ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଓଡ଼ିଶା ଗସ୍ତରେ ଆସିବେ। ଏହି ସମୟରେ ସେ ୨,୯୦୫ କୋଟି ଟଙ୍କା ମୂଲ୍ୟର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ, ୪୨୭ କୋଟି ଟଙ୍କା ମୂଲ୍ୟର ୪ଟି ସିଆର୍ଆଇଏଫ୍ ସେତୁ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାଦ୍ୱାରା ରାଜ୍ୟରେ ଯୋଗାଯୋଗ ନୂତନ ଶୀର୍ଷତ୍ୱ ଛୁଇଁବ ବୋଲି ସ୍ୱପ୍ନ ଦେଖୁଛି ରାଜ୍ୟ ପୂର୍ତ୍ତ ବିଭାଗ କିନ୍ତୁ ବିଭାଗରେ ନାହାନ୍ତି ଯନ୍ତ୍ରୀ କି କୁଶଳୀ ମାନବ ସମ୍ବଳ। ଦୀର୍ଘ ଦିନ ହେଲା ରାଜ୍ୟରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମିଶାଇଲେ ୧୨୫୦ରୁ ଅଧିକ ପଦବୀ ଖାଲି ପଡ଼ିଛି। ଅବସର ନେଉଥିବା ଯନ୍ତ୍ରୀଙ୍କୁ ଉଚ୍ଚ ପଦବୀରେ ବସାଇ ଠିକାଦାରଙ୍କ ଦ୍ୱାରା କାମ ଚଳାଇବା ପ୍ରଥାକୁ ଆପଣାଇଛି ବିଭାଗ। ଫଳରେ ନା ସ୍ୱପ୍ନ ପୂରଣ ହେଉଛି ନା ରାଜ୍ୟରେ ରାସ୍ତା ନିର୍ମାଣ ଆଗକୁ ଯାଉଛି। ଖାଲି ବ୍ୟତିକ୍ରମ, ପ୍ରକଳ୍ପ ପୁନଃ ଡିଜାଇନ୍ କରି ପୂର୍ତ୍ତ ବିଭାଗ ରାଜ୍ୟ ତହବିଲକୁ ଖାଲି କରିବାରେ ଲାଗିଛି।
ଏବେ ରାଜ୍ୟରେ ୩୦,୦୦୦ କିଲୋମିଟର ରାଜ୍ୟ ରାସ୍ତା ଥିବାବେଳେ ୨,୮୩୩ କିଲୋମିଟର ହେଉଛି ଜାତୀୟ ରାଜପଥ ରାସ୍ତା। ‘ବିକାଶିତ ଓଡ଼ିଶା’ ପଦକ୍ଷେପ ଅନୁଯାୟୀ ଓଡ଼ିଶା ସରକାର ୨୦୩୬ ସୁଦ୍ଧା ରାସ୍ତାର ଦୈର୍ଘ୍ୟକୁ ୭୫,୦୦୦ କିଲୋମିଟରକୁ ବୃଦ୍ଧି କରିବାର ଯୋଜନା ରଖିଛନ୍ତି। ଏହିକ୍ରମରେ ପ୍ରତିବର୍ଷ ୫,୦୦୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ହେଲେ କ୍ଷେତ୍ର ସ୍ତରରେ ପଦବୀ ପୂରଣ ହୋଇପାରୁ ନଥିବାରୁ ଜଙ୍ଗଲ କ୍ଲିୟରାନ୍ସ, ଜମି ଅଧିଗ୍ରହଣ, କେବୁଲ ସ୍ଥାନାନ୍ତର, ବିଦ୍ୟୁତ୍ ଖୁଣ୍ଟ ରାସ୍ତା ପ୍ରକଳ୍ପ ପାଇଁ ବିଳମ୍ବିତ ହେଉଛି।
ଆବଶ୍ୟକୀୟ ମାନବସମ୍ବଳର ଅଭାବ ଦୂର କରିବା ପାଇଁ ନିଯୁକ୍ତି ବଦଳରେ ପୂର୍ତ୍ତ ବିଭାଗ ପରାମର୍ଶଦାତାମାନଙ୍କୁ ନିଯୁକ୍ତି କରୁଛି, ଯାହା ଫଳରେ ରାଜ୍ୟ ରାଜକୋଷରୁ ଅଯଥାରେ ବିପୁଳ ପରିମାଣର ଅର୍ଥ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଭବିଷ୍ୟତରେ ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ଉପଯୁକ୍ତ ଭାବରେ ଯୋଜନା କରିବା ଆବଶ୍ୟକ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।
ଜଣେ ବରିଷ୍ଠ ରାସ୍ତା ଇଞ୍ଜିନିୟରିଂ ବିଶେଷଜ୍ଞ କହିଛନ୍ତି ଯେ ସଙ୍କଟ ପରିଚାଳନା ପାଇଁ, ସରକାର ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଉନ୍ନତ ପ୍ରଯୁକ୍ତିର ସାହାଯ୍ୟ ନେବା ଉଚିତ। ମାନବସମ୍ବଳର ଅଭାବକୁ ଦୂର କରିପାରୁଥିବା ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଏବଂ କାର୍ଯ୍ୟାନ୍ୱୟନ ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରାଯାଇପାରିବ।
Also Read- Airtel Plan: ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ୍ କଲା ଏୟାରଟେଲ୍, କମ ଦାମରେ ପାଆନ୍ତୁ ଅଧିକ ଡାଟା
Also Read- Shukra Gochar 2025: ଶୁକ୍ରଙ୍କ ଚଳନରୁ ମାଳବ୍ୟ ରାଜଯୋଗ, ୫ରାଶିରେ ଧନ ବର୍ଷା !