Odisha Election 2024: ଭୁବନେଶ୍ୱର: ଆସନ୍ତା କାଲି ନିର୍ବାଚନ। ୬ ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହେଲାଣି। ୧୨୧ ପ୍ଲାଟୁନ କେନ୍ଦ୍ରୀୟ ସଶସ୍ତ୍ର ବଳ ଏହି ନିର୍ବାଚନରେ ନିୟୋଜିତ ରହିଛନ୍ତି। ନେତାଙ୍କୁ ବୁଥ ଆଖପାଖରେ ନବୁଲିବାକୁ କଟକଣା ଜାରି କରାଯାଇଛି, ବାହାର ନେତାଙ୍କୁ ପ୍ରବେଶ ବାରଣ କରାଯାଇଛି। ଅର୍ଥାତ୍ ଜନତାଙ୍କ ଉପରେ ନିର୍ବର କରୁଛି ନେତାଙ୍କ ଭାଗ୍ୟ। ୯୪ ଲକ୍ଷ ୪୮ ହଜାର ଭୋଟର ପ୍ରମୁଖ ଦୁଇ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଏ ଭିତରେ ବାଜି ଲାଗିଛି ଲୋକପ୍ରିୟ ବୋଲାଉଥିବା ସରକାରର ସମ୍ମାନ ଓ ଅନ୍ୟପଟେ ରହିଛି ପରିବର୍ତ୍ତନର ସ୍ଲୋଗାନ। ତା’ରି ଭିତରେ ପ୍ରସଙ୍ଗ ହୋଇଛି ଓଡ଼ିଆ ଅସ୍ମିତା, ଜନକଲ୍ୟାଣ ଯୋଜନା, ସଂସ୍କାର, ଭାରବପ୍ରବଣତା ଓ ଆସ୍ଥା। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ପ୍ରସଙ୍ଗ ଉପରେ ଯାହାକୁ ନେଇ ଭୋଟର ନିର୍ବାଚନ ଲଢ଼ିବେ:
ଓଡ଼ିଆ ଅସ୍ମିତା: ଏ ନିର୍ବାଚନରେ ପ୍ରଥମଥର ପାଇଁ ଭାଷା, ସଂସ୍କୃତି, ଏତିହ୍ୟ ଓ ଅସ୍ମିତା ପ୍ରସଙ୍ଗ ହୋଇଛି। କିଛି ବୁଦ୍ଧିଜୀବୀ ଏହାକୁ ଓଡ଼ିଆ ଜାଗରଣ ସହ ତୁଳନା କରିଛନ୍ତି। କାରଣ ବିଗତ ନିର୍ବାଚନଗୁଡ଼ିକରେ ଖାଲି ଟଙ୍କା କଥା କହୁଥିଲା, ବିକାଶ ନାଁରେ ସବ୍ସିଡି କଥା କହୁଥିଲା , ହେଲେ ଏଥର ବୁଦ୍ଧିଜୀବୀ ବର୍ଗଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ, ଆସ୍ଥା ହୋଇଛି ପ୍ରସଙ୍ଗ। ଓଡ଼ିଆଙ୍କ ମନର କଥା କହୁଥିବାରୁ ଶାସନ କଳ ବିରୁଦ୍ଧରେ କିଛିଟା ଆସ୍ଥା ବିରୋଧୀ ମତ ପ୍ରକାଶ ପାଇଛି। ୨୪ ବର୍ଷ ହେଲା ଶାସନରେ ଥିବା ନବୀନ ସରକାରଙ୍କୁ ଏହା ଏକ ଶକ୍ତ ଧକ୍କା ହେବ ବୋଲି ବିରୋଧୀ ଆଶା କରିଛନ୍ତି। ନିର୍ବାଚନ ରଣାଙ୍ଗନରେ ଏଥିନେଇ ଚୁପ୍ ଥିବା ଶାକ ଦଳ ବି ଓଡ଼ିଆ ଭାଷା, ଐତିହ୍ୟର ସୁରକ୍ଷା ପାଇଁ ସତତ ଚେଷ୍ଟିତ ବୋଲି ବିଜ୍ଞପିତ କରିବାକୁ ଭୁଲି ନାହିଁ।
ଅଫିସର ଶାସନ: ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବୟସ ଏବଂ ଶାରିରୀକ ଦୁର୍ବଳତା। ନିର୍ବାଚନ ରଣାଙ୍ଗନରେ ତାଙ୍କର କଥା ନ ମନେ ପଡ଼ିବା, ଖଣ୍ଡି ଧାଡ଼ି କହିବା, ଓଡ଼ିଆରେ ସ୍ପଷ୍ଟ ନକହିବାରିବା ଆଦି ପ୍ରସଙ୍ଗ ହୋଇଛି। ଏ ଭିତରେ ଜଣେ ନିର୍ଦ୍ଦିଷ୍ଟ ଅଧିକରୀରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ୍ ଏବଂ ସେ ତିଆରି କରିଥିବା ଅଣ ଓଡ଼ିଆ ପାର୍ଷଦ ଉପରେ ବିରୋଧୀ ଆକ୍ରମଣ କରିଛନ୍ତି। ଏହା ବି ଓଡ଼ିଶାବାସୀଙ୍କ ନାଡ଼ିକୁ ଧରିଛି। ସେଥିଲାଗି ପ୍ରଧାନମନ୍ତ୍ରୀଙ୍କଠାରୁ ବିଜେପି ସଭାପତିଙ୍କ ଯାଏ, ଆସାମଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଯାଏ ଏଠାରେ ବାବୁତଦନ୍ତ ଚାଲିଛି ବୋଲି କହିଛନ୍ତି। ନିର୍ବାଚିତ ନେତାଙ୍କ ଦ୍ୱାରା ଶାସନ ପରିଚାଳନା ପାଇଁ ପ୍ରତିଶୃତି ଦେଇଛନ୍ତି ବିଜେପି। କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ଶାସକ ଦଳକୁ ଆକ୍ରମଣ କରିଛି। ନିଜର ପ୍ରତିଶୃତିରେ ଏହା ଉଲ୍ଲେଖ କରିଛି। କିନ୍ତୁ ନିରସ ପ୍ରଚାର ହେତୁ ତାହା ଲୋକଙ୍କୁ ଛୁଇଁବାରେ ଅସମର୍ଥ ହୋଇଛି। ବିଜେଡି ପାଖରେ ଏଥିନେଇ ଉତ୍ତର ରଖିବାକୁ କୌଣସି ରାଜନେତା ଆସି ନାହାନ୍ତି।
ମାଗଣା ବିଜୁଳି: ତିନି ପ୍ରମୁଖ ଦଳ ବିଜୟ ଲାଭ କଲେ ବିଜୁଳି ବିଲ୍ ଛାଡ଼, ମାଗଣା ଉପରେ ଗୁରୁତ୍ୱ ଦେଇଛନ୍ତି। ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି। ବିଜେପି ସୌରଘର ଯୋଜନାରେ ମାଗଣା ବିଜୁଳି ବୋଲି କହି ବୁଲୁଥିବା ବେଳା ବିଜେଡିର ଷ୍ଟାର କ୍ୟାମ୍ପେନର ଏହାକୁ ଛଳନା କହିବାକୁ ଭୁଲି ନାହାନ୍ତି। ଅପର ପକ୍ଷେ କଂଗ୍ରେସ ସରକାରକୁ ଆସିଲେ ୩୦୦ ୟୁନିଟ୍ ମାଗଣା ଦେବ ବୋଲି କହିଛି। ବିଜେଡି ସରକାରକୁ ଆସିଲେ ୧୦୦ ୟୁନିଟ୍ ଯାଏ ବିଜୁଳି ମାଗଣା ଦେବ ବୋଲି କହିଛି।
ମାଗଣା ଚିକିତ୍ସା: ଚିକିତ୍ସା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ରାଜ୍ୟ ସରକାର ବିଏସ୍କେଓ୍ୱା ଯୋଜନାକୁ ସମସ୍ତଙ୍କ ପାଇଁ ପ୍ରଚଳନ କରିବେ ବୋଲି କହି ଲୋକଙ୍କ ମନ ଜିତୁଥିବାବେଳେ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା କଥା କହୁଛନ୍ତି। ବୃଦ୍ଧ ପିତାମାତାଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଉପରେ ଛାଡ଼ିବାକୁ ନିବେଦନ କରିଛନ୍ତି ମେଦୀ।
ମହିଳାଙ୍କୁ ପେନସନ: ମହିଳାଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅର୍ଥ ଦେଇ ସଶକ୍ତ କରିବାକୁ ଚାହିଁଛନ୍ତି ତିନି ଦଳ। ବିଜେଡି ପକ୍ଷରୁ ଏସ୍ଏଚ୍ଜି ମହିଳାଙ୍କୁ ଏଣିକି ପେନ୍ସନ୍ ଦିଆଯିବ ବୋଲି କୁହାଯାଇଛି। ଏହା ଏକ ‘ଗେମ୍ ଚେଞ୍ଜର’ ଯୋଜନା ହୋଇପାରେ। ଅପରପକ୍ଷେ ସୁଭଦ୍ରା ଯୋଜନାରେ ବିଜେପି ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ପାଇଁ କୁହହାଯାଇଥିବା ବେଳେ କଂଗ୍ରେସ ୧ ଲକ୍ଷ ଟଙ୍କା ସହାୟତା ବର୍ଷକୁ ଦେବ ବୋଲି କହିଛି। ଏଣୁ ଏସ୍ଏଚ୍ଜି ପ୍ରସଙ୍ଗ କେତେ ବିଜେଡିକୁ କବଚ ଦେବ ତାହାକୁ ଅପେକ୍ଷା।
ରତ୍ନ ଭଣ୍ଡାର ଓ ଶ୍ରୀମନ୍ଦିର ସଂସ୍କାର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଯେଉଁ ବିବାଦ ଚାଲିଛି ତାହାକୁ ଶାସକ ଓ ବିରୋଧୀ କେହିବି ହଜମ କରିପାରୁ ନାହାନ୍ତି। ଶାସକ ପରିକ୍ରମା ମାର୍ଗକୁ ନେଇ ବିକାଶ ଓ ସୁରକ୍ଷା କଥା କହୁଥିବା ବେଳେ ଚାରିଦ୍ୱାର ନଖୋଲିବା ଭକ୍ତ ମାରଣ ନୀତି ବୋଲି ଅଭିଯୋଗ କରିଛନ୍ତି। ଏପରିକି ଶ୍ରୀମନ୍ଦିର ପରିକ୍ରମାରେ ଅନେକ ଅର୍ଥ ବାଟ ମାରଣା ହୋଇଥିବା କହିଛନ୍ତି। ଅପରପକ୍ଷେ ଓଡ଼ିଆ ଲୋକଙ୍କ ଭାବାବେଗ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ତିନି ଦଳ ମୁହାଁମୁହିଁ ହୋଇଛନ୍ତି। ଶାସକ ବିଜେଡି ୨୦୧୮ ମସିହାରୁ ଜାଣି ଶୁଣି ରତ୍ନଭଣ୍ଡାର ଖୋଲୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଏ ଚାବି ହଜିବାକୁ ଗୁରୁତର ଅପରାଧ ବୋଲି କହିଥିବା ବେଳେ କଂଗ୍ରେସ ଶୋଭାଯାତ୍ରା କରି ଭାବାବେଗକୁ ଧରିବାକୁ ଚେଷ୍ଟା କରିଛି। ବିଜେଡି ଆଇନ ଅନୁସାରେ କାମ ହେଉଛି ବୋଲି କହି ସବୁକିଛିରୁ ଖସିବାକୁ ଚାହିଁଛି।
କୃଷକ ସହାୟତା: ଏମ୍ଏସ୍ପି ବା କୃଷକଙ୍କୁ ସହାୟତା କୃଷି ଓ କୃଷକଙ୍କୁ ସହାୟତା ଏଥର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ବିଜେପି ପକ୍ଷରୁ ୩୧୦୦ ଟଙ୍କାକୁ ଏମ୍ଏସ୍ପି ବୃଦ୍ଧି ପ୍ରତିଶୃତି ଶାସକ ଦଳକୁ ଅଡ଼ୁଆରେ ପକାଇଛି। ଏହାକୁ ଅବାସ୍ତବ ବୋଲି କହିଛନ୍ତି ଶାସକ ଦଳ। ଅନ୍ୟପକ୍ଷରେ ଛତିଶଗଡ଼ର ଉଦାହରଣ ଦେଇ ସମସ୍ତ ପ୍ରଶ୍ନର ଜବାବ ଦେଇଛି। କଂଗ୍ରେସ ମଧ୍ୟ ସରକାରକୁ ଆସିଲେ ୩୦୦୦ ଟଙ୍କା ଏମ୍ଏସ୍ପି କରିବ ବୋଲି ପ୍ରତିଶୃତି ଦେଇଛି।
ନିଯୁକ୍ତି ଓ ଆତ୍ମ ନିଯୁକ୍ତି: ଶିଳ୍ପ, ନିଯୁକ୍ତି, ଦକ୍ଷତାବୃଦ୍ଧି ଆଦି ପ୍ରସଙ୍ଗ ଅନେକ ଗୁରୁତ୍ୱ ବହନ କରେ। ଏ ପ୍ରସଙ୍ଗରେ ମଧ୍ୟ ବିରୋଧୀ ଶାସକ ବିଜେଡିକୁ ଘରିଛନ୍ତି। ଦାଦନ ଯନ୍ତ୍ରଣା ବୋଲି ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାର ୫ ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଦାଦନ ଯିବା ଦୁୟଃଖଦାୟକ ବୋଲି ଅଭିଯୋଗ କରିଛି ବିଜେପି। ଅପରପକ୍ଷେ ଯୁବ ଉଦ୍ୟୋଗୀଙ୍କୁ ବିନା ସୁଧରେ ଋଣ ଦେଇ ତାଙ୍କୁ ସଶକ୍ତ କରିବ ବୋଲି ପ୍ରତିଶୃତି ଦେଇଛି।
ପଛୁଆ ବର୍ଗ ଜନଜାତିଙ୍କ ରୋଜଗାର: ଏଥର ନିର୍ବାଚନରେ ଜନଜାତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ପଡ଼ୋଶୀ ରାଜ୍ୟ ଭଳି ଏଠାରେ ସଂଖ୍ୟା ଲଘୁଙ୍କୁ ଓବିସି ମାନ୍ୟତା ପ୍ରସଙ୍ଗ ନୁହାଁ, ବରଂ ଜନଜାତିଙ୍କ ଜୀବୀକା, ଜଙ୍ଗଲ ଉପରେ ଅଧିକାରକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତିଦ୍ୱନ୍ଦ୍ୱିତାରେ ଥିବା ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ଏଥିଲାଗି ଅନେକ ପ୍ରତିଶୃତି ଦେଇଛନ୍ତି। ବିଜେଡି ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ, ଜଙ୍ଗଲଜାତ ଦ୍ରବ୍ୟ ପାଇଁ ପ୍ରଚଳିତ ଲାଭ ଯୋଜନା, ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଅର୍ଥରାଶି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ବିଜେପି ମଧ୍ୟ ପଛରେ ପଡ଼ି ନାହିଁ। ସିଧାସଳଖ କେନ୍ଦୁପତ୍ର ତେଳାଳିଙ୍କୁ ୨ଟଙ୍କା ଦେବାକୁ ସ୍ଥିର କରିଛି। ଏହାସହ ପଛୁଆ ବର୍ଗ ପାଇଁ ବିକାଶ ଯୋଜନା ହାତକୁ ନେଇଛି। ବୁଣାକାରଙ୍କୁ ପେନ୍ସନ୍, ମତ୍ସ୍ୟଜୀବୀଙ୍କୁ ପେନ୍ସନ୍ ଆଦି ଯୋଜନା ଦ୍ୱାରା ସେମାନେ ସଶକ୍ତ ହେବେ ବୋଲି ଆଶା କରାଯାଇଛି।
ଅନ୍ଧାରୀ ବିଜେ: ଏତେସବୁ ପ୍ରସଙ୍ଗ ଭିତରେ ଭୋଟର କାହାକୁ ନିଜର ପ୍ରତିନିଧି କରିବେ, ଦଳକୁ ବାଛିବେ ନା ପ୍ରାର୍ଥୀଙ୍କୁ ତାହା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ନିର୍ବାଚନ ପୂର୍ବରୁ ଟଙ୍କା ବଣ୍ଟନ, ଗୋପନରେ ଉପହାର ଦିଆଯିବା ମଧ୍ୟ ଆଉ ଏକ ପ୍ରସଙ୍ଗ ଭାବେ ସ୍ପଷ୍ଟ ହୋଇଛି। ଏହାକୁ ରାଜ୍ୟରେ ଅନ୍ଧାରିବିଜେ ବୋଲି କୁହାଯାଉଛି। ରାଜନେତାଙ୍କ ଭାଷାରେ ପ୍ରଚାର ଗୋଟିଏ ସ୍ଥାନରେ ଆଉ ‘ଅନ୍ଧାରୀ ବିଜେ’ ସବୁଠୁ ଉର୍ଦ୍ଧ୍ୱରେ। ଭୁବନେଶ୍ୱର ସାଂସଦ ଏହାକୁ ନେଇ ଆପତ୍ତି ବି ଉଠାଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ଧାରି ବିଜେ ରୋକିବାକୁ ପ୍ରୟାସ କରାଯାଉଛି। କିନ୍ତୁ ପୁଲିସ ଡାଳେ ଡାଳେ ଗଲେ ରାଜନେତା ପତ୍ରେ ପତ୍ରେ ଲୋକଙ୍କୁ ଅର୍ଥ ଦେଇ ପ୍ରଲୋଭିତ କରୁଛନ୍ତି, ଭଗବାନ ଙ୍କ ନାଁରେ ଶପଥ କରାଉଛନ୍ତି।
ପ୍ରାର୍ଥୀଙ୍କ ଭାଗ୍ୟ, ସରକାର ଗଠନର ଖେଳ ଭିତରେ ଆସ୍ଥା, ଧର୍ମ ସମ୍ପ୍ରଦାୟ ଓଡ଼ିଶାରେ କେବେ ପ୍ରସଙ୍ଗରକ୍ଷା କରି ନାହିଁ। କିନ୍ତୁ ଶ୍ରୀ ବିଗତ ଦିନମାନଙ୍କରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଅଣଦେଖା, ଚାବି ହଜିବା, ସୁରକ୍ଷା ଓ ବିକାଶ ନାଁରେ ମଠ ମନ୍ଦିର ଧ୍ବଂସ କରିବା ହୁଏତ ରାଜ୍ୟବାସୀଙ୍କ ଉପରେ ପ୍ରଭାବ ପକାଇପାରେ।