Bharat Jodo Nyay Yatra Pamphlet-Website Launch: ଜାନୁଆରୀ ୧୦ ତାରିଖ ବୁଧବାର କଂଗ୍ରେସ ଏହାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ପାମ୍ପଲେଟ୍ ପ୍ରକାଶ କରିଛି। ଭାରତ ଯୋଡୋ ନ୍ୟାୟ ଯାତ୍ରାର ମାର୍ଗ ଏବଂ ଏହାର ଉଦ୍ଦେଶ୍ୟ ସମ୍ପର୍କରେ କଂଗ୍ରେସ ପକ୍ଷରୁ ପାମ୍ପଲେଟ୍ ମାଧ୍ୟମରେ ଜଣାଇ ଦିଆଯାଇଛି। ଏହି ଅବସରରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ୱେବସାଇଟ୍ ଏବଂ ନ୍ୟାୟ ଯୋଦ୍ଧା କାର୍ଯ୍ୟକ୍ରମ ମଧ୍ୟ ଉନ୍ମୋଚିତ ହୋଇଥିଲା।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଭାରତ ଯୋଡୋ ନ୍ୟାୟ ଲାଗି ଉନ୍ମୋଚିତ ହୋଇଥିବା ୱେବସାଇଟ ମାଧ୍ୟମରେ ଦୈନିକ ଖବର ଉପଲବ୍ଧ ହେବ। ଏପରିକି ଏହି ଯାତ୍ରାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯିବ। ଏହା ବ୍ୟତୀତ ଯେଉଁମାନେ ଯାତ୍ରାରେ ଭାଗ ନେବାକୁ ଚାହାଁନ୍ତି ସେମାନେ ୱେବସାଇଟ ମାଧ୍ୟରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। ଜାନୁଆରୀ ୧୪ ତାରିଖରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବ। ମଣିପୁର ରାଜଧାନୀ ଇମ୍ଫାଲ ଠାରେ ଯାତ୍ରା କେଉଁଠାରୁ ଆରମ୍ଭ ହେବ ତାହା ଖୁବ ଶୀଘ୍ର ଜଣାଇ ଦିଆଯିବ।
ଇମ୍ଫାଲ ଠାରୁ ଆରମ୍ଭ ହେବ ଭାରତ ଯୋଡୋ ନ୍ୟାୟ ଯାତ୍ରା
କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି ଯେ, ଆମକୁ ମିଳିଥିବା ଖବର ଅନୁସାରେ ମଣିପୁର ସରକାର ଇମ୍ଫାଲ ପ୍ୟାଲେସ ଗ୍ରାଉଣ୍ଡ ଠାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆୟୋଜନ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେତେବେଳେ ଆମେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରୁଛୁ, ଆମେ ମଣିପୁରକୁ କିପରି ଅଣଦେଖା କରିପାରିବୁ? ଆମକୁ ମଣିପୁରରୁ ଯାତ୍ରା ଆରମ୍ଭ କରିବାକୁ ହେବ। ଏବେ ଆମେ ମଣିପୁରର ଅନ୍ୟ ଏକ ସ୍ଥାନରୁ ଯାତ୍ରା ଆରମ୍ଭ କରିବାକୁ ଯାଉଛୁ। ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଜଡ଼ିତ ସବିଶେଷ ତଥ୍ୟ ସମ୍ପର୍କରେ ଘୋଷଣା କରାଯିବ।
ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ରହିଛି ଜବରଦସ୍ତ ଉତ୍ସାହ
କଂଗ୍ରେସ ସାଧାରଣ ସମ୍ପାଦକ କହିଛନ୍ତି ଯେ ମୁଁ ବିଗତ କିଛି ଦିନ ହେବ ଯାତ୍ରା କରିଆସୁଛି। ଯାତ୍ରାକୁ ନେଇ ତୃଣମୂଳସ୍ତରରେ ଜବରଦସ୍ତ ଉତ୍ସାହ ରହିଛି। ଭାରତ ଯୋଡୋ ନ୍ୟାୟ ଯାତ୍ରା ଏକ ଐତିହାସିକ ଘଟଣା ହେବାକୁ ଯାଉଛି। ଏହା ଏକ ରାଜନୈତିକ ଯାତ୍ରା ନୁହେଁ ବରଂ ଏହି ଦେଶର ଲୋକଙ୍କ ପାଇଁ ନ୍ୟାୟ ଦାବି କରିବାକୁ ଏକ ପ୍ରୟାସ ବୋଲି କହିଛନ୍ତି କେ.ସି ଭେନୁଗୋପାଳ।