Hindi News >>Home >>Odisha Politics

Haryana Politics: ଗତକାଲି ପ୍ରଶଂସା; ଆଉ ଆଜି ଛାଡ଼ିବାକୁ ପଡ଼଼ିଲା ମୁଖ୍ୟମନ୍ତ୍ରୀ ପଦ, ହେଲେ କାହିଁକି?

Manohar Lal Khattar Resigns From Haryana CM Post: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଶଂସା କରାଯିବାର ଦିନକ ପରେ ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। 

Advertisement
Haryana Politics:  ଗତକାଲି ପ୍ରଶଂସା; ଆଉ ଆଜି ଛାଡ଼ିବାକୁ ପଡ଼଼ିଲା ମୁଖ୍ୟମନ୍ତ୍ରୀ ପଦ, ହେଲେ କାହିଁକି?
Zee Odisha Desk|Updated: Mar 12, 2024, 06:56 PM IST
Share

Manohar Lal Khattar out as Haryana CM: ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ତାଙ୍କ ଇସ୍ତଫା ପରେ ହରିୟାଣା ବିଜେପି ସଭାପତି ତଥା କୁରୁକ୍ଷେତ୍ର ସାଂସଦ ନାୟାବ ସିଂହ ସୈନୀଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମନୋହର ଲାଲ ଖଟ୍ଟର ନିଜେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୈନୀ ନାମ ପ୍ରସ୍ତାବ ଦେଇଥିଲେ। ଗତକାଲି ଗୁରୁଗ୍ରାମ ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋହର ଲାଲ ଖଟ୍ଟର ଏବଂ ହରିୟାଣାର ବିକାଶ ପାଇଁ ତାଙ୍କର ପ୍ରୟସାକୁ ପ୍ରଶଂସା କରିଥିଲେ। ହେଲେ ଆଜି  ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡି଼ବାକୁ ପଡ଼ିଛି। 

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି, ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ତାଙ୍କର ପୁରୁଣା ସମ୍ପର୍କ କଥା ମନେ ପକାଇଥିଲେ। ଖଟ୍ଟରଙ୍କ ମୋଟର ସାଇକେଲ ଯୋଗେ କିପରି ସେ ରୋହତକ ଠାରୁ ଗୁରୁଗ୍ରାମ ଯାତ୍ରା କରୁଥିଲେ ସେ କଥା କହିଥିଲେ। ସେତେବେଳେ ସେଠାରେ ଏକ ଛୋଟ ରାସ୍ତା ଥିଲା। ହେଲେ ଏବେ ସମଗ୍ର ଗୁରୁଗ୍ରାମ ଅଞ୍ଚଳ ଏକ୍ସପ୍ରେସୱେ ସମେତ ଅନେକ ପ୍ରମୁଖ ଜାତୀୟ ରାଜପଥ ସହିତ ଯୋଡ଼ି ହୋଇଛି। ଯାହା ମୁଖ୍ୟମନ୍ତ୍ରୀ ଭାବରେ ମନୋହର ଲାଲଙ୍କ ପ୍ରଗତିଶୀଳ ମାନସିକତାକୁ ପ୍ରତିଫଳିତ କରିଥାଏ। ଏବେ ତାଙ୍କ ନେତୃତ୍ୱରେ ପ୍ରତ୍ୟେକ ହରିୟାଣାର ଭବିଷ୍ୟତ ସୁରକ୍ଷିତ ରହିଛି।

ଅନ୍ୟପକ୍ଷରେ ଖଟ୍ଟର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ହରିୟାଣାର ୨.୮୨ କୋଟି ଲୋକଙ୍କ ପକ୍ଷରୁ ମୁଁ ନିଶ୍ଚିତ କରିପାରିବି ଯେ ରାଜ୍ୟର ସମସ୍ତ ୧୦ ଲୋକସଭା ଆସନରେ ବିଜେପି ଜିତିବ। ଜାନୁଆରୀ ମାସରେ କଲ୍ୟାଣକାରୀ ହିତାଧିକାରୀଙ୍କ ସହ ତାଙ୍କର ଭିଡିଓ କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ ରୋହତକ ଜିଲ୍ଲାର ଜଣେ କୃଷକଙ୍କ ସହ କଥାବାର୍ତ୍ତା କରି ଖଟ୍ଟରଙ୍କୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସତ୍ତ୍ୱେ ମନୋହର ଲାଲ ଖଟ୍ଟରଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି। 

ଚଳିତ ବର୍ଷ ହରିୟାଣାରେ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହି ନିର୍ବାଚନ ପୂର୍ବରୁ କ'ଣ ପାଇଁ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ତାହାର କାରଣ ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି। ଏହା ବ୍ୟତୀତ କୌଣସି ବିଜେପି ନେତା ଲଗାତାର ୨ ଥରରୁ ଅଧିକ ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ନିଷ୍ପତ୍ତି ନେଇଥିଲା ବିଜେପି। ଦଳ ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱରେ ସତେଜତା ଆଣିବାକୁ ଚାହୁଁଛି। ମନୋହର ଲାଲ ଖଟ୍ଟର ଜଣେ ଭଲ ସଙ୍ଗଠକ, ଜଣେ ଭଲ ପ୍ରଶାସକ ଏବଂ ଜଣେ ସ୍ୱଚ୍ଛ ବ୍ୟକ୍ତି। ତାଙ୍କୁ ନେଇ ଦଳର କୌଣସି ଅଭିଯୋଗ ନାହିଁ। ହେଲେ ଦଳ ସବୁବେଳେ ନୂଆ ଚେହେରାଙ୍କୁ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦେଇଆସିଛି।  

ନିଜର ସାଢେ ୯ ବର୍ଷରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ମନୋହର ଲାଲ ଖଟ୍ଟର ବିଭିନ୍ନ ସମସ୍ୟାର ସାମ୍ନା କରିଥିଲେ। ବିଶେଷକରି ତାଙ୍କୁ ଅନେକ ପ୍ରକାରର ଆଇନ ଶୃଙ୍ଖଳା ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଗତ ୨୦୧୬ ବର୍ଷରେ ଜାଟ ସଂରକ୍ଷଣ ଆନ୍ଦୋଳନ ହୋଇଥିଲା। ଯେଉଁଥିରେ ୩୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟର ପଞ୍ଚକୁଲା ଜିଲ୍ଲାରେ ସଶସ୍ତ୍ର ବାହିନୀ ଏବଂ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ଅନୁଗାମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୪୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତ ୨୦୧୮ ବର୍ଷରେ ଧର୍ମ ଗୁରୁ ସନ୍ଥ ରାମପାଲଙ୍କ ଗିରଫଦାରୀ ପରେ ହୋଇଥିବା ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦-୨୧ ବର୍ଷରେ ହୋଇଥିବା କୃଷକ ଆନ୍ଦୋଳନ, ଗତ ବର୍ଷ ନୁଁହ ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା। ହେଲେ ବିଜେପି ନେତୃତ୍ୱର ସମର୍ଥନରେ ମନୋହର ଲାଲ ଖଟ୍ଟର ଏସବୁ ସମସ୍ୟାର ସମାଧାନ କରିଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟରେ ମନୋହାର ଲାଲ ଖଟ୍ଟର ଜବରଦସ୍ତ ପ୍ରଚାର ବଳରେ ବିଜେପି ରାଜ୍ୟର ସମସ୍ତ ୧୦ ଆସନରେ ବିଜୟ ବାନା ଉଡ଼ାଇଥିଲା। ମୋଟ ୧୦ ସିଟ୍ ମଧ୍ୟରୁ ୮ ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ୩.୩ ଲକ୍ଷରୁ ଅଧିକ ଭୋଟ୍ ରହିଥିଲା। 

ଗତ ୨୦୨୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ଖଟ୍ଟରଙ୍କୁ ପ୍ରଶଂସା କରି କହିଥିଲେ ଯେ ତାଙ୍କ ପ୍ରତିଭା ଜଣେ ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଛି। ସେ ଉତ୍ସର୍ଗୀକୃତ ତଥା ଅଭିନବ ପ୍ରୟାସରେ କାର୍ଯ୍ୟ କରୁଛନ୍ତି। ଏପରିକି କେନ୍ଦ୍ର ସରକାର ହରିୟାଣା ସରକାରଙ୍କ କିଛି କାର୍ଯ୍ୟକ୍ରମର ମଡେଲ ମଧ୍ୟ ଗ୍ରହଣ କରିଛନ୍ତି। ସେହି ସମୟରେ ମଧ୍ୟ ଅନୁମାନ କରାଯାଉଥିଲା ଯେ ବିଜେପି ହରିୟାଣା ସମେତ ଉତ୍ତରାଖଣ୍ଡ ଏବଂ ଗୁଜୁରାଟ ଆଦି ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇ ପାରେ। ହେଲେ ସେତେବେଳେ ମନୋହର ଲାଲ ଖଟ୍ଟରଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିନଥିଲା। 

 

Read More
{}{}