Hindi News >>Home >>Odisha Politics

Odisha Election 2024: ରାଜ୍ୟ ରାଜନୀତିରେ ଅଣ୍ଡର କରେଣ୍ଟ: ନିର୍ବାଚନ ପରେ ବି ଥମୁନି ଆଲୋଚନା

 ଅନେକ ସ୍ଥାନରେ ନୀରବତା ଛାଇ ଯାଇଥିବାରୁ ଅନ୍ତଃସ୍ରୋତ ନେଇ ବି ଆକଳନ ଆରମ୍ଭ ହୋଇଯାଇଛି। ତେବେ ଏହି ଅଣ୍ଡର କରେଣ୍ଟ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିଛି ତାହାର ଉତ୍ତର ଜୁନ୍‌ ୪ ହିଁ ଦେଇପାରିବ।

Advertisement
Odisha Election 2024: ରାଜ୍ୟ ରାଜନୀତିରେ ଅଣ୍ଡର କରେଣ୍ଟ: ନିର୍ବାଚନ ପରେ ବି ଥମୁନି ଆଲୋଚନା
Prabhudatta Moharana|Updated: May 28, 2024, 12:14 PM IST
Share

Odisha Election 2024: ଭୁବନେଶ୍ୱର: ରାଜ୍ୟ ରାଜନୀତିର ନିର୍ବାଚନୀ ଉଷ୍ମତାରେ ଯୋଡ଼ି ହୋଇଛି ଅଣ୍ଡର କରେଣ୍ଟ। ଯେଉଁଠି ନିର୍ବାଚନ ସରିଲାଣି ସେଠି ବି ଚର୍ଚ୍ଚା ସରୁନି। ୪ ତାରିଖରେ ଫଳାଫଳ ଘୋଷଣା ବେଳେ ଏହି ଅଣ୍ଡର କରେଣ୍ଟ ହଇଚଇ ସୃଷ୍ଟି କରିବ ବୋଲି କହୁଛନ୍ତି। ଅଣ୍ଡର କରେଣ୍ଟ ହେଉଛି ଶାସନକଳ ବିରୁଦ୍ଧରେ। ଯେଉଁ କଳ ୨୪ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କରିଛି, ସେ ଶାସନକୁ ମୁହଁରେ ନୁହେଁ ଭୋଟରେ ଜବାବ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସନ ବିରୋଧୀ ମତ ବା ଭୋଟ କହିଲେ ମୁଖ୍ୟତଃ ବିଜେପି ଆଡ଼ଙ୍କୁ ଇଙ୍ଗିତ କରୁଛି। କିନ୍ତୁ ଯେଉଁମାନେ ଏ ବିଷୟରେ କହୁଛନ୍ତି ତାଙ୍କୁ ଏ ବାବଦରେ ସ୍ପଷ୍ଟ କରିବାକୁ କହିଲେ କହୁଛନ୍ତି ‘୪ ତାରିଖକୁ ଅପେକ୍ଷା କର’। 

୨୦୧୯ ନିର୍ବାଚନ ଭଳି ଏଥର ନିର୍ବାଚନ ଏକପାଖିଆ ହୋଇ ନାହିଁ। ଏ ନିର୍ବାଚନରେ ଭାଷା, ସଂସ୍କୃତି ଐତିହ୍ୟ ପ୍ରସଙ୍ଗ ପାଲଟିଛି। ଅଣଓଡ଼ିଆ -ଓଡ଼ିଆକୁ ନେଇ ସ୍ୱାଭିମାନର କଥା ଉଠିଛି। ଶ୍ରୀ ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ବିରୋଧି ଦଳ ଟାର୍ଗେଟ କରିଛନ୍ତି। ସିଧା ସଳଖ ମୁଖ୍ୟମନ୍ତ୍ରୀ କବ୍‍ଜାରେ ଅଛନ୍ତି ବୋଲି କହି ବିଜେପି ଲୋକଙ୍କ ପାଖକୁ ଆସିଛି। ଅପରପକ୍ଷେ ବିଜେଡି ବିକାଶର କଥା କହୁଛି। ବିରୋଧି ମିଛ କଥା କହୁଛନ୍ତି ବୋଲି କହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିରୋଧି ଗୁଜବ କରୁଛନ୍ତି ବୋଲି କହିଛି ବିଜେଡି। କିନ୍ତୁ ମଞ୍ଚ ଉପରେ ସ୍ଥାନୀୟ ନେତାଙ୍କୁ ବସିବାର ସୁଯୋଗ ନ ଦିଆଯିବା, ପରିବାରବାଦକୁ ଭିତ୍ତିକରି ପ୍ରାର୍ଥୀ ଦିଆଯିବା ଏବଂ  ଏକ ବ୍ୟକ୍ତି କୈନ୍ଦ୍ରିକ ପ୍ରଚାର କାର୍ଯ୍ୟ ଶାସକ ବିଜେଡିକୁ ହରଡ଼ ଘଣାରେ ପକାଇବା ସହ ଅଣ୍ଡର କରେଣ୍ଟକୁ ପ୍ରୋତ୍ସାହିତ କରିଛି ବୋଲି ଆଲୋଚନା ହେଉଛି। 

୨୦୨୨ ପଞ୍ଚାୟତ ନିର୍ବାଚନରେ ଏକପାଖିଆ ବାଜି ମାରିଥିଲା ବିଜୁ ଜନତା ଦଳ। ବିଜେପିର ନୀରବତାର ଫାଇଦା ନେଇ ବିଜେଡ଼ି ଜୋରଦାର ସଂଗଠନ ଆରମ୍ଭ କରିଦେଇଥିଲା। ପ୍ରତି ନିର୍ବାଚନମଣ୍ଡଳୀକୁ ମିଳିଥିଲା ଶହ ଶହ କୋଟି ଟଙ୍କାର ପ୍ରକଳ୍ପ। ଖାଲି ସେତିକିନୁହେଁ ବିଜେଡ଼ି କର୍ମୀମାନଙ୍କୁ ବି ସ୍ୱତନ୍ତ୍ର ତାଲିମ୍‌ ଦିଆଯିବା ସହ ଟାର୍ଗେଟ ଦିଆଯାଇଥିଲା। ଯେଉଁଥିପାଇଁ ୨୦୨୪ ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡ଼ି ସପକ୍ଷରେ ଏକପାଖିଆ ହାୱା ସୃଷ୍ଟି ହୋଇଥିଲା। ମନେହେଉଥିଲା ଏଥର ପ୍ରମୁଖ ବିରୋଧୀ ବିଜେପି ଜୋରଦାର ଲଢେ଼ଇ ନକରି ବିଜେଡ଼ିକୁ ୱାକଓଭର ଦେଇଦେବ।

ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉହେଉ ରାଜନୀତିର ବାତାବରଣ ବଦଳି ଯାଇଥିଲା। ଗତକାଲି ପର୍ଯ୍ୟନ୍ତ ନବୀନ ବାବୁଙ୍କ ଫ୍ୟାନ୍‌ ଥିବା ବିଜେଡ଼ି ବିଧାୟକମାନେ ଟିକେଟ ନପାଇବାରୁ ବିଦ୍ରୋହ ଆରମ୍ଭ କରିଦେଇଥିଲେ। କେତେକ ବିଧାୟକ ଶଙ୍ଖ ଛାଡ଼ି ଫୁଲ ଟିକେଟ ବି ନେଇ ଯାଇଥିଲେ। ଯେଉଁଥିପାଇଁ ନିର୍ବାଚନମଣ୍ଡଳୀର ଭୋଟ ସମୀକରଣ ବି ବଦଳି ଯାଇଥିଲା। ଅପରପକ୍ଷରେ ବିଜେପି ବି ତେଜୀୟାନ ରଣନୀତି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ଡଜନେରୁ ଉଦ୍ଧ୍ୱର୍ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଓଡ଼ିଶାରେ ମାରାଥନ୍‌ ପ୍ରଚାର କରିଛନ୍ତି। ସାମାନ୍ୟ ସରକାରୀ ବିରୋଧୀ ହାୱା, ବିଜେଡ଼ିରେ ଅସନ୍ତୋଷଙ୍କ ସଂଖ୍ୟା ବୃଦ୍ଧି, ମୋଦିଙ୍କ କ୍ରେଜ୍‌ ଓ ବିଜେପିର ଆକ୍ରମଣାତ୍ମକ ରଣନୀତି ରାଜ୍ୟ ରାଜନୀତିର ମାହୋଲକୁ ବଦଳାଇ ଦେଇଛି। ଅନେକ ସ୍ଥାନରେ ନୀରବତା ଛାଇ ଯାଇଥିବାରୁ ଅନ୍ତଃସ୍ରୋତ ନେଇ ବି ଆକଳନ ଆରମ୍ଭ ହୋଇଯାଇଛି। ତେବେ ଏହି ଅଣ୍ଡର କରେଣ୍ଟ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିଛି ତାହାର ଉତ୍ତର ଜୁନ୍‌ ୪ ହିଁ ଦେଇପାରିବ।

Read More
{}{}