Who will be next BJP president: ବିଜେପିର ନୂତନ ସଭାପତି କିଏ ହେବେ ତାହା ଉପରେ ଖୁବ୍ ଶୀଘ୍ର ପରଦା ଉଠିବାକୁ ଯାଉଛି। ନେତୃତ୍ୱ ଏବେ ଦଳୀୟ ମାମଲା ଉପରେ ଧ୍ୟାନ ଦେବାକୁ ଯାଉଛନ୍ତି। ବିଶେଷକରି ନୂତନ ଜାତୀୟ ସଭାପତି ଖୋଜିବା ଉପରେଦଳ କାମ କରୁଛି। ଯଦିଓ ଦଳ ଏପର୍ଯ୍ୟନ୍ତ କାହାର ନାମକୁ ଚୟନ କିମ୍ବା ଘୋଷଣା କରିନାହିଁ ତଥାପି ଆଶା କରାଯାଉଛି ଯେ ଜୁନ୍ ମଧ୍ୟଭାଗ ସୁଦ୍ଧା ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ସୂତ୍ର ଅନୁଯାୟୀ ଦଳ ନିକଟରେ ଉତ୍ତର ପ୍ରଦେଶରେ ୭୦ ଜଣ ନୂତନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିବା ପରେ କେନ୍ଦ୍ରୀୟ ନେତୃତ୍ୱ ଏବେ ଜାତୀୟ ସଭାପତିଙ୍କ ନାମ ଉପରେ ମଧ୍ୟ ନିଷ୍ପତ୍ତି ନେବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ନୂତନ ସଭାପତିଙ୍କ ନିର୍ବାଚନ ପ୍ରକ୍ରିୟା ମନ୍ଥର ହୋଇଯାଇଥିଲା।
ଦଳୀୟ ସୂତ୍ର ଅନୁଯାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ବାଛିବା ପୂର୍ବରୁ ବିଜେପି ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ କିଛି ରାଜ୍ୟରେ ରାଜ୍ୟ ପ୍ରଭାରୀ ନିଯୁକ୍ତ କରିବ। ଜାତି ସମୀକରଣ ବହୁତ ଗୁରୁତ୍ୱପୂର୍ଣ୍ଣ ଥିବା ଉତ୍ତର ପ୍ରଦେଶରେ ପୂର୍ବରୁ ଜଣେ ବ୍ରାହ୍ମଣ ମୁହଁକୁ ବାଛି ଦିଆଯାଇଥିଲା କିନ୍ତୁ ଓବିସି ନେତାଙ୍କ ଦାବି ତୀବ୍ର ହେବା ପରେ ଏବେ ଏଥିରେ ପରିବର୍ତ୍ତନ ହୋଇପାରେ। ବିଜେପିକୁ ଓବିସି ସମ୍ପ୍ରଦାୟର ସମର୍ଥନ ପାଇବା ପାଇଁ ଏହି ପରିବର୍ତ୍ତନ କରାଯାଇପାରେ।
ଜାତୀୟ ସଭାପତି ପଦ ପାଇଁ ୩ ନାମ ଉପରେ ଜୋର ଧରିଛି ଚର୍ଚ୍ଚା
ରାଜ୍ୟ ସ୍ତରରେ ପ୍ରଭାରୀ ଚୟନ କରିବା ପରେ ଜାତୀୟ ସଭାପତି ପଦ ପାଇଁ ଫାଇଲ୍ ଆଗକୁ ବଢ଼ିବ। ବିଜେପିରେ ଜାତୀୟ ସଭାପତି ପଦ ପାଇଁ ୩ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହାନ ଏବଂ ମନୋହର ଲାଲ ଖଟ୍ଟରଙ୍କ ନାମ ଅନ୍ତର୍ଭୁକ୍ତ।
୧- ଧର୍ମେନ୍ଦ୍ର ପ୍ରଧାନ ଜଣେ ଓବିସି ଚେହେରା। ସେ ଓଡ଼ିଶାରୁ ନିର୍ବାଚନ ଲଢ଼ନ୍ତି। ସଂଗଠନରେ କେନ୍ଦ୍ରୀୟ ନେତୃତ୍ୱ ସହିତ ତାଙ୍କର ନିକଟତରତା ବିଷୟରେ ସମସ୍ତେ ଜାଣନ୍ତି।
୨- ଶିବରାଜ ସିଂହ ଚୌହାନ ମଧ୍ୟ ଜଣେ ବଡ଼ ଚେହେରା ଭାବରେ ଉଭା ହେଉଛନ୍ତି। ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ଏବଂ ଏବେ ଜଣେ କେନ୍ଦ୍ର ମନ୍ତ୍ରୀ। ସେ ଜଣେ ଟାଣୁଆ ନେତା। ଜନସାଧାରଣଙ୍କ ମଧ୍ୟରେ ତାଙ୍କର ପ୍ରତିଛବି ବହୁତ ଭଲ।
୩- ମନୋହର ଲାଲ ଖଟ୍ଟର ହରିୟାଣାର ମୁଖ୍ୟମନ୍ତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ତାଙ୍କର ପ୍ରଶାସନିକ ଅଭିଜ୍ଞତା ଅଛି। ବିଜେପି ସଭାପତି ପଦ ପାଇଁ ତାଙ୍କ ନାମ ମଧ୍ୟ ବିଚାର କରାଯାଉଛି।
ବିଜେପି ସେହି ନେତାଙ୍କୁ ସଭାପତି କରିବ ଯାହାଙ୍କର ସଂଗଠନ ଅଭିଜ୍ଞତା ଅଛି ଏବଂ ସେ ଆଞ୍ଚଳିକ ପ୍ରତିନିଧିତ୍ୱ ଓ ଜାତି ସନ୍ତୁଳନ ବଜାୟ ରଖିପାରିବେ।