Shiv Sena Party Constitution: ପ୍ରକୃତ ଶିବସେନା କିଏ? ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୧୬ ଜଣ ଶିବସେନା ବିଧାୟକଙ୍କ ଯୋଗ୍ୟତା କ’ଣ? ଏହି ପ୍ରଶ୍ନର ଉତ୍ତର ଉତ୍ତର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଦେଇ ସାରିଛନ୍ତି। ବିଧାୟକ ଦଳ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳ ବିରୋଧରେ ବିଦ୍ରୋହ କରିଥିବା ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନ ଉପରେ ରାୟ ଶୁମାଇ ସାରିଛନ୍ତି ବାଚସ୍ପତି ରାହୁଲ ନର୍ଭେକର। ବିଦ୍ରୋହୀ ଶିବସେନା ବିଧାୟକ ସଦସ୍ୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି। ଏହି ନିଷ୍ପତ୍ତି ଉଦ୍ଧବ ଠାକରେଙ୍କ ଲାଗି ଜବରଦସ୍ତ ଝଟକା ସଦୃଶ୍ୟ ହୋଇଛି। ଯଦିଓ ବାଚସ୍ପତି ରାହୁଲ ନାର୍ଭେକର ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାରେ ନେଇଥିବା ନିଷ୍ପତ୍ତିରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି।
ଏବେ ବୁଝିବାକୁ ହେବ ଯେ ଉଦ୍ଧବ ଠାକରେ ଏପରି କେଉଁ ଭୁଲ କରିଥିଲେ ଯେଉଁଥିପାଇଁ ଦଳ ଶିବସେନା ତାଙ୍କ ହାତରୁ ଚାଲିଯାଇଥିଲା। ଏପରିକି ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିଲା। ସର୍ବପ୍ରଥମେ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହେବା ପଛରେ ଅନେକ କାରଣ ଜଡିତ ରହିଛି। ଯାହା ମଧ୍ୟରୁ ଅନ୍ୟତମ କାରଣ ହେଉଛି କଂଗ୍ରେସ ସହିତ ଶିବସେନା କରିଥିବା ଆପୋଷ ବୁଝାମଣା। ହେଲେ ଯେତେବେଳେ ଦଳରକୁ ବଞ୍ଚାଇବାକୁ ସମୟ ଆସିଲା ସେତେବେଳେ ଉଦ୍ଧବ ଠାକରେ ଏପରି ଏକ ବଡ ଭୁଲ କରିଥିଲେ ଯେଉଁଥିପାଇଁ ତାଙ୍କ ହାତରୁ ଶିବସେନା ଚାଲି ଯାଇଥିଲା। ଶିବସେନା ଅଧ୍ୟକ୍ଷ ପଦରେ ରହିଥିବା ଉଦ୍ଧବ ଠାକରେ କେଉଁ ଭୁଲ କରିଥିଲେ ସେ ସମ୍ପର୍କରେ ବାଚସ୍ପତି ରାହୁଲ ନାର୍ଭେକର ଜଣାଇ ଦେଇଛନ୍ତି।
ବିଧାୟକ ଦଳ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳ ବିରୋଧରେ ବିଦ୍ରୋହ କରିଥିବା ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାରେ ତାଙ୍କ ନିଷ୍ପତ୍ତି ଶୁଣାଇ ସାରିଛନ୍ତି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର। ଏ ସମ୍ପର୍କରେ ମତ ରଖି ବାଚସ୍ପତି କହିଛନ୍ତି ଯେ ଏକନାଥ ସିନ୍ଦେଙ୍କୁ ହଟାଇବା ପାଇଁ ଉଦ୍ଧବ ଠାକରେଙ୍କ ପାଖରେ କୌଣସି ଅଧିକାର ନଥିଲା। କାରଣ ଦଳର କୌଣସି ନେତାଙ୍କୁ ହଟାଇବା ପାଇଁ ଶିବସେନା ଅଧ୍ୟକ୍ଷଙ୍କ ପାଖରେ କୌଣସି ଅଧିକାର ନାହିଁ। ଶିବସେନା ବିଧାୟକ ଦଳର ନେତା ପଦରୁ ଏକନାଥ ସିନ୍ଦେଙ୍କୁ ହଟାଇବାକୁ ଗ୍ରହଣ କରାଯାଇ ପାରିବ ନାହିଁ। ବାଚସ୍ପତି କହିଛନ୍ତି ଯେ ନିର୍ବାଚନ ଆୟୋଗ ରେକର୍ଡ ଅନୁସାରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଦିଆଯାଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ମୁଁ ନିର୍ବାଚନ ଆୟୋଗ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ଧ୍ୟାନରେ ରଖିଛି। ନିର୍ବାଚନ ଆୟୋଗ ନିଷ୍ପତ୍ତିକୁ ଉଦ୍ଧବ ଠାକରେ ଚ୍ୟାଲେଞ୍ଜ କରିଥିଲେ।
କେଉଁଠି ଭୁଲ କରିଥିଲେ ଉଦ୍ଧବ ଠାକରେ?
ଶିବସେନା ଅଧ୍ୟକ୍ଷ ପଦରେ ଉଦ୍ଧବ ଠାକରେ ରହିଥିବା ସମୟରେ ବିଧାୟକ ଦଳରେ ହୋଇଥିଲା ବିଭାଜନ। ଯାହା ପରେ ଶିବସେନା ସମ୍ବିଧାନ ବଦଳାଇ ଥିଲେ ଉଦ୍ଧବ ଠାକରେ। ହେଲେ ଦଳୀୟ ସମ୍ବିଧାନ ବଦଳାଇବା ସମ୍ପର୍କରେ ସେ ନିର୍ବାଚନ ଆୟୋଗକୁ ଅବଗତ କରାଇନଥିଲେ। ତାଙ୍କ ସତ୍ୟପାଠରେ ସେ ଦଳୀୟ ସମ୍ବିଧାନର ପରିବର୍ତ୍ତନ ସମ୍ପର୍କରେ ଜଣାଇ ନାହାଁନ୍ତି ଏବଂ ନିର୍ବାଚନ ଆୟୋଗ ପାଖରେ ଶିବସେନାର ସେହି ସମ୍ବିଧାନ ବିଷୟରେ ଉଲ୍ଲେଖ ରହିଥିଲା ଯେତେବେଳେ ବିଧାୟକ ଦଳରେ ବିଭାଜନ ହୋଇନଥିଲା। ବାଚସ୍ପତି ରାହୁଲ ନାର୍ଭେକର ତାଙ୍କ ନିଷ୍ପତ୍ତିରେ ଶିବସେନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟ ବିଷୟରେ ଉଲ୍ଲେଖ କରି ବାଚସ୍ପତି କହିଛନ୍ତି ଯେ କୋର୍ଟ ଅନୁଯାୟୀ ଉଭୟ ଗୋଷ୍ଠୀ ଶିବସେନା ପକ୍ଷରୁ ଦଳୀୟ ସମ୍ବିଧାନର ଭିନ୍ନ ଭିନ୍ନ ସଂସ୍କରଣ ଉପସ୍ଥାପନ କରିଛନ୍ତି। ଏହି ମାମଲାରେ କେଉଁ କଥାକୁ ଧ୍ୟାନରେ ରଖିବା ଆବଶ୍ୟକ ହେବ ଯେ ସମ୍ବିଧାନକୁ ପ୍ରତିଦ୍ୱନ୍ଦୀ ଗୋଷ୍ଠୀର ଆବିର୍ଭାବ ପୂର୍ବରୁ ଲେଖା ଯାଇଥିଲା। ଯାହାକୁ ସହମତି କ୍ରମେ ନିର୍ବାଚନ ଆୟୋଗ ନିକଟରେ ଉପସ୍ଥାପନ କରାଯାଇଥିଲା।
୧୯୯୯ ମସିହାର ଶିବସେନା ସମ୍ବିଧାନ ସର୍ବମାନ୍ୟ
ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ଯେ ଶିବସେନା ଦଳର ୧୯୯୯ ମସିହାର ସମ୍ବିଧାନ ହେଉଛି ସର୍ବମାନ୍ୟ ଏବଂ ଯାହା ସବୁ ସ୍ତରରେ ଗ୍ରହଣୀୟ। ଏହି ସଂଶୋଧନ ନିର୍ବାଚନ ଆୟୋଗ ପାଖରେ ରେକର୍ଡ ଭାବରେ ଉପଲବ୍ଧ ନାହିଁ। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଓକିଲ ଦେବଦତ୍ତ କାମାତଙ୍କ ଯୁକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗତ ୨୦୧୮ ବର୍ଷରେ ସଂଶୋଧିତ ହୋଇଥିବା ଶିବସେନା ସମ୍ବିଧାନକୁ ବୈଧ ବୋଲି ବିବେଚନା କରାଯାଇ ପାରିବ ନାହିଁ। କାରଣ ସଂଶୋଧିତ ଶିବେସନା ଭାରତୀୟ ନିର୍ବାଚନ ଆୟୋଗ ପାଖରେ ରେକର୍ଡ ଭାବରେ ଉପଲବ୍ଧ ନାହିଁ। ସୁପ୍ରିମକୋର୍ଟ ଆଦେଶ ଅନୁଯାୟୀ ମୁଁ ଅନ୍ୟ କୌଣସି କାରଣକୁ ଯାଇପାରିବି ନାହିଁ ଯାହା ଆଧାରରେ ସମ୍ବିଧାନ ବୈଧ ବୋଲି ଗ୍ରହଣ କରାଯିବ। ରେକର୍ଡ ପାଇଁ ମୁଁ ୧୯୯୯ ମସିହାର ଶିବସେନା ସମ୍ବିଧାନ ଉପରେ ନିର୍ଭର କରୁଛି।
ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ କ’ଣ ହେବ ସ୍ଥିତି?
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ତାଙ୍କର ଦୀର୍ଘ ନିଷ୍ପତ୍ତିରେ ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀର ୧୬ ଜଣ ବିଧାୟକଙ୍କ ଯୋଗ୍ୟତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଚସ୍ପତି ସେହି ୧୬ ଜଣ ଶିବସେନା ବିଧାୟକଙ୍କ ବିଧାନସଭା ସଦସ୍ୟ ଯୋଗ୍ୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ବିଧାୟକ ଦଳ ବହୁମତ ଆଧାରରେ ଶିବସେନା ବିଧାୟକଙ୍କ ଯୋଗ୍ୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ବାଚସ୍ପତି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିବ। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପୁଣି ଥରେ ସୁପ୍ରିମକୋର୍ଟ ପାଖକୁ ଯାଇପାରେ।