Home >>Odisha Politics

VK Pandian: ବିଜେଡି ରାଜନୀତିରେ ପାଣ୍ଡିଆନ୍‍ ଖୋଜା

ବିଜେଡିରେ ବିବାଦ ପରଠାରୁ ତାଙ୍କ ବାବଦରେ ଆଉ କିଛି ଶୁଣିବାକୁ ମିଳୁ ନାହିଁ। ସେ କୌଣସି ବିଦେଶୀ ସଂସ୍ଥାରେ କାର୍ଯ୍ୟ କରିବା ଲାଗି ରାଜ୍ୟ ଛାଡ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ବି ନୀରବୀ ଯାଇଛି। ଏବେ ପ୍ରଶ୍ନ ଉଠୁଛି ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଏବେ କେଉଁଠି? 

Advertisement
VK Pandian: ବିଜେଡି ରାଜନୀତିରେ ପାଣ୍ଡିଆନ୍‍ ଖୋଜା
Soubhagya Ranjan Mishra|Updated: Apr 28, 2025, 03:06 PM IST
Share

ଭୁବନେଶ୍ୱର: ବିଦେଶରେ ଅଛନ୍ତି ନା ନବୀନ ନିବାସରେ ଅଛନ୍ତି ପାଣ୍ଡିଆନ୍‍। ବିଜେଡିରେ ବିବାଦ ପରଠାରୁ ତାଙ୍କ ବାବଦରେ ଆଉ କିଛି ଶୁଣିବାକୁ ମିଳୁ ନାହିଁ। ସେ କୌଣସି ବିଦେଶୀ ସଂସ୍ଥାରେ କାର୍ଯ୍ୟ କରିବା ଲାଗି ରାଜ୍ୟ ଛାଡ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ବି ନୀରବୀ ଯାଇଛି। ଏବେ ପ୍ରଶ୍ନ ଉଠୁଛି ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ଏବେ କେଉଁଠି? 

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସବୁଠାରୁ ନିକଟତର ବ୍ୟକ୍ତି ହେଉଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍। ତାମିଲନାଡ଼ୁର ମଦୁରାଇ ନିବାସୀ ପାଣ୍ଡିଆନ୍‍ ଆଇଏଏସ୍‍ ପାଇବା ପରେ  ଓଡ଼ିଶାରେ ନିଯୁକ୍ତ ହୋଇଥିଲେ। ଓଡ଼ିଆ ଅଧିକାରୀ ସୁଜାତାଙ୍କୁ ବିବାହ କରିବା ପରେ ସେ ଓଡ଼ିଶାକୁ ନିଜର କର୍ମଭୂମି ଭାବେ ବାଛିଥିଲେ। ଆଇଏଏସ୍‍ ଭାବେ ପ୍ରାୟ ଏକ ଦଶନ୍ଧି ସମୟ ସେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଦାୟିତ୍ବ ନିର୍ବାହ କରିବା ପରେ ବିଜେଡିରେ ଯୋଗ ଦେବା ଲାଗି ୨୦୨୪ ନିର୍ବାଚନ ପୂର୍ବରୁ ଆଇଏଏସ୍‍ ଛାଡ଼ିଥିଲେ। ନିର୍ବାଚନକୁ ନିଜ ହାତରେ ପରିଚାଳନା କରିଥିଲେ ପାଣ୍ଡିଆନ୍‍। ଟିକଟ ବଣ୍ଟାଠାରୁ ପ୍ରଚାର, ହୋର୍ଡିଂଠାରୁ ଲିଫଲେଟ ଯାଏ ସବୁକିଛି ପାଣ୍ଡିଆନ୍‍ଙ୍କ ଦ୍ୱାରା ନିର୍ଣ୍ଣୟ ହୋଇଥିଲା।ହେଲେ ଜଣେ ଅଣ ଓଡ଼ିଆ ହାତରେ ବିଜେଡିକୁ ନବୀନ ଟେକିଦେଲେ ବୋଲି ଯେଉଁ ଚର୍ଚ୍ଚା ହେଲା ସେଥିରେ ଲୋକଙ୍କ ଆଦର ପାଇବା ବଦଳରେ ହତାଦର ଗୋଟାଇଲେ ପାଣ୍ଡିଆନ୍‍। ଆଉ  ଦଳକୁ ଏହାର ଫଳ ଭୋଗିବାକୁ ପଡ଼ିଥିଲା। ଦଳର ଭୋଟ ଅଂଶ ବଢ଼ିଥିଲେ ବା ଆସନ ସଂଖ୍ୟା କମିଲା। ସରକାରରୁ ବାହାରି ସିଧା ବିପକ୍ଷରେ ବସିଲେ ସରକାର। ହେଲେ ବିଜେଡିର ନେତାମାନେ ଏହାକୁ ସ୍ୱୀକାର କରିବାକୁ ନାରାଜ। ସେଥିଲାଗି ଦଳରେ ଅନେକ ଫାଟ ସୃଷ୍ଟି ହୋଇଛି। କିଏ କୋଉଁ ଗୋଷ୍ଠୀରେ କୁଆଡ଼େ କି କଥା କହୁଛି ତାହା ବି ଜଣାପଡ଼ୁ ନାହିଁ। ଫଳରେ ଭିନ୍ନ ଭିନ୍ନ ମତ ବି ଗୋଟିଏ ଦଳରୁ  ପଦାକୁ ଆସୁଛି।

ନିର୍ବାଚନ ଫଳାଫଳ ପରେ ବିଜେଡିର ଅନେକ ନେତା ପାଣ୍ଡିଆନ୍‍ଙ୍କୁ ବିରୋଧ କରିଛନ୍ତି। ପାଣ୍ଡିଆନ୍‍ଙ୍କ ଯୋଗୁ ଦଳ ବିପର୍ଯ୍ୟୟ ଭୋଗିଲା ବୋଲିବି ଅଭିଯୋଗ କରିଛନ୍ତି।  ସଭାପତିଙ୍କୁ ଏ ବାବଦରେ ଭେଟି ଅଭିଯୋଗ କରିବା ସହ ଗଣମାଧ୍ୟମରେ ଚର୍ଚ୍ଚା କରିଛନ୍ତି।  ହେଲେ ସଭାପତି ପାଣ୍ଡିଆନ୍‍ଙ୍କୁ କ୍ଲିନ୍‍ ଚିଟ୍‍ ଦେଇ ବିରୋଧୀଙ୍କ ଭୁଲ୍‍ ନ୍ୟାରେଟିଭ୍‍ ଯୋଗୁ ବିଜେଡି ପରାଜୟ ଭୋଗିଲା ବୋଲି ସଫେଇ ଦେବା ପରେ ସବୁକିଛି ଚୁପ୍‍ ପଡ଼ିଛି। ଏହା ଥରେ ନୁହେଁ ଦୁଇଥର ହୋଇଛି। 

ନିର୍ବାଚନ ଠିକ୍‍ ପରେ ଏପରି ବିରୋଧ ହେବାରୁ ପାଣ୍ଡିଆନ୍‍ ମହୋଦୟ ଏକ ଭିଡିଓ ବାର୍ତ୍ତାରେ ସକ୍ରିୟ ରାଜନୀତିରୁ ଦୂରରେ ବୋଲି ପ୍ରଚାର କରିଥିଲେ। ଫଳରେ ସବୁକିଛି ନୀରବ ପଡ଼ିଥିଲା। ହେଲେ କିଛିଦିନର ନୀରବତା ପରେ ପୁଣିଥରେ ପାଣ୍ଡିଆନ୍‍ ଦଳୀୟ ବ୍ୟାପାରରେ ପରୋକ୍ଷ ହସ୍ତକ୍ଷେପ କରୁଛନ୍ତି ବୋଲି ପ୍ରଚାର ହୋଇଥିଲା।  ଏହି ସମୟରେ ପାଣ୍ଡିଆନ୍‍ଙ୍କ ପତ୍ନୀ ସୁଜାତା ମଧ୍ୟ ସରକାରୀ ଚାକିରିରୁ ଇସ୍ତଫା ଦେବାରୁ ଚର୍ଚ୍ଚା ହେଲା ଯେ ଏଥର ସୁଜାତା ହେବେ ଦଳର ସଭାପତି। କାରଣ ସୁଜାତା ହେଉଛନ୍ତି ଓଡ଼ିଆ ଝିଅ। ଆଉ ଲୋକେ ତାଙ୍କୁ ସମର୍ଥନ କରିବେ।  ଅପରପକ୍ଷେ ପାଣ୍ଡିଆନ୍‍ ଓଡ଼ିଶା ଛାଡ଼ି ବିଦେଶ ଚାଲିଯିବେ ବୋଲି ବି ଚର୍ଚ୍ଚା ହେଲା।  
ଏ ଚର୍ଚ୍ଚାରେ କିନ୍ତୁ ପାଣି ପକାଇ ଦେଇଥିଲା ୱାକ୍‍ଫ୍‍ ବିଧେୟକ। ରାଜ୍ୟସଭାରେ ୱାକ୍‍ଫ ସଂଶୋଧନ ବିଧେୟକକୁ ବିରୋଧ କରିବାକୁ  ସଭାପତିଙ୍କ ନିଷ୍ପତ୍ତି ଥିଲେ ମଧ୍ୟ କିଛି ନେତା ଏହା ସପକ୍ଷରେ ଭୋଟ ଦେଲେ। ଏହାକୁ ନେଇ ବରିଷ୍ଠ ନେତାମାନେ ପୁଣିଥରେ ପାଣ୍ଡିଆନ୍‍ଙ୍କୁ ଇଙ୍ଗିତ କରିଲେ। ଦଳରେ ସେ ଏଯାଏ ଅଛନ୍ତି ବୋଲି ଚର୍ଚ୍ଚାକଲେ। ଖୋଲା ଖାଲି ବିଜେଡି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ନାଲି ଆଖି ଦେଖାଇଲେ କର୍ମୀ। ନାରାବାଜୀ ହେଲା। ଅନେକ ଦିନ ପରେ ସଭାପତି ଏ ବିବାଦକୁ ପୁଣି ଗୋଟିଏ ଧାଡ଼ି ମନ୍ତବ୍ୟରେ ଯବନୀକା ଦେଲେ। ତାହା ହେଲା ପାଣ୍ଡିଆନ୍‍ଙ୍କୁ ଦୋଷ ଦିଆଯାଇ ନପାରେ। ସେ ୧୦ ମାସ ହେଲା ଦଳରେ  ନାହାନ୍ତି। କିନ୍ତୁ ସେ ଦଳ କେବେ ଛାଡ଼ିଲେ ତାହାର କୌଣସି ବିବରଣୀ ନାହିଁ। 

ଅପରପକ୍ଷେ ପାଣ୍ଡିଆନ୍‍ ଏବେବି ନବୀନ ନିବାସରେ ନବୀନଙ୍କ ମୁଖ୍ୟ ସହଯୋଗୀ ହୋଇ ରହିଛନ୍ତି ।  ସେ ମଧ୍ୟ ଦଳୀୟ ବ୍ୟାପାରରେ ପରୋକ୍ଷରେ ନବୀନଙ୍କୁ ସହାୟତା କରୁଛନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଅର୍ଥାତ୍‍ ସେ ବିଦେଶ ଯିବେ ଓ ବିଦେଶର କୌଣସି ଏଜେନ୍ସୀରେ କାର୍ଯ୍ୟ କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଗୁଜବ ଛଡ଼ା ଆଉ କିଛି ହୋଇ ନପାରେ ବୋଲି ବି କୁହାଯାଉଛି।

Also Read- PM Kisan Yojana: ଚାଷୀଙ୍କ ଆକାଉଣ୍ଟକୁ କେବେ ଆସିବ ୨୦ତମ କିସ୍ତି?

Also Read- Kidney Detox Drinks: କିଡନୀ ସମସ୍ୟା ଅଛି କି? ଭଲ କରିବାକୁ ପିଅନ୍ତୁ ଏହି ୫ଟି ଜିନିଷ

Read More
{}{}