Vinesh Phogat: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ସ୍ୱପ୍ନ କ୍ଷଣକରେ ଧୂଳିସାତ ହୋଇଯାଇଛି। ଭାରତ ପାଇଁ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ଫାଇନାଲରେ ପ୍ରବେଶ କରିଥିବା ରେସଲର ଭିନେଶ ଫୋଗାଟଙ୍କ ଓଜନ ବୃଦ୍ଧି ଯୋଗୁଁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସୂଚନା ଅନୁଯାୟୀ, ଭିନେଶ ଫୋଗାଟଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଏହି କାରଣରୁ ତାଙ୍କୁ ପୂରା ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ନିୟମ ଅନୁଯାୟୀ ବିନେଶ ଫୋଗାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କ’ଣ ରହିଛି ନିୟମ?
ଅଲିମ୍ପିକ୍ ନିୟମ ଅନୁଯାୟୀ, ପ୍ରତିଯୋଗିତାର ଉଭୟ ଦିନରେ କୁସ୍ତିଯୋଦ୍ଧାମାନେ ନିଜ ଓଜନ ଶ୍ରେଣୀରେ ରହିବା ଆବଶ୍ୟକ। ଯଦି ଏହା ନହୁଏ ତେବେ ସେମାନେ ପ୍ରତିଯୋଗିତାରୁ ଅଯୋଗ୍ୟ ହେବେ। ଆଜି ଭିନେଶ ଫୋଗାଟଙ୍କ ଇଭେଣ୍ଟର ଦ୍ୱିତୀୟ ଦିନ ଥିଲା ଏବଂ ଆଜି ସକାଳେ ତାଙ୍କ ଓଜନ ନିର୍ଦ୍ଧାରିତ ଓଜନ କ୍ୟାଟେଗୋରି ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ ଅଧିକ ଥିଲା ବୋଲି ଜଣାପଡିଛି। ନିୟମ ଅନୁଯାୟୀ ଏପରି ପରିସ୍ଥିତିରେ ସେ ଆଗକୁ ଖେଳିପାରିବେ ନାହିଁ ଏବଂ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି।
ନିୟମ ଅନୁଯାୟୀ, ବିନେଶ ଫୋଗାଟ ଆଉ ଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ସେ ସାରା ହିଲଡବ୍ରାଣ୍ଟଙ୍କ ସହ ଫାଇନାଲ୍ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ବର୍ତ୍ତମାନ ସାରା ସ୍ୱର୍ଣ୍ଣ ପଦକ ପାଇବେ, ଯେତେବେଳେ କି ବିନେଶ ଫୋଗାଟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି।
ଭିନେଶ ଫୋଗେଟ୍ କେବଳ ୫୩ କିଲୋଗ୍ରାମ ଓଜନ କ୍ୟାଟେଗୋରିରେ ଖେଳୁଥିଲେ। ସେ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ ୫୦ କିଲୋଗ୍ରାମ ଓଜନ ବର୍ଗରେ କୁସ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କୁ ଓଜନ ସମ୍ବନ୍ଧୀୟ ଚ୍ୟାଲେଞ୍ଜର ମଧ୍ୟ ସାମ୍ନା କରିବାକୁ ପଡିଥିଲା। ତେବେ ସେଠାରେ ସେ ଏହି ଚ୍ୟାଲେଞ୍ଜକୁ ଅତିକ୍ରମ କରି ଅଲିମ୍ପିକ୍ କୋଟା ହାସଲ କରିଥିଲେ।
ବିନେଶ ଫୋଗାଟ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। ସେ ଅଲିମ୍ପିକ୍ସରେ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ରେସଲର ହୋଇଥିଲେ। ସେ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ତଥା ବିଶ୍ୱର ଏକ ନମ୍ବର ଖେଳାଳି ୟୁୟୁ ସୁସାକିଙ୍କୁ ପରାସ୍ତ କରି ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ଓଲଟଫେର କରିଥିଲେ। ଏହା ପରେ ସେ ୟୁକ୍ରେନ ଏବଂ କ୍ୟୁବାର କୁସ୍ତିଯୋଦ୍ଧା ମାନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ସେ ସାରା ହିଲଡବ୍ରାଣ୍ଡଙ୍କୁ ଭେଟିବାକୁ ଯାଉଥିଲେ, ଯାହାଙ୍କୁ ମଧ୍ୟ ସେ ପୂର୍ବରୁ ପରାସ୍ତ କରିଥିଲେ।