CSK vs SRH Match Highlights 2024: ଅପ୍ରେଲ ୨୮ ତାରିଖ ରବିବାର ଚେନ୍ନାଇ ଚିଦାମ୍ବରମ୍ ଠାରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଏବଂ ସନ୍ ରାଇଜର୍ସ ହାଇଦ୍ରବାଦ। ଆଜି ଖେଳାଯାଇଥିବା ୪୬ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା। ୨୧୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରବାଦ ୧୯.୫ ଓଭର ରେ ସମସ୍ତ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା। ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ଟିମ୍ ୭୮ ରନ୍ ରେ ହାଇଦ୍ରାବଦ ଦଳକୁ ପରାସ୍ତ କରିଛି।
ଚେନ୍ନାଇ ଟିମ୍ ବିଜୟରେ ଦଳର ଅଧିନାୟକ ଋତୁରାଜ ଗାୟକୱାଡ ଏବଂ ତୁଷାର ଦେଶପାଣ୍ଡେ ମୁଖ୍ୟ ଭୂମିକା ଗ୍ରହଣ କରିଥଲେ। ଅଧିନାୟକ ଗାୟକୱାଡ ୯୮ ରନ୍ ର ଇନିଂସ ଖେଳିଥିବା ବେଳେ ଦେଶପାଣ୍ଡେ ୪ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳୀୟ ସ୍କୋର ୪୦ ରନ୍ ହେବା ପର୍ଯ୍ୟନ୍ତ ଦଳ ଏହାର ୩ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଙ୍କ ୱିକେଟ୍ ହରାଇଥିଲା। ଏଥର ହେନରିଚ୍ କ୍ଲାସେନ୍ ମଧ୍ୟ ସେପରି ଆଖିଦୃଶିଆ ପ୍ରଦର୍ଶନ କରିପାରିଲେ ନାହିଁ। ସେ ୨୧ ବଲ ଖେଳି ମାତ୍ର ୨୦ ରନ୍ ସ୍କୋର କରିଥିଲେ। ଘାତକ ବୋଲି ବଳରେ ଚେନ୍ନାଇ ଟିମ୍ ଏହାର ଘରୋଇ ମଇଦାନରେ ବାଜି ମାରି ନେଇଥିଲା।
ଏହି ମ୍ୟାଚ୍ ରେ ଅଧିନାୟକ ଋତୁରାଜ ଗାୟକୱାଡ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ପାଇଁ ଦଳର ଅଧିନାୟକ ୫୪ ବଲ୍ ଖେଳି ୯୮ ରନ ସ୍କୋର କରିଥିଲେ। ଯେଉଁଥିରେ ୧୦ ଚୌକା ଏବଂ ୩ ଛକା ସାମିଲ ରହିଥିଲା। ଡାରିଲ ମିଚେଲ ୩୨ ବଲ ଖେଳି ୭ ଚୌକା ଏବଂ ୧ ଛକା ସହାୟତାରେ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଶିବମ ଦୁବେ ୨୦ ବଲ ଖେଳି ୪ ଛକା ଏବଂ ୧ ଚୋକା ସହାୟତାରେ ୩୯ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ। ୫ ରନ୍ ସ୍କୋର କରିବା ପରେ ଏମଏସ ଧୋନୀ ଅପରାଜିତ ରହିଥିଲେ। ଅନ୍ୟପଟେ ହାଇଦ୍ରାବାଦ ବୋଲର ସେପରି ବିଶେଷ କିଛି କରିପାରି ନଥିଲେ। ହାଇଦ୍ରବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଟି ନଟରାଜନ୍ ଏବଂ ଜୟଦେବ ଉନାଦକତ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସେମାନଙ୍କ ବ୍ୟତୀତ ଦଳ ଅନ୍ୟ ବୋଲର ୱିକେଟ୍ ନେବାରେ ସଫଳ ହୋଇପାରିଲେ ନାହିଁ।
ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିବା ବେଳେ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର ପର୍ଯ୍ୟନ୍ତ ପିଚ୍ ରେ ଉପସ୍ଥିତ ରହିପାରିଲା। ଦଳ ୧୯.୫ ଓଭର ରେ ସମସ୍ତ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଏଡେନ ମାରକ୍ରମ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୨୬ ବଲ ଖେଳି ୩୨ ରନ୍ ସଂଗ୍ରହ କରିଥିଲେ। ହେନରିଚ୍ କ୍ଲାସେନ୍ ମାତ୍ର ୨୦ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ବିଫଳ ହୋଇଥିଲେ। ଉଭୟ ଯଥାକ୍ରମେ ୧୩ ଏବଂ ୧୫ ରନ୍ ସ୍କୋର କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଶସ୍ତାରେ ଆଉଟ ହୋଇଥିଲେ।
ଅନ୍ୟପଟେ ଜବରଦସ୍ତ ବ୍ୟାଟିଂ କରିବା ପରେ ଚେନ୍ନାଇ ଘାତକ ବୋଲିଂ କରିଥିଲା। ଦଳ ପାଇଁ ତୁଷାର ଦେଶପାଣ୍ଡେ ଚମତ୍କାର ବୋଲିଂ କରିଥିଲେ। ସେ ୩ ଓଭର ବୋଲିଂ କରି ମାତ୍ର ୨୭ ରନ୍ ବ୍ୟୟ କରିବା ସହ ୪ ୱିକେଟ ନେଇଥିଲେ। ଏହା ସହିତ ମୁସ୍ତାଫିଜୁର ରହମାନ ୨.୫ ଓଭର ବୋଲିଂ କରି ୧୯ ରନ୍ ବ୍ୟୟରେ ୨ ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ଏବଂ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୟର୍କର ବିଶେଷଜ୍ଞ ମାଥିଶା ପାଥିରାନା ୨ ଓଭର ବୋଲିଂ କରି ୧୭ ରନ୍ ବ୍ୟୟରେ ୨ ୱିକେଟ ଅକ୍ତିଆର କରିଥିଲେ।