Home >>Odisha Politics

Lawyer Ujjwal Nikam: କିଏ ଏହି ଉଜ୍ୱଳ ନିକମ; ଯାହାଙ୍କୁ ଟିକେଟ ଦେଲା ବିଜେପି

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନରେ ଉଜ୍ୱଳ ନିକମଙ୍କୁ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି।

Advertisement
Lawyer Ujjwal Nikam: କିଏ ଏହି ଉଜ୍ୱଳ ନିକମ; ଯାହାଙ୍କୁ ଟିକେଟ ଦେଲା ବିଜେପି
Zee Odisha Desk|Updated: Apr 27, 2024, 06:18 PM IST
Share

BJP Candidate Ujjwal Nikam: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର (ଅପ୍ରେଲ ୨୭) ବିଜେପି ଆଉ ଏକ ପ୍ରାର୍ଥୀ ତାଲିକା ଜାରିକରିଛି। ଯେଉଁଥିରେ ଦଳ ଉଜ୍ୱଳ ନିକମଙ୍କୁ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଉଜ୍ୱଳ ନିକମ ହେଉଛନ୍ତି ପେସାରେ ଜଣେ ଓକିଲ। ଯିଏ ମାୟାନଗରୀ ମୁମ୍ବାଇ ଠାରେ ହୋଇଥିବା ବହୁଚର୍ଚ୍ଚିତ ୨୬/୧୧ ଆକ୍ରମଣରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ବିରୋଧରେ ମୋକଦ୍ଦମା ଲଢିଥିଲେ।

ଗତ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ବିଜେପି ନେତ୍ରୀ ପୁନମ୍ ମହାଜନ ନିର୍ବାଚିତ ହୋଇଥିଲେ। ହେଲେ ଦଳ ଏଥର ତାଙ୍କର ଟିକେଟ କାଟି ଦେଇଛି। ପୁନମ୍ ମହାଜନଙ୍କ ସ୍ଥାନରେ ବିଜେପି ଉଜ୍ୱଳ ନିକମଙ୍କୁ ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ଟିକେଟ ଦେଇଛି। ସାଂସଦ ସହ ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସାରିଛନ୍ତି ପୁନମ୍ ମହାଜନ।
 
ଓକିଲ ଉଜ୍ୱଳ ନିକମ ବର୍ତ୍ତମାନର ବିଜେପି ସାଂସଦ ପୁନମ୍ ମହାଜନଙ୍କ ପିତା ତଥା ପୁରୁଖା ବିଜେପି ନେତା ପ୍ରମୋଦ ମହାଜନଙ୍କ ହତ୍ୟା ମାମଲାରେ ଓକିଲ ରହିଥିଲେ। ଗତ ୨୦୦୬ ଅପ୍ରେଲ ମାସରେ ବିଜେପି ନେତା ପ୍ରମୋଦ ମହାଜନଙ୍କୁ ତାଙ୍କ ଭାଇ ପ୍ରବୀଣ ମହାଜନ ଗୁଳି ଚଳାଇ ହତ୍ୟା କରିଥିଲେ।

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ବିଜେପି ନେତା କହିଛନ୍ତି ଯେ ଏଥର ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରୁ ପୁନମ୍ ମହାଜନଙ୍କୁ ପ୍ରାର୍ଥୀ କରାଯାଇନାହିଁ। ଦଳୀୟ ସଙ୍ଗଠନରୁ ନିଆଯାଇଥିବା ମତାମତ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଯଦିଓ ପୁନମ ମହାଜନଙ୍କ ଟିକେଟ କଟିବା ନେଇ ପୂର୍ବରୁ ସଙ୍କେତ ମିଳି ସାରିଥିଲା। ହେଲେ ତାଙ୍କ ସ୍ଥାନରେ କାହାକୁ ମିଳିବ ସେ ନେଇ ବିଜେପି ନେତୃତ୍ୱ ବିକଳ୍ପ ପ୍ରାର୍ଥୀ ଖୋଜୁଥିଲେ।

ଏହି ଆସନରେ କଂଗ୍ରେସ ମୁମ୍ବାଇ କଂଗ୍ରେସ କମିଟି ମୁଖ୍ୟ ତଥା ଧରାବୀ ବିଧାୟକ ବର୍ଷା ଗାୟକୱାଡଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ମେ ୨୦ ତାରିଖରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅନୁଷ୍ଠିତ ହେବ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୁମ୍ବାଇ ସହରରରେ ମତଦାନ ଅନୁଷ୍ଠିତ ହେବ। ଏଥର ମୁମ୍ବାଇ ଉତ୍ତର କେନ୍ଦ୍ର ଲୋକସଭା ଆସନରେ ଉଜ୍ୱଳ ନିକମ ଏବଂ  ବର୍ଷା ଗାୟକୱାଡଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ।   

 

Read More
{}{}