Pakistan reaction:
କତାରର ଜେଲରେ ଥିବା ଆଠ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁଦଣ୍ଡକୁ ସେଠାରେ କୋର୍ଟ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତିକୁ ଭାରତର ଲୋକମାନେ ସ୍ୱାଗତ କରିଛନ୍ତି। ପାକିସ୍ତାନର ଲୋକମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନର ଲୋକମାନେ କହିଛନ୍ତି ଯେ ଏତେ ସଂଖ୍ୟକ ଭାରତୀୟ ଆରବ ଦେଶରେ କାମ କରନ୍ତି ଯେ ସେହି ଦେଶମାନେ ଭାରତୀୟ ଓ ଭାରତ ସରକାରଙ୍କ ସହିତ କୌଣସି ପ୍ରକାରର ମୁହାଁମୁହିଁ ହେବା ପରିସ୍ଥିତିରୁ ବଂଚିବାକୁ ଚାହାନ୍ତି । ଏଥି ସହିତ ଅନେକ ପାକିସ୍ତାନୀ ବିଶ୍ୱାସ କରୁଛନ୍ତି ଯେ ଭାରତ ଆରବ ଦେଶଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଛି, ତେଣୁ ଏହି ନିଷ୍ପତ୍ତି ଆସିଛି। ଯଦି ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ପାକିସ୍ତାନର ନାଗରିକ ହୋଇଥାନ୍ତେ, ବୋଧହୁଏ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇନଥାନ୍ତା।
ପାକିସ୍ତାନୀ ୟୁଟ୍ୟୁବର୍ ସୁହେବ ଚୌଧୁରୀ ତାଙ୍କ ୟୁଟ୍ଯୁବ ଚ୍ୟାନେଲ ରିୟଲ ଏଣ୍ଟରଟେନମେଣ୍ଟ ପାଇଁ ଲୋକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କତାରର ନିଷ୍ପତ୍ତିକୁ ସେମାନେ କିପରି ଦେଖୁଛନ୍ତି ବୋଲି ପଚାରିଥିଲେ। ଏହା ଉପରେ ଜାହାଙ୍ଗୀର ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହା ହେଉଛି ଭାରତର କୂଟନୈତିକ ବିଜୟ। ଭାରତ ସରକାର ଯେପରି କତାର ସରକାର ଉପରେ ଚାପ ପକାଇଛନ୍ତି ତାହାର ପରିଣାମ ହେଉଛି ଏହି ବିଜୟ। ଆରବ ଅର୍ଥନୀତି ଭାରତର ଲୋକଙ୍କ ଉପରେ ନିର୍ଭର କରେ। ତେଣୁ ଏହାର ସୁଯୋଗ ନେଇ ଭାରତ ନିଜ ଲୋକଙ୍କୁ ରକ୍ଷା କରିଛି । ଭାରତ ସାମ୍ନାରେ ପାକିସ୍ତାନର କୂଟନୀତି ସମ୍ପୂର୍ଣ୍ଣ ବିଫଳ ହୋଇଛି। ପାକିସ୍ତାନର ବୈଦେଶିକ ନୀତିରେ ଆମକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
'ଆରବ ଦେଶମାନେ ଆମକୁ ଭିକାରୀ ବୋଲି ଭାବନ୍ତି'
କତାରର ନିଷ୍ପତ୍ତି ଉପରେ ବିଲାଲଉଲ୍ଲା ଚୌଧୁରୀ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ଭାରତରେ ସରକାର ପରିବର୍ତ୍ତନର କୌଣସି ପ୍ରଭାବ ତାଙ୍କର ବୈଦେଶିକ ନୀତି ଉପରେ ପଡେନାହିଁ । ସେଠାରେ କଂଗ୍ରେସ ସରକାର ଥାଉ କିମ୍ବା ନରେନ୍ଦ୍ର ମୋଦୀ ସରକାର ଆସୁ,ତାଙ୍କର ବୈଦେଶିକ ନୀତିରେ କିଛି ପରିବର୍ତ୍ତନ ହୁଏ ନାହିଁ। ସେମାନେ କ୍ରମାଗତ ଭାବରେ ଆରବ ଦେଶଗୁଡିକ ସହିତ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ନେହେରୁଙ୍କ ସମୟରୁ ସେମାନଙ୍କର ଏହି ସମ୍ପର୍କ ଚାଲିଆସୁଛି, ଏହି କାରଣରୁ ସେମାନେ କତାରରେ ଏତେ ବଡ ପ୍ରଭାବ ପକାଇବାରେ ସକ୍ଷମ ହୋଇଛନ୍ତି। ପାକିସ୍ତାନରେ କିନ୍ତୁ ଏହାର ଓଲଟା ହୁଏ । ସବୁ ନୂଆ ସରକାର ପୁରୁଣା ସରକାରଙ୍କ ନୀତିକୁ ଘୃଣା କରନ୍ତି ଏବଂ ପୁରୁଣା ସରକାରଙ୍କ ସମସ୍ତ ନୀତି ପରିବର୍ତ୍ତନ କରନ୍ତି,ଯାହାକି ଭାରତରେ ହୁଏ ନାହିଁ ।
ବିଲାଲୁଲ୍ଲା ପାକିସ୍ତାନ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ପାକିସ୍ତାନର ଦୁରଦୃଷ୍ଟି ନାହିଁ। ପାକିସ୍ତାନ ସବୁ କ୍ଷେତ୍ରରେ ପଛରେ ପଡିଛି, ତେଣୁ କିଏ କାହିଁକି ପାକିସ୍ତାନକୁ ଗୁରୁତ୍ୱ ଦେବ? ଆମ ପରି ଭିକାରୀମାନଙ୍କର କୌଣସି ସମ୍ମାନ ନାହିଁ । ଆରବମାନେ ଆମକୁ ଗରିବ ଏବଂ ୟୁରୋପୀୟମାନେ ଆମକୁ ଅନାଥ ବୋଲି ଭାବନ୍ତି । ଆମ ଦେଶର ଯତ୍ନ ନେବାକୁ କେହି ନାହାଁନ୍ତି। ସମସ୍ତ ନେତା କେବଳ ନିଜ ବ୍ୟାଗ ଭର୍ତ୍ତି କରୁଛନ୍ତି। ଇସଲାମିକ ଦେଶ ସହ ଭାରତର ସମ୍ପର୍କ ଉପରେ ସେ କହିଛନ୍ତି ଯେ ଦେଶ ମଧ୍ୟରେ ସମ୍ପର୍କ ଧର୍ମ ଉପରେ ଆଧାରିତ ନୁହେଁ। ସୁବିଧା ଏବଂ ଅସୁବିଧା ଅନୁଯାୟୀ ସମ୍ପର୍କ ସ୍ଥିର ହୁଏ । ଯେତେବେଳେ ଆମ ପାଖରେ କାହାକୁ ଦେବା ପାଇଁ କିଛି ନାହିଁ, ତେବେ ଆରବ ଦେଶମାନେ ଆମକୁ କିପରି ସମ୍ମାନ କରିବେ?