାରେ ଭାରତର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କ ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି। ଏହା ରାଜନୈତିକ ବିଶ୍ୱରେ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ଗ୍ରହଣ କରାଯାଉଛି। କାରଣ ଅପରାହ୍ନ ୪ଟାରେ ସେ ଉପ ରାଷ୍ଟ୍ରପତି ଭାବେ ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ଏହାସହ ସନ୍ଧ୍ୟାବେଳେ ରାଜ୍ୟସଭା ପକ୍ଷରୁ ଗଠିତ କିଛି କମିଟି ସଦସ୍ୟରେ ସ୍ଥାନୀତ କରିବା ପାଇଁ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କୁ ଭେଟିଥିଲେ।
ସ୍ୱାସ୍ଥ୍ୟଗତ କାରଣ: ଶ୍ରୀ ଧନଖଡ଼ ତାଙ୍କ ଇସ୍ତଫା ପତ୍ରରେ ସ୍ବାସ୍ଥ୍ୟଗତ ସମସ୍ୟାକୁ ମୁଖ୍ୟ କାରଣ ଭାବେ ଉଲ୍ଲେଖ କରିଛନ୍ତି। ତେବେ, ସ୍ବାସ୍ଥ୍ୟ ସମ୍ପର୍କିତ ସଠିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଅବଶ୍ୟ କିଛି ଦିନ ପୂର୍ବେ ସେ ଏମ୍ଓରେ ୭ ଦିନ ରହି ଚିକିତ୍ସିତ ହେଉଥିଲେ। ମାରଚ୍ଚ ମାସରେ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।
ରାଜ୍ୟସଭାରେ ମହାଭିଯୋଗ: ଉପରାଷ୍ଟ୍ରପତି ଭାବେ ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ଥାଆନ୍ତି। ଏହି ସମୟରେ ବିରୋଧୀଙ୍କ ସହ ମତଭେଦ ହୋଇଥାଏ। ଶ୍ରୀ ଧନଖଡ଼ଙ୍କର ମଧ୍ୟ ବିରୋଧୀଙ୍କ ସହ ଅନେକ ମତଭେଦ ହୋଇଛି। ହେଲେ ଜଣେ ଦୃଢମନା, ଅଣ ସାଲିସ ବ୍ୟକ୍ତି ଭାବେ ସେ ପରିଚିତ ହୋଇଛନ୍ତି। ତାଙ୍କ ବିରୋଧରେ ଏକ ବିରଳ ଘଟଣାକ୍ରମରେ ବିରୋଧୀ ଦଳ ପକ୍ଷରୁ ମହାଭିଯୋଗ ଆସିଛି। ହେଲେ ଉପାଧ୍ୟକ୍ଷ ଏହି ଅଭିଯୋଗ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ଶ୍ରୀ ଧନଖଡ଼ଙ୍କ ଇସ୍ତଫା ପରେ ରାଜ୍ୟସଭାର ନେତୃତ୍ୱ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯିବ। ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ତାଲିକାଭୁକ୍ତ ସାଂସଦମାନେ ରାଜ୍ୟସଭା ଚଳାଇବେ।
ନୂଆ ଉପରାଷ୍ଟ୍ରପତି ଚୟନ: ଭାରତୀୟ ସମ୍ବିଧାନ ଅନୁଯାୟୀ, ଉପରାଷ୍ଟ୍ରପତି ପଦଟି ଖାଲି ରହିପାରିବ ନାହିଁ। ସରକାର ଶୀଘ୍ର ଏକ ନୂଆ ଉପରାଷ୍ଟ୍ରପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ଏଥିପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ।
ଚୟନ ପ୍ରକ୍ରିୟା: ଉପରାଷ୍ଟ୍ରପତି ଚୟନ ପାଇଁ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମିଳିତ ଭାବେ ଭୋଟ ଦିଅନ୍ତି। ଏହି ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଗୁରୁତ୍ୱପୂର୍ଣ୍ଣ। ଧାରା ୬୬ ଅନୁସାରେ ଏଥିଲାଗି ସ୍ୱତନ୍ତ୍ର ଇଲେକ୍ଟରାଲ କଲେଜ ଗଠନ ହୁଏ।
ସମ୍ଭାବ୍ୟ ପ୍ରାର୍ଥୀ: ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ତେବେ, ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟରୁ ଜଣେ ବରିଷ୍ଠ ନେତାଙ୍କୁ ଚୟନ କରାଯାଇପାରେ। ଏ ଭିତରେ କଂଗ୍ରେସ ସାଂସଦ ଶଶି ଥରୁର ବିଜେପି ଆଡ଼କୁ ଢଳିବା ମଧ୍ୟ ତାଙ୍କ ନାଁକୁ ଚର୍ଚ୍ଚାକୁ ଆଣୁଛି। ୨୦୨୦ ମସିହାରୁ ରାଜ୍ୟସଭାର ଉପାଧ୍ୟକ୍ଷ ରହିଥିବା ଜନତା ଦଳ ୟୁନାଇଟେଡ୍ ସଦସ୍ୟ ହରିବଂଶ ବି ଏହି ତାଲିକାରେ ରହିପାରନ୍ତି।
ରାଜନୈତିକ ପ୍ରଭାବ: ଶ୍ରୀ ଧନଖଡ଼ଙ୍କ ଇସ୍ତଫା ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ, ବିଶେଷତଃ ଆଗାମୀ ରାଜ୍ୟସଭା ନିର୍ବାଚନ ଓ ଅନ୍ୟାନ୍ୟ ରାଜନୈତିକ ଘଟଣାକୁ ନେଇ।
ସରକାରୀ ପ୍ରତିକ୍ରିୟା: କେନ୍ଦ୍ର ସରକାର ଶ୍ରୀ ଧନଖଡ଼ଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସରକାର ଶୀଘ୍ର ଏକ ନୂଆ ନେତୃତ୍ୱ ଚୟନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବିରୋଧୀ ଦଳର ମତ: ବିରୋଧୀ ଦଳଗୁଡ଼ିକ ଏହି ଇସ୍ତଫାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। କେତେକ ନେତା ଶ୍ରୀ ଧନଖଡ଼ଙ୍କ ନିଷ୍ଠା ଓ ନିଷ୍ପକ୍ଷତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଏହାକୁ ରାଜନୈତିକ ଚାପର ଫଳ ବୋଲି ଅଭିହିତ କରିଛନ୍ତି। ଏହି ଇସ୍ତଫା ପରେ ରାଜ୍ୟସଭାର କାର୍ଯ୍ୟ ଅସ୍ଥାୟୀ ଅଧ୍ୟକ୍ଷଙ୍କ ଅଧୀନରେ ଚାଲିବ। ସରକାର ଶୀଘ୍ର ଏକ ନୂଆ ଉପରାଷ୍ଟ୍ରପତି ଚୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିବ।
ଏହି ଘଟଣା ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟର ସୂଚନା ଦେଇଛି। କାରଣ ଉପରାଷ୍ଟ୍ରପତି ପଦବୀରୁ କାର୍ଯ୍ୟକାଳ ନ ପୂରୁଣୁ ଇସ୍ତଫା ଦେବା ଏକ ବିରଳ ଘଟଣା। ତାଙ୍କ ପୂର୍ବରୁ ଭିଭି ଗିରି ଓ ଭୈରୋଁସିଂ ଶେଖାଓ୍ୱତ ନିଜର ଇସ୍ତଫା ପ୍ରଦାନ କରିଥିଲେ। ୧୯୯୭ ମସିହାରେ ଇସ୍ତଫା ଦେଇଥିବା ଭିଭି ଗିରି ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ। ସେହିପରି ୨୦୦୭ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହୋଇଥିବାରୁ ଶ୍ରୀ ଶେଖାଓ୍ୱତ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ।