Hindi News >>Home >>Ratha Yatra

Rath Yatra 2025: ରଥଯାତ୍ରାର କଥା (୨): ୧୮୭୩ ମସିହାର ରଥଯାତ୍ରାରେ କ’ଣ କରିଥିଲେ ଗଜପତି ମହାରାଜା, କାହିଁକି ତାଙ୍କୁ ଗଣିବାକୁ ପଡ଼ିଥିଲା ତଣ୍ଡ

ପୁରୀ: ଆଜି ସିନା ସେବାୟତଙ୍କ ଦୋଷତ୍ରୁଟିକୁ ପ୍ରଶାସନ ଅଣଦେଖା କରିବାର ଅଭିନୟ କରୁଛି ବା  ଦଣ୍ଡ ବିଧାନ କରିବାକୁ ସୁରକ୍ଷିତ ମଣୁନି କିନ୍ତୁ ବ୍ରିଟିଶ ସମୟରେ ରାଜା ବି ବାଦ୍‍ ପହ଼ୁ ନଥିଲେ ଦଣ୍ଡିତ ହେବାରୁ। ଏପରିକି ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ହୋଇ ମଧ୍ୟ ପ୍ରଭୁଙ୍କ କାର୍ଯ୍ୟରେ ଅଘଟଣ ହେଲେ ସେ ତଣ୍ଡ ଗଣୁଥିଲେ। ୧୮୭୩ ମସିହାରେ ଏମିତ

Advertisement
Rath Yatra 2025: ରଥଯାତ୍ରାର କଥା (୨): ୧୮୭୩ ମସିହାର ରଥଯାତ୍ରାରେ କ’ଣ କରିଥିଲେ ଗଜପତି ମହାରାଜା, କାହିଁକି ତାଙ୍କୁ ଗଣିବାକୁ ପଡ଼ିଥିଲା ତଣ୍ଡ
Prabhudatta Moharana|Updated: Jun 19, 2025, 10:04 AM IST
Share

Rath Yatra 2025: ପୁରୀ: ଆଜି ସିନା ସେବାୟତଙ୍କ ଦୋଷତ୍ରୁଟିକୁ ପ୍ରଶାସନ ଅଣଦେଖା କରିବାର ଅଭିନୟ କରୁଛି ବା  ଦଣ୍ଡ ବିଧାନ କରିବାକୁ ସୁରକ୍ଷିତ ମଣୁନି କିନ୍ତୁ ବ୍ରିଟିଶ ସମୟରେ ରାଜା ବି ବାଦ୍‍ ପହ଼ୁ ନଥିଲେ ଦଣ୍ଡିତ ହେବାରୁ। ଏପରିକି ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ହୋଇ ମଧ୍ୟ ପ୍ରଭୁଙ୍କ କାର୍ଯ୍ୟରେ ଅଘଟଣ ହେଲେ ସେ ତଣ୍ଡ ଗଣୁଥିଲେ। ୧୮୭୩ ମସିହାରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଯୁଗେ ଯୁଗେ ରଥଯାତ୍ରା ପୁସ୍ତକରେ ଏ ବିଷୟରେ ଉଲ୍ଲେଖ ରହିଛି। ଆପଣଙ୍କ କୌତୁହଳକୁ ରକ୍ଷା କରି ଆଜି ସେହି କଥାଟି, ରଥଯାତ୍ରାର କଥାରେ। 

ଅନେକ  ବାଧା ବିଘ୍ନ ପରେ  ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ଅପେକ୍ଷାକୃତ ସୁରୁଖୁର ହୋଇପାରିଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନା ସହ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ । ଏହାପଛରେ ଅନେକ କାରଣ ରହିଛି। ଗଜପତି ମହାରାଜାମାନଙ୍କ ନିଷ୍ଠା, ସେବକମାନଙ୍କ ଶୃଙ୍ଖଳା ଓ ଭକ୍ତଙ୍କ ଆବେଗ ଏହାର ତିନୋଟି ପ୍ରମୁଖ କାରଣ ହୋଇପାରେ। ସେଥିଲାଗି ରାଜସ୍ୱତ୍ତ୍ୱ ଲୋପ ପରାଯାଇଥିଲେ ମଧ୍ୟ ଗଜପତିଙ୍କଠାରୁ ଶ୍ରୀମନ୍ଦିର ପରିଚାଳନା କାଢ଼ି ନେବାକୁ ସାହସ କରିପାରି ନଥିଲେ ଇଂରେଜ ଶାସକ। 

 ୧୮୭୩ ମସିହା କଥା। ଓଡ଼ିଶା ଆସି ଶାସନ କରିବାର ୭୦ ବର୍ଷ ବିତିସାରିଥାଏ। ତଥାପି ଶ୍ରୀ ଜଗନ୍ନାଥ ମନ୍ଦିର ଏହାର ପରମ୍ପରାର କାଣିଚାଏ ବି ବୁଝିବା ଇଂରେଜ ଅଧିକାରୀଙ୍କ ପାଇଁ ସମ୍ଭବ ହେଉ ନଥାଏ। ପ୍ରଥମେ ତ ଇଂରେଜ ଅଧିକାରୀମାନେ   ଏପରି ବିଶାଳକାୟ ରଥ ଦେଖି ବେଶ୍‍ ଚକିତ ହୋଇପଡ଼ିଥିଲେ । ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ହେତୁ ଅଘଟଣ ଘଟିବା ଆଶଙ୍କା କରି ସେତେବେଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଟିଶ୍‍ ସରକାରଙ୍କୁ ପତ୍ର ଲେଖିଲେ । 

ବିଷୟ ଥିଲା ରଥଯାତ୍ରା ପରମ୍ପରାରେ ସଂସ୍କାର ଆଣିବା । କିନ୍ତୁ ଭିତରେ ଏ ପୁରାତନ ପରମ୍ପରାରେ ବ୍ୟାଘାତ ଆଣିବା ଲକ୍ଷ୍ୟ ନିହିତ ଥିଲା । ରଥର ଆକାର ବେଶ୍‍ ବଡ଼ ହୋଇଥିବାରୁ ଏହାକୁ ଟାଣିବା କଷ୍ଟକର ହୋଇପଡ଼ୁଥିବା ବର୍ଣ୍ଣନା କରାଯାଇ କୁହାଯାଇଥିଲା ଏତେ ସଂଖ୍ୟାରେ ଲୋକ ପୁରୀରେ ନାହାନ୍ତି ଯେଉଁମାନେ ରଥ ଟାଣିବାରେ ସକ୍ଷମ ହେବେ । ଏଣୁ  ବଡ଼ ବଡ଼ ରଥକୁ ଅପସାରଣ କରି ସେହି ସ୍ଥାନରେ ଛୋଟ ଛୋଟ ରଥର ପ୍ରଚଳନ କରିବା ଲାଗି ଆଦେଶ ଦିଆଯାଉ । ଫଳରେ ପ୍ରତିବର୍ଷ ଘଟୁଥିବା ଅଘଟଣକୁ ଦୂର କରାଯାଇପାରିବ । ହେଲେ ବ୍ରିଟିଶ୍‍ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ଧର୍ମକୁ ନେଇ ସରକାର ହରଡ଼ଘଣାରେ ପଡ଼ିବେ ବୋଲି ଆଶଙ୍କା କଲେ । 

ପୁରୀ ଶ୍ରୀମନ୍ଦିର ସହ ଲୋକଙ୍କ ଧର୍ମୀୟ ଭାବପ୍ରବଣତା ଯୋଡ଼ା ହୋଇ ରହିଥିବାରୁ ପରମ୍ପରାରେ ବ୍ୟାଘାତ ପାଇଁ ଚେଷ୍ଟା ନକରିବାକୁ ସିଧା ସିଧା କହିଥିଲେ ମହାମାନ୍ୟ ଲର୍ଡ଼ ନର୍ଥ ବୃକ୍‍ । ତାଙ୍କ ଅନୁସାରେ ବହୁ ପୁରାତନ କାଳରୁ ଏପରି ରଥଯାତ୍ରା ହେଉଛି । କିନ୍ତୁ କେବେ ବଡ଼ ଧରଣର କୌଣସି ଦୁର୍ଘଟଣା ଘଟିନାହିଁ । ପୁଣି ଯଦି କେଉଁଠି ଛୋଟମୋଟ ଅଘଟଣ ଘଟେ ତାହାକୁ ମାଜିଷ୍ଟ୍ରେଟ୍‍ ଓ ପୁଲିସର ସାବଧାନତା ଯୋଗୁ ଏଡ଼ାଇ ଦିଆଯାଇପାରିବ ବୋଲି କୁହାଗଲା । ଫଳରେ  କିଛି ଇଂରେଜ ଅଧିକାରୀଙ୍କ ଚକ୍ରାନ୍ତ କାଟ୍‍ ଖାଇଲା । ଲୋକଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେବାର କଥା ଉଠିବାରୁ ଗଜପତିଙ୍କ ଉପରେ ଦାଉ ସାଧିଲେ କିଛି ଅଧିକାରୀ । ପୁରୀ ଦାୟିତ୍ୱରେ ଥିବା ଇଂରେଜ ଅଧିକାରୀ ତଥା କଲେକ୍ଟର ଆର୍ମଷ୍ଟ୍ରଙ୍ଗ୍‍ ଶ୍ରୀମନ୍ଦିର ପରିଚାଳନାକୁ ଅଧିକ ଗୁରୁତ୍ୱ ଦେଲେ । ଶୀମନ୍ଦିର ପ୍ରଶାସନର ସୁପରିଣ୍ଟେଣ୍ଡେଣ୍ଟ ଭାବେ ରାଜାଙ୍କୁ ସରକାରଙ୍କ ପାଖରେ ଉତ୍ତରଦାୟୀ ବୋଲି ବିଚାର କଲେ । ତାଙ୍କ ଉତ୍ତରଦାୟିତ୍ୱ ବଢ଼ାଇବା ଲାଗି ରାଜାଙ୍କ ଉପରେ ତଣ୍ଡ ବ୍ୟବସ୍ଥା କରାଗଲା । ଯଦି ରୀତିନୀତି ଠିକଣା ଭାବେ ପରିଚାଳିତ ନହେଲା ରାଜା ସେଥିଲାଗି ଦୟୀ ରହିବେ ବୋଲି କୁହାଗଲା ।ଅବଶ୍ୟ ଏହା ପୂର୍ବରୁ ରାଜାଙ୍କ କର୍ମଚାରୀମାନେ ଅନେକ ସମୟରେ ମନ୍ଦିର ଭିତରେ ସମସ୍ୟା ସୃଷ୍ଟି କରିଥିବା ରେକର୍ଡ଼ ରହିଛି, ଯେଉଁଥିଲାଗି ଠାକୁରଙ୍କ ନୀତି ବ୍ୟାଘାତ ହୋଇଛି । 

୧୮୭୩ ମସିହାର ସ୍ନାନ ଯାତ୍ରା ବେଳେ ହୋଇଥିବା ଅଘଟଣ ଲାଗି ପ୍ରଥମ କରି ରାଜାଙ୍କ ଉପରେ ୧୦ ଟଙ୍କା ତଣ୍ଡ ହେଲା । ଯଦି ଏହା ପରେ ଆଉ କେବେ ଏପରି ପରିଚାଳନାଗତ ତୁଟି ରହିବ ତେବେ ରାଜା ୧୦୦୦ ଟଙ୍କା ଯାଏଁ ତଣ୍ଡ ଗଣିବାକୁ ରାଜା ବାଧ୍ୟ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ରାଜାଙ୍କ କାର୍ଯ୍ୟର ସମୀକ୍ଷା ପାଇଁ ଦୁଇଜଣ ଇଂରେଜ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଫଳରେ ରାଜା ଯେମିତି ନିଜ ଫାଇଦା ଲାଗି ରୀତିନୀତିରେ ପରିବର୍ତ୍ତନ ନକରୁଛନ୍ତି ତାହାର ବିଚାର ଖୁବ୍‍ ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଇଥିଲା । ଏପରି ତଣ୍ଡ ବ୍ୟବସ୍ଥା ଥିବାରୁ ୧୮୭୩ ରଥଯାତ୍ରା ବେଶ୍‍ ସୁରୁଖୁରୁ ହୋଇଥିଲା । ପାଖାପାଖି ୧ ଲକ୍ଷ ଲୋକ ନବ ଯୌବନ ଦର୍ଶନ କରିଥିଲେ ।  ରଥାଯାତ୍ରା ଦିନ ପହଣ୍ଡି ବିଜେ ଶୀଘ୍ର ଆରମ୍ଭ ହେଲା। ଅପରାହ୍ନ ୩ଟା ସୁଦ୍ଧା ଶ୍ରୀଜିଉ ରଥ ଉପରେ ବିରାଜମାନ କଲେ । ରଥଟଣା ହେବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ରାଜାଙ୍କ ପକ୍ଷରୁ ଠିକଣା ସମୟରେ ରଥ ଦଉଡ଼ି ଯୋଗାଇ ଦିଆଯାଇପାରିଲା ନାହିଁ । ଫଳରେ ରଥ ଟଣା ବିଳମ୍ବ ହୋଇଥିଲା । କିନ୍ତୁ ରଥ ଯାତା ଦିନ ରଥ ଟଣାହେବା ଇତିହାସ ପୁଣିଥରେ ଉଜ୍ଜୀବିତ ହେଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଚତୁର୍ଥ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ଠାକୁର ବିଜେ ହୋଇଥିଲେ । ହେଲେ ଏହା ପରେ ପୁଣି ସବୁ ଅଧିକାରୀ ରାଜ କର୍ମଚାରୀ ଅମନଯୋଗ ହେଲେ । ଫଳରେ ନିର୍ଦ୍ଧରିତ ଦିନ ରଥମୋଡ଼ ହୋଇପାରିଲା ନାହିଁ; ଯଦ୍ୱାରା ବାହୁଡ଼ା ଦିନ ରଥଟଣା ହୋଇପାରିନଥିଲା ।

ଏମିତି ଅନେକ କାହାଣୀ ରହିଛି ଶ୍ରୀମନ୍ଦିରର ଇତିହାସ ପୃଷ୍ଠାରେ। ଆପଣଙ୍କୁ ସେଥିରୁ ଆଉ କିଛି କହିବୁ ଆସନ୍ତା ଅଧ୍ୟାୟରେ। ପଢ଼ୁଥାଆନ୍ତୁ, ରଥଯାତ୍ରାର କଥା। ଆଉ ଆମକୁ ମତାମତ ବି ଦେଉ ଥାଆନ୍ତୁ।

Read More
{}{}