Hindi News >>Home >>Odisha Sports

ଅମିତ୍‌ଙ୍କୁ କୋଣାର୍କ ଚକ୍ର ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ପ୍ୟାରିସ୍ ଅଲମ୍ପିକ୍ସ ଜର୍ସି, ମାସ୍କଟ୍ ଉପହାର ଦେଲେ ଅମିତ୍ ରୋହିଦାସ୍ । ୫୨ ବର୍ଷ ପରେ ଅଲମ୍ପିକ୍ସରେ ଲଗାତାର ପଦକ ଜିତି ଆମେ ରେକର୍ଡ ଭାଙ୍ଗିଲୁ ବୋଲି ଅମିତ୍‌ କହିଛନ୍ତି ।

Advertisement
ଅମିତ୍‌ଙ୍କୁ କୋଣାର୍କ ଚକ୍ର ଉପହାର ଦେଲେ ମୁଖ୍ୟମନ୍ତ୍ରୀ
Soubhagya Ranjan Mishra|Updated: Aug 16, 2024, 04:09 PM IST
Share

ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡ଼ିଆ ଖେଳାଳୀ ଅମିତ୍‌ ରୋହିଦାସ୍ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର ଭୂୟସୀ ପ୍ରଶଂସା କରି ତାଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅମିତ୍‌ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ। ଆମ ଓଡ଼ିଆ ଅସ୍ମିତାକୁ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ହେଉଛି ଏକ ପବିତ୍ର ଦିନ। ଆଗାମୀ ଅଲମ୍ପିକ୍ସ ପାଇଁ ସଂକଳ୍ପର ଦିନ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଶୁଭେଚ୍ଛା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୨୮ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସରେ ଆମେ ସ୍ୱର୍ଣ୍ଣ ପଦକ ହାସଲ କରିବୁ ବୋଲି ଆଶାବ୍ୟକ୍ତ କରିଥିଲେ। ଭାରତୀୟ ହକି ଦଳକୁ ଓଡିଶାର ସ୍ପନ୍‌ସର୍‌ସିପ୍ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ। 

ଅମିତ୍‌ଙ୍କ ହକି ଯାତ୍ରାର ସଫଳ କହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହକିର ଗଡ ଭାବେ ପରିଚିତ ସୁନ୍ଦରଗଡର ସଉନାମରା ଗାଁରେ ଅମିତ୍ ଜନ୍ମ ଗ୍ରହଣ କରିଥିଲେ। ଗାଁ ମାଟିରୁ ପାନ୍‌ପୋଷ ହଷ୍ଟେଲ ଓ ପାନ୍‌ପୋଷ ହଷ୍ଟେଲରୁ ଭାରତୀୟ ହକି ଦଳ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଗୌରବମୟ। ୨୦୧୭ରୁ ବିଭିନ୍ନ ଜାତୀୟ ଓ  ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ଭାରତୀୟ ଦଳର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଅମିତ୍‌ ରୋହିଦାସ୍‌ କହିଥିଲେ ଯେ ଓଡିଶାରେ ପହଞ୍ଚିବା ପାଇଁ ତାଙ୍କ ହୃଦୟ ବ୍ୟାକୁଳ ଥିଲା। ତେଣୁ ଭୁବନେଶ୍ୱର ପହଞ୍ଚି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବହୁତ ଖୁସି। ୫୨ ବର୍ଷ ପରେ ଆମେ (ଭାରତୀୟ ହକି ଦଳ) ଅଲମ୍ପିକ୍ସରେ ଲଗାତାର ପଦକ ଜିତି ରେକର୍ଡ ଭାଙ୍ଗିଛୁ ବୋଲି ସେ କହିଥିଲେ। ଓଡିଶା ଓ ଦେଶର କୋଟି କୋଟି କ୍ରୀଡାପ୍ରେମୀମାନଙ୍କ ଶୁଭେଚ୍ଛା ପାଇଁ ସେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ ଅଲମ୍ପିକ୍ସର ଜର୍ସି ଓ ମାସ୍କଟ ଉପହାର ଦେଇଥିଲେ। ସେହି ଜର୍ସିରେ ଭାରତୀୟ ଦଳର ସବୁ ଖେଳାଳୀମାନଙ୍କର ଦସ୍ତଖତ ରହିଛି। ଏହି ଜର୍ସି ନିଶ୍ଚିତ ଭାବେ ଓଡିଶାର ସବୁ ହକି  ଖେଳାଳୀଙ୍କୁ ପ୍ରେରଣା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା  ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,  ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଓ କ୍ରୀଡା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Also Read- Top 10 News Today: ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଓ ଅନ୍ୟାନ୍ୟ ଖବର

Also Read- Mars Transit 2024: ଶୁଭ ମଙ୍ଗଳ ଯୋଗ, ୫ରାଶିର ଅସୁବିଧା ହେବ ଦୂର

Read More
{}{}