fact about bolbum word : ଶ୍ରାବଣ ମାସ କଥା ଆସିଲେ ରାସ୍ତାଘାଟରେ ‘ବୋଲ ବମ’ ଉଚ୍ଚାରଣ ସହିତ କାଉଡ଼ିଆଙ୍କର ଶିଵଜଳାଭିଷେକ ପଦଯାତ୍ରାର ଦୃଶ୍ୟ ମନେପଡେ।ତେବେ ଆପଣ ମାନେ ଭାବୁଥିବେ କାଉଡ଼ିଆ ମାନେ ଉଚ୍ଚାରଣ କରୁଥିବା ଏହି ‘ବୋଲ ବମ’ ଶବ୍ଦରେ ‘ବମ’ ଶବ୍ଦର ଅର୍ଥ କଣ ?
ଆସନ୍ତୁ ଜାଣିବା ବୋଲ ବମ ଶବ୍ଦର ଅର୍ଥ :-
‘ବମ’ ଶବ୍ଦର ଏକ ଅର୍ଥ ହେଲା ଡ଼ମ୍ୱରୁର ଧ୍ୱନି । ଭଗବାନ ଶିବ ତାଙ୍କ ହସ୍ତରେ ଡ଼ମ୍ୱରୁ ଧାରଣ କରିଥାନ୍ତି ଓ ଏହି ଡ଼ମ୍ୱରୁ ବାଦନ ଫଳରେ ‘ବମ’ ‘ବମ’ ଧ୍ବନି ଉତ୍ପନ୍ନ ହୋଇଥାଏ । ଏହି ଧ୍ୱନି ଶିଵଙ୍କର ଅତି ପ୍ରିୟ । ତେଣୁ କାଉଡ଼ିଆମାନେ ଜଳାଭିଷେକ କରିଥିଲେ ନିମନ୍ତେ ଯାତ୍ରା କରୁଥିବା ସମୟରେ ଏହି ‘ବମ’ ଶବ୍ଦ ଉଚ୍ଚାରଣ କରିଥାନ୍ତି ।ଏହି ‘ବମ’ ଶବ୍ଦର କ୍ରମାଗତ ଉଚ୍ଚାରଣକୁ ‘ମୁଖବାଦ୍ୟ‘ କୁହାଯାଏ । ଅନ୍ୟ ଦେବତା ମାନେ ବିବିଧ ପ୍ରକାରର ବାଦ୍ୟଯନ୍ତ୍ରର ବାଦନ ଦ୍ୱାରା ପ୍ରସନ୍ନ ହେଉଥିବା ସମୟରେ ଭଗବାନ ଶିବ ଅଳ୍ପରେ କେବଳ ‘ମୁଖବାଦ୍ୟ’ ଦ୍ୱାରା ହିଁ ପ୍ରସନ୍ନ ହୋଇଥାନ୍ତି । ତେଣୁ କାଉଡ଼ିଆମାନେ ଜଳାଭିଷେକ ଯାତ୍ରା ସମୟରେ ଶିବଙ୍କୁ ପ୍ରସନ୍ନ କରିବା ନିମିତ୍ତ ଏହି ‘ବମ’ ଶବ୍ଦ ଉଚ୍ଚାରଣ କରିଥାନ୍ତି ।
‘ବମ’ ହେଉଛି ଆମ ଶରୀରରେ ଥିବା ଷଡ଼ ଚକ୍ର ମଧ୍ୟରୁ ଅନ୍ୟତମ। ଯାହାକି ସ୍ୱାଧିଷ୍ଠାନ ଚକ୍ର ର ବୀଜ ମନ୍ତ୍ର । ଷଡ଼ ଚକ୍ର ଆମର ଶରୀରରେ ଅଛି, ଯେଉଁମାନେ କି ଆମ ଆଭ୍ୟନ୍ତର ଶରୀରରେ ଥିବା ନାଡୀ ମାନଙ୍କରେ ବାୟୁର ତୀବ୍ର ଗତି ଫଳରେ ଉତ୍ପନ୍ନ ହୋଇଥାନ୍ତି । ସବୁଠାରୁ ନିଚ୍ଚରେ ଅବସ୍ଥିତ ଥିବା ମୂଳାଧାର ଚକ୍ରରେ ସର୍ପାକୃତି ‘କୁଣ୍ଡଳିନୀ’ ଶକ୍ତି ସୁପ୍ତ ଅବସ୍ଥାରେ କୁଣ୍ଡଳାକାରରେ ସ୍ଥିତ । ଏହା ଯେତେବେଳେ ବିବିଧ ଆଧ୍ୟାତ୍ମିକ କ୍ରିୟା ମାନଙ୍କ ଦ୍ଵାରା ଜାଗ୍ରତ ହୁଏ, ତାହା ଉର୍ଦ୍ଧ୍ବଗାମୀ ହୋଇ ପ୍ରଥମେ ସ୍ୱାଧିଷ୍ଠାନ ଓ ପରେ ଅନ୍ୟ ଚକ୍ର ମାନ ଦେଇ ଶେଷରେ ଆଜ୍ଞା ଚକ୍ର ଓ ଉର୍ଦ୍ଧ୍ବ ସହସ୍ରାର ଚକ୍ରରେ ପହଞ୍ଚି ସାଧକକୁ ସମାଧି ଅବସ୍ଥାକୁ ନେଇ ଦିବ୍ୟାନନ୍ଦ ପ୍ରଦାନ କରିଥାଏ ଓ ଅତ୍ମୋପଲବ୍ଧିରେ ସାହାଯ୍ୟ କରିଥାଏ ଯାହାକି ଯୋଗ ଶାସ୍ତ୍ରର ଚରମ ଲକ୍ଷ୍ୟ ।ତେଣୁ ଏ ପ୍ରସଙ୍ଗରେ ଯଦି ସାଧକର ‘କୁଣ୍ଡଳିନୀ’ ଶକ୍ତି ପୂର୍ବରୁ ଜାଗ୍ରତ ହୋଇଥାଏ, ତେବେ ‘ସ୍ୱାଧିଷ୍ଠାନ ଚକ୍ର’ ର ବୀଜ ମନ୍ତ୍ର ‘ବମ’ ର ଉଚ୍ଚାରଣ ସ୍ୱାଧିଷ୍ଠାନ ଚକ୍ରକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ଓ ‘କୁଣ୍ଡଳିନୀ’ ଶକ୍ତିକୁ ଉର୍ଦ୍ଧ୍ବଗାମୀ କରାଇ ଏହାର ପରବର୍ତ୍ତୀ ଲକ୍ଷସ୍ଥଳୀ ମାନଙ୍କରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ ।
ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି ସାଧକକୁ ପୃଥିବୀ ତତ୍ତ୍ୱ ସହିତ ଯୋଡି ମୂଳାଧାର ଚକ୍ର କୁ ସକ୍ରିୟ କରିବା। ଯାହାଦ୍ୱାରା କି କୁଣ୍ଡଳିନୀ ଶକ୍ତି ଉର୍ଦ୍ଧ୍ବ ଗାମୀ ହୋଇପାରିବ ।କେଉଁ ଆବହମାନ କାଳରୁ ଚାଲିଆସୁଥିବା ଏହି ମହାନ ଜଳାଭିଷେକ ଯାତ୍ରା ଅଳ୍ପ ସମୟ ପାଇଁ ହେଉନା କାହିଁକି ସାଧକ ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ।