Waqf Bill: ବିଜୁ ଜନତା ଦଳର ଫାଟକୁ ଆହୁରି ଗଭୀର କରିଛି ୱାକଫ ସଂଶୋଧନ ବିଧେୟକ। ଦଳର ନେତାମାନ ସ୍ୱାଧୀନତା ନାଁରେ ସଭାପତିଙ୍କ ଆଦର୍ଶକୁ ବି ମାନିନାହାନ୍ତି। ଖ୍ରୀଷ୍ଟିଆନ ନେତା ବିଜେପିକୁ ଭୋଟ ଦେଇଥିବାବେଳେ ମୁସଲମାନ ନେତା ବିଜେପିର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟସଭାରେ ୱାକଫ ବିଧେୟକଙ୍କୁ ନେଇ ଆଲୋଚନା ଚାଲିଥିବାବେଳେ ବିଜେଡିର ଫାଟ ଜଳଜଳ ଦିଶିଥିଲା। ଗୃହରେ ବିଜେଡି ନେତା ସସ୍ମିତ ପାତ୍ର ସ୍ୱାଧୀନ ମତ ପ୍ରକାଶ କରିବାକୁ ଯାଇ ବିରୋଧି ଦଳର ବିଧେୟକଙ୍କୁ ସମର୍ଥନ କରିଥିଲେ। ଅର୍ଥାତ ବିଜେପି ସପକ୍ଷରେ ଭୋଟ ଦେଇଥିଲେ। ଅପରପକ୍ଷେ ସେପ୍ଟେମ୍ବର ମାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତି ଅନୁସାରେ ୱାକଫ ବିଧେୟକକୁ ବିରୋଧ କରିଥିଲେ ମୁନା ଖାଁ।
ବିଜେଡି ପ୍ରତିନିଧିମାନଙ୍କ ଏପରି ଆଚରଣ ଏବେ ଚାରିଆଡେ ଦଳରେ ଶୃଙ୍ଖଳା ଅଭାବକୁ ପାଦର ପକାଇଥିବ ନେଇ ଚର୍ଚ୍ଚା ହେଉଛି। ଦଳର ମୁଖ୍ୟ ନେତାଙ୍କ ଶାସନ ହୁଗୁଳି ଯାଇଥିବାରୁ କେଉଁଠି ଶୃଙ୍ଖଳା, କେଉଁଠି ବିଶୃଙ୍ଖଳା ତାହାର ହିସାବ ବି କେହି ରଖୁ ନାହାନ୍ତି। ବାପା-ମା’ଛେଉଣ୍ଡ ହେଲାପରି ରାଜ୍ୟରେ ଯେମିତି କେନ୍ଦ୍ରରେ ବି ସେମିତି ବୁଲୁଛି ବିଜୁ ଜନତା ଦଳ। ଅର୍ଥାତ୍ ନେତାଙ୍କ ନେତା କିଏ ତାହା ରହିଛି ଅସ୍ପଷ୍ଟ। ଏପରିକି ରାଜ୍ୟର ସଂଖ୍ୟାଲଘୁଙ୍କ ସ୍ୱାର୍ଥ ଲାଗି ଗଢ଼ା ହୋଇଥିବା ବିଜେଡି ସଂଖ୍ୟାଲଘୁ ସେଲରେ ବି ଫନ୍ଦି ଫିକର ଜୋର ଧରିଲାଣି। ଏମିତି ପରିସ୍ଥିତିରେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ନବୀନ କ’ଣ ରାଜ୍ୟରେ କେବଳ କ୍ଷମତା ଉପଭୋଗ କରିବାକୁ ଆସିଥିଲେ ଆଉ ଯେତେବଳେ ଦାୟିତ୍ୱ ପଡ଼ୁଛି ସେତେବଳେ ନିଜକୁ ଦୂରେଇ ରଖୁଛନ୍ତି ବୋଲି ପ୍ରଶ୍ନ ଉଠିଛି ?
କୁହାଯାଉଛି ପାଣ୍ଡିଆନ୍ଙ୍କ ଶ୍ରଦ୍ଧାରେ ବୁଡ଼ି ରହିଥିବା ନବୀନ ଏବେ ଦଳ କଥା ଭୁଲିଯଇଛନ୍ତି । ଫଳସ୍ୱରୂପ ଦଳରେ ଆଉ ନା ଚାବୁକ ଅଛି ନା ଶୃଙ୍ଖଳା। କ’ଣ ହେବ ଦଳର ଆଭିମୁଖ୍ୟ ତାହା ବି ଆଉ ନାହିଁ। ଯେଉଁ କଥା କେବେ ହୋଇ ନଥିଲା ତାହା ଏବେ ବିଜୁ ଜନତା ଦଳରେ ସେଥିପାଇଁ ଦେଖିବାକୁ ମିଳୁଛି। କେହି କାହା କଥା ଶୁଣୁ ନାହାନ୍ତି। ସେଥିଲାଗି ଛାଟିଆ ବି ଛାଟ ଲଗାଉ ନାହାନ୍ତି। ଯେମିତି ଲାଗୁଛି କିଛି ଗଭୀର କ୍ଷତରେ ବିଜେଡି ରହିଛି। ବାପ ଛେଉଣ୍ଡ ହେବା ପରି ଆଚରଣ କରୁଛନ୍ତି ବିଜେଡିର ନେତା।
ସେଥିଲାଗି ଦଳର ମୁସଲମାନ ଓ ଖ୍ରୀଷ୍ଟିଆନ୍ ନେତା ଭାଗଭାଗ ହୋଇଛନ୍ତି। ମୁସଲମାନ ନେତା ମୁଜିବୁଲ୍ଲା ଖାନ୍ ଓ୍ୱାକ୍ଫ ବିଧେୟକକୁ ବିରୋଧ କରି ଭୋଟ ଦେଇଥିବା ବେଳେ ଦଳରେ ହ୍ୱିପ୍ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି ଖ୍ରୀଷ୍ଟିଆନ୍ ନେତା ସସ୍ମିତ ପାତ୍ର। ସସ୍ମିତ ହେଉଛନ୍ତି ଦଳର ରାଜ୍ୟସଭାରେ ନେତା। ସେ ପୂର୍ବରୁ ଏ ବାବଦରେ ସ୍ପଷ୍ଟ କରି କହିଥିଲେ, ଦଳ କୌଣସି ହ୍ୱିପ୍ ଜାରି କରି ନାହିଁ। ଏଣୁ ନିଜର ଚିନ୍ତାଧାରା, ଚେତନାକୁ ବ୍ୟବହାର କରି ଯିଏ ଯେମିତି ନିଜର ସ୍ୱାଧୀନ ଚିନ୍ତାଧାରା ପ୍ରକାଶ କରିପାରିବ। ଦଳ ଭିତରେ ପରସ୍ପର ବିରୋଧୀ ଚିନ୍ତା ରହିବା ସ୍ୱଭାବିକ । କିନ୍ତୁ ଯେତେବଳେ ଏକ ଜାତୀୟ ସ୍ତରର ବିଧେୟକ ବାବଦରେ ଭୋଟ ଦେବା କଥା ଉଠେ ସେତେବଳେ ଦଳ ଗୋଟିଏ ଆଡ଼କୁ ସର୍ବଦା ଢଳିଥାଏ। ଭୋଟ୍ କେବେ କୌଣସି ବିଧେୟକରେ ଗୋଟିଏ ଦଳର ନେତାଙ୍କର ପରସ୍ପର ବିରୋଧୀ ହୋଇ ନଥାଏ। କିନ୍ତୁ ବିଜୁ ଜନତା ଦଳ ଏହାଦ୍ୱାରା ଏକ ଭିନ୍ନ ଇତିହାସ ଓଡ଼ିଶା ପାଇଁ ସୃଷ୍ଟି କରିଛି। ଏହା ଇଙ୍ଗିତ କରୁଛି ଯେ, ବିଜେଡିରେ ଖ୍ରୀଷ୍ଟିଆନ୍ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ଆଉ ମୁସଲମାନ ନୁହେଁ। ଅର୍ଥାତ୍ ଯେଉଁ ଖ୍ରୀଷ୍ଟିଆନ୍ଙ୍କୁ ପ୍ରସଙ୍ଗ କରି ୨୦୦୮ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା ତାହା ଏବେ ଅନ୍ୟ କିଛି ମୋଡ଼ ନେବାକୁ ପ୍ରସ୍ତୁତ ହେଉଛି। ଏଠି ମନେ ପକାଯାଇପାରେ ଯେ, କନ୍ଧମାଳ ଦଙ୍ଗା ସମୟରେ ସସ୍ମିତଙ୍କ ବାପା ସ୍ୱରୂପାନନ୍ଦ ପାତ୍ର ଶାନ୍ତି ସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ।
ସେ ଯେଉଁ ଦଳକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ ସେହି ବିଜୁ ଜନତା ଦଳର ମୁରବୀ ଏବେ ବି ନବୀନ ପଟ୍ଟନାୟକ ରହିଛନ୍ତି। ଯାହାଙ୍କ ଦକ୍ଷ ଶାସନ ଓଡ଼ିଶାବାସୀ ୨୦୦୦ ମସିହାରୁ ଆରମ୍ଭ କରି ୨୦୨୪ ଯାଏ ଅନୁଭବ କରିଛନ୍ତି। ହେଲେ ଜଣେ ତାମିଲ ପ୍ରଶାସକଙ୍କୁ ନେତା ସଜାଇବା ଲାଗି ନବୀନ ଯେଉଁ ପ୍ରୟାସ କରିଲେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହେଲା। ନା ଦଳର ନେତା ନା ଜନତା କେହି ଏହି ମତବାଦକୁ ଗ୍ରହଣ କରିବାକୁ ରାଜି ହେଲେ ନାହିଁ। ଅର୍ଥାତ୍ ୨୦୨୦ରୁ ଓଡ଼ିଆଙ୍କ ରାଜ୍ୟ ଓଡ଼ିଶାରେ ଏହି ତାମିଲ ବାବୁଙ୍କୁ ଯେମିତି କା’ମୁଖ୍ୟମନ୍ତ୍ରୀ ଭାବେ ନବୀନ କ୍ଷମତାପନ୍ନ କରିଲେ ତାହାକୁ ଅସ୍ୱୀକାର କରିଲେ। ସେଥିଲାଗି ବିଜେଡି ଆଉଥରେ କ୍ଷମତା ପାଇପାରିଲା ନାହିଁ।
ଖାଲି ସେତିକି ନୁହେଁ ଲୋକସଭାରେ ଓଡ଼ିଶାରୁ ବିଜେଡିର ପରିଚୟ ବି ହଟିଗଲା। ଜଣେ ହେଲେ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇପାରିଲେ ନାହିଁ। ପୁଣି ରାଜ୍ୟ ସଭାରେ ଦଳର ଦୁଇଜଣ ଶାସନ ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ। ଏବେ ରାଜ୍ୟସଭାରେ ୮ ଜଣ ସାଂସଦ ଥିବା ଏହି ଦଳ ବାୟା ବାତୁଳ ଭଳି ବୁଲୁଥିବା କୁହଯାଉଛି ।
ଠିକ୍ ସେହିପରି ରାଜ୍ୟ ବିଧାନସଭାରେ ମଧ୍ୟ ଦଳରେ ନେତୃତ୍ୱ ଅଭାବ ରହିଥିବା ମନେ ହୋଇଛି। ବିଧାନସଭା ବିଭିନ୍ନ ପ୍ରସଙ୍ଗରେ ସରଗରମ ରହୁଥିବା ବେଳେ ବିରୋଧୀ ଦଳ ନେତା ଗୃହରେ ଅନୁପସ୍ଥିତ ରହୁଥିଲେ। ଏପରିକି ଯେଉଁ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା ହେଉଛି ତାଙ୍କ ସହ ଶ୍ରୀ ପଟ୍ଟନାୟକ କୋଏମ୍ବାଟୁର ଗସ୍ତରେ ଥିଲେ। ଗୃହ ଭିତରେ ନେତାଙ୍କ ଅନୁପସ୍ଥିତିରେ କା’ ନେତାମାନେ ନିଜର ପତିଆରା ଦେଖାଇବା ପାଇଁ ଭିନ୍ନ ଭିନ୍ନ ଆନ୍ଦୋଳନ କରିଥିଲେ କିନ୍ତୁ ତାହାର ପ୍ରଭାବ ଦେଖିବାକୁ ମିଳି ନଥିଲା।