Waqf Bill: ଲୋକସଭାରେ ଓ୍ବାକଫ୍ ଆଇନ ସଂଶୋଧନ ପାଇଁ ଉଦ୍ଦିଷ୍ଟ ବହୁ ଚର୍ଚ୍ଚିତ ବିଧେୟକ ପାରିତ ହୋଇଛି। ବିଳମ୍ବିତ ରାତିରେ ବିଭାଜନ ମତ ମାଧ୍ୟମରେ ଏହାକୁ ବାଚସ୍ପତି ଗୃହରେ ପାରିତ ହୋଇଥିବା ଘୋଷଣା କରିଛନ୍ତି। ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଏହି ବିଧେୟକ ଉପରେ ଲୋକସଭାର ଉଭୟ ବିରୋଧୀ ଓ ସରକାରୀ ସଦସ୍ୟମାନେ ଆଲୋଚନା କରିଥିଲେ। ଏହା ପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ବିଧେୟକଟି ୨୮୮ ସପକ୍ଷରେ ଓ ୨୩୨ ବିପକ୍ଷରେ ଭୋଟ୍ ପାଇ ପାରିତ ହୋଇଥିଲା। ଏହା ସହିତ ମୁସଲମାନ ଓ୍ବାକଫ୍ ରଦ୍ଦ ବିଧେୟକ, ୨୦୨୪ ମଧ୍ୟ ପାରିତ ହୋଇଛି, ଯାହା ୧୯୨୩ ମସଲମାନ ଓ୍ବାକଫ୍ ଆଇନକୁ ରଦ୍ଦ କରିଦେଇଛି।
କେମିତି ପାରିତ ହେଲା?
ଏହି ବିଧେୟକକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ଉପସ୍ଥାପନ କରିଥିଲେ। ଏହା ପୂର୍ବରୁ ଯୁଗ୍ମ ସାଂସଦୀୟ କମିଟି (ଜେପିସି) ଦ୍ୱାରା ବିଧେୟକଟିର ସମୀକ୍ଷା କରାଯାଇଥିଲା। ଆଲୋଚନା ସମୟରେ ସରକାର ଓ ବିପକ୍ଷ ମଧ୍ୟରେ ତୀବ୍ର ବାଦବିବାଦ ଦେଖାଦେଇଥିଲା। ବିପକ୍ଷ ଦଳଗୁଡ଼ିକ ଏହାକୁ "ସମ୍ବିଧାନ ବିରୋଧୀ" ଓ "ମୁସଲିମ ବିରୋଧୀ" ବୋଲି ଅଭିଯୋଗ କରିଥିବା ବେଳେ, ସରକାର ଏହାକୁ ଓ୍ବାକଫ୍ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏକ ପଦକ୍ଷେପ ବୋଲି ଦାବି କରିଥିଲେ। ବିପକ୍ଷର ସଂଶୋଧନ ପ୍ରସ୍ତାବଗୁଡ଼ିକ ଧ୍ୱନିମତରେ ପ୍ରତ୍ୟାଖ୍ୟାତ ହେବା ପରେ ଭୋଟିଂ ଦ୍ୱାରା ବିଧେୟକଟି ପାସ୍ ହୋଇଥିଲା।
ଗୃହମନ୍ତ୍ରୀ କଣ କହିଲେ?
ଗୃହମନ୍ତ୍ରୀ ଅମିତ ଶାହା ବିଧେୟକର ସମର୍ଥନରେ କହିଥିଲେ ଯେ, ଏହା ମୁସଲିମ ସମ୍ପ୍ରଦାୟର ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରିବାର ଉଦ୍ଦେଶ୍ୟ ରଖି ନାହିଁ। ସେ ସ୍ପଷ୍ଟ କରିଥିଲେ ଯେ, "ଓ୍ବାକଫ୍ ପରିଷଦ କିମ୍ବା ବୋର୍ଡରେ କୌଣସି ଅଣ-ମୁସଲିମ ସଦସ୍ୟ ନିଯୁକ୍ତି ହେବ ନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନା ପାଇଁ ଏକ ପ୍ରଶାସନିକ ବ୍ୟବସ୍ଥା।" ସେ ଆହୁରି କହିଥିଲେ ଯେ, ଏହି ବିଧେୟକ ଦେଶର ସମସ୍ତ ସଂଖ୍ୟାଲଘୁଙ୍କୁ ଏକତ୍ରିତ କରିବ ଏବଂ ଓ୍ବାକଫ୍ ଟ୍ରିବ୍ୟୁନାଲରେ ବିଚାରାଧୀନ ଅନେକ ବିବାଦର ଶୀଘ୍ର ସମାଧାନ କରିବ। ସେ କଂଗ୍ରେସକୁ ଟାର୍ଗେଟ କରି ଅଭିଯୋଗ କରିଥିଲେ ଯେ, ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ୧୨୩ଟି ସମ୍ପତ୍ତି ଦିଲ୍ଲୀ ଓ୍ବାକଫ୍ ବୋର୍ଡକୁ ହସ୍ତାନ୍ତର କରିଥିଲେ, ଯାହା ଭୋଟ୍ ବ୍ୟାଙ୍କ ରାଜନୀତିର ଉଦାହରଣ।
ସଂଖ୍ୟାଲଘୁ ମନ୍ତ୍ରୀ କଣ କହିଲେ?
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ, "ଏହି ବିଧେୟକ ଧର୍ମ ସହିତ ଜଡ଼ିତ ନୁହେଁ, ଏହା କେବଳ ଓ୍ବାକଫ୍ ସମ୍ପତ୍ତି ସହିତ ଜଡ଼ିତ। ଏଥିରେ ମୁସଲିମଙ୍କ ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରାଯିବ ନାହିଁ।" ସେ ଆହୁରି କହିଥିଲେ ଯେ, ଏହି ବିଧେୟକ ମାଧ୍ୟମରେ ଓ୍ବାକଫ୍ ବୋର୍ଡରେ ବିଭିନ୍ନ ମୁସଲିମ ସମ୍ପ୍ରଦାୟ (ଶିଆ, ସୁନ୍ନୀ), ମହିଳା ଓ ଅଣ-ମୁସଲିମ ବିଶେଷଜ୍ଞଙ୍କୁ ପ୍ରତିନିଧିତ୍ୱ ଦିଆଯିବ। ସେ ବିପକ୍ଷଙ୍କୁ ଟାର୍ଗେଟ କରି କହିଥିଲେ ଯେ, ୨୦୧୩ରେ UPA ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରି ଅନ୍ୟ ଆଇନଗୁଡ଼ିକ ଉପରେ ଏହାର ପ୍ରାଧାନ୍ୟ ଦେଇଥିଲେ, ଯାହା ଦୁରୁପଯୋଗ ହୋଇଥିଲା। ସେ ଦାବି କରିଥିଲେ ଯେ, ଯଦି ଏହି ବିଧେୟକ ନ ଆସିଥାନ୍ତା, ତେବେ ସଂସଦ ଭବନ ଓ ବିମାନବନ୍ଦର ପରି ସମ୍ପତ୍ତିଗୁଡ଼ିକୁ ମଧ୍ୟ ଓ୍ବାକଫ୍ ସମ୍ପତ୍ତି ଦାବି କରାଯାଇଥାନ୍ତା।
ଆଜି ଏହି ବିଧେୟକ ରାଜ୍ୟସଭାରେ ଉପସ୍ଥାପନ ହେବ। ଏଠାରେ ମଧ୍ୟ ବିରୋଧୀ ଆଲୋଚନା ବେଳେ ବିଭାଜନ ମତ ପାଇଁ ଦାବି କରିପାରନ୍ତି। ନୂଆ ସଂସଦ ଭବନରେ ବିଭାଜନ ଭୋଟ୍ ଉଭୟ ଇଲେକ୍ଟ୍ରୋନିକ ଏବଂ କାଗଜ ପର୍ଚ୍ଚି ମାଧ୍ୟମରେ ଗ୍ରହଣ କରାଯାଉଛି।