Home >>Odisha State

BJD Young Leader: ଆସ୍ଥା ହରାଉଛନ୍ତି ଦ୍ୱିତୀୟ ପିଢ଼ି: କ’ଣ କରିବେ ବିଜେଡିର ୧୦ ନେତାଙ୍କ ପୁଅ

ହେଲେ ଏ ବିଷୟରୁ ସ୍ପଷ୍ଟ ଯେ, ବିଜେଡିର ଅଷ୍ଟ ଯୁବ ନେତା ଏବେ କୌଣସି ମୁହୂର୍ତ୍ତରେ ଦଳ ଛାଡ଼ିବାକୁ ପ୍ରସ୍ତୁତ। ଆଉ ଏହାର ବାଟ ଖୋଲିଛନ୍ତି ପ୍ରୟାସକାନ୍ତି।  ଏଣୁ କେତେବେଳେ ବି ସମୁହିକ ବିସ୍ଫୋରଣର ଆଶଙ୍କାକୁ ଏଡ଼ାଯାଇ ନପାରେ।

Advertisement
BJD Young Leader: ଆସ୍ଥା ହରାଉଛନ୍ତି ଦ୍ୱିତୀୟ ପିଢ଼ି: କ’ଣ କରିବେ ବିଜେଡିର ୧୦ ନେତାଙ୍କ ପୁଅ
Prabhudatta Moharana|Updated: May 29, 2025, 12:56 PM IST
Share

BJD Young Leader: ଭୁବନେଶ୍ୱର: ରାଜ୍ୟର ସର୍ବବୃହତ୍‍ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଉପରୁ କ୍ରମଶଃ ତୃତୀୟ ପିଢ଼ିର ନେତା ଆସ୍ଥା ହରାଉଛନ୍ତି। ଏହାର ଅନେକ ଉଦାହରଣ ରହିଛି ଆଉ ସଦ୍ୟତମ ଦେଉଛନ୍ତି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେବା।  ଏହା ପୂର୍ବରୁ ନିକଟରେ ଗଠନ ହୋଇଥିବା ସାଂଗଠନିକ କମିଟିରେ ଯୁବାବର୍ଗଙ୍କୁ ଧ୍ୟାନ ନଦିଆଯିବାକୁ ନେଇ ବରିଷ୍ଠ ନେତାଙ୍କ ପୁଅମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ଭିତରକୁ କିଛି ବିଧାୟକ ଥିବାରୁ ମୁହଁ ଖୋଲୁ ନାହାନ୍ତି ଆଉ ଯାହାଙ୍କ ବାପାମାନେ ମୁହଁ ଖୋଲୁଛନ୍ତି ତାଙ୍କ ପୁଅମାନଙ୍କୁ ବିକଳ୍ପ ଖୋଜିବାକୁ ଇଙ୍ଗିତ କରାଯାଉଛି।   ଏଥିରେ ସାମିଲ ହୋଇଛନ୍ତି ୧୦ ନେତାଙ୍କ ପୁଅମାନେ।  

ରାଜ୍ୟରେ ନିରନ୍ତର ଭାବେ ୨୪ ବର୍ଷର ଶାସନ କରିଥିବା ଏକମାତ୍ର ଦଳ ବିଜେଡିର ଭବିଷ୍ୟତ କ’ଣ ହେବ? ଏ ପ୍ରଶ୍ନ ପଚାରିବା ପଛରେ ଦୁଇଟି କାରଣ ରହିଛି। ଗୋଟିଏ ହେଉଛି ଦଳକୁ ସମ୍ଭାଳିବାରେ ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକଙ୍କ ଅସମର୍ଥତାକୁ ନେଇ ସୃଷ୍ଟି ହେଉଥିବା ବିଦ୍ୱେଷ। ଯାହା ଅନେକଥର ପ୍ରକାଶିତ, ଆଲୋଚିତ ଓ ସମାଲୋଚିତ। ଏଥିରେ ତାଙ୍କର ଅନିଚ୍ଛା ରହିପାରେ ଅବା ତାଙ୍କ ସ୍ୱାସ୍ଥ୍ୟଗତ କାରଣ ତାହା ଏଠାରେ ଆଉ ଆଲୋଚନାର ବିଷୟ ନୁହେଁ।

ଦ୍ୱିତୀୟ କାରଣଟି ହେଉଛି ଯୁବାବର୍ଗ ବିଶେଷ କରି ନେତାମାନଙ୍କ ପରବର୍ତ୍ତୀ ପିଢ଼ିକୁ ଅଣଦେଖା। ଏଥିନେଇ ବାରମ୍ବାର ବିଭିନ୍ନ କୋଣ ଅନୁକୋଣରେ ଏହି ପିଢ଼ିର ପ୍ରତିଷ୍ଠିତ ନେତାମାନେ ସଂଗଠନକୁ ବାଇପାସ କରି ବୈଠକ କରିଛନ୍ତି। ସଭାପତିଙ୍କୁ ଭେଟିଛନ୍ତି ଏବଂ ନିଜର ଅଭିମାନକୁ ଗଣମାଧ୍ୟମରେ ବୟାନ କରିଛନ୍ତି। 

ଯେୁଁ ୧୦ ନେତାଙ୍କ ନାଁ ଏଥିରେ ବିଶେଷ ଭାବେ ଆଲୋଚନା ହେଉଛି ସେମାନେ ହେଲେ ଡା. ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତ, ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର, ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ, ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରିତୀରଞ୍ଜନ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥୀ, ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଏବଂ ଗତକାଲି ଭଦ୍ରକ ବିଜେଡିକୁ ଚର୍ଚ୍ଚାକୁ ଆଣିଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। 
ଏହି ନେତାମାନଙ୍କ ଭିତରୁ ଅନେକ ଏକାଠି ବା ଅଲଗା ଅଲଗା ଗୋଷ୍ଠୀରେ ନିକଟ ଅତୀତରେ ୪ଥର ଏକାଠି ହୋଇଛନ୍ତି। ୨ଥର ହୋଟେଲରେ। ଥରେ ଦେବାଶୀଷ ସାମନ୍ତରାୟଙ୍କ ଘରେ ଆଉଥରେ ନବୀନ ନିବାସରେ ଡକାରା ପାଇ। ଏହା ବାଦ ଅନେକଥର ସେମାନେ ଏକାଠି ହୋଇଥାଇପାରନ୍ତି କିନ୍ତୁ ଏହି ୪ଥର ଚର୍ଚ୍ଚା ହେବାର କାରଣ ହେଉଛି ସେମାନଙ୍କ ଭିତରେ ଥିବା ଅସନ୍ତୋଷ, ସନ୍ଦେହ, ଅଭିମାନ ଓ ପ୍ରତିବାଦ।   

ନିକଟରେ ସମ୍ବିତ ରାଉତରାୟ ବାପାଙ୍କୁ ଦଳ ଅନ୍ୟାୟ କରିଥିବା ନେଇ ନିଜ ବୟାନ ଦେଇଛନ୍ତି। ତାଙ୍କ ବାପା ଡା ଦାମୋଦର ରାଉତ ବିଜୁ ବାବୁଙ୍କ ଜଣେ ରାଜନୀତିକ ଭକ୍ତ ବୋଲି କହିପାରନ୍ତି। ତାଙ୍କ ସମୟରେ ସେ ରାଜନୀତିକୁ ଆସିଥିଲେ ଓ ରାଜ୍ୟର ମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ନିଜର ସ୍ପଷ୍ଟ ରାଜନୀତିକ ବୟାନ ପାଇଁ ଜଣାଯାଉଥିବା ଦାମୋଦରଙ୍କୁ ଦଳ ପୂର୍ବରୁ ନିଲମ୍ବନ କରିଛି, ପୁଣି ଅନ୍ତର୍ଭୁକ୍ତ କରିଛି, ପରେ ଅପମାନିତ କରିଥିବା ଅଭିଯୋଗ ହୁଏ। 

ସେହିପରି ବିଧାୟକ ଦେବୀ ରଞ୍ଜନଙ୍କ ବାପା ପ୍ରଭାତ ତ୍ରିପାଠୀ ମଧ୍ୟ ବିଜେଡିର ପ୍ରତିଷ୍ଠାତା ସଦସ୍ୟ। ହେଲେ ତାଙ୍କୁ ଏବେ ସଭାପତି ଦଳରୁ ବାହାର କରି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଚନ୍ଦ୍ର ସାରଥୀ ବେହେରାଙ୍କୁ ମଧ୍‍ୟ ବିଜେଡି ଆଉ ଧ୍ୟାନ ଦେଉ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଭାତ ବିଶ୍ୱାଳ କଟକ ସଦରରେ ଅନେକ ଥର ଦେର ପ୍ରଶାସନକୁ ନେଇ ଅଙ୍ଗୁଳି ଦେଖାଇଛନ୍ତି। ଏପରିକି ଜବରଦସ୍ତ ସେ ପୁଅ ପାଇଁ ଟିକଟ ସଂଗ୍ରହ କରିଥିବା ମଧ୍ୟ କୁହାଯାଏ। ଏବେ କିନ୍ତୁ ସେ ଦଳ ପାଇଁ ଅଲୋଡ଼ା। ସେମିତି ଅଲୋଡ଼ା ହୋଇଥିବା ନେତାଙ୍କ ବର୍ଗରେ ରୁଦ୍ର ମହାରଥୀ, ଜିତୁ ବଳବନ୍ତରାୟ ଓ ଡ୍ୟାନି ଘଡ଼େଇ ବି ଆସୁଛନ୍ତି। କିନ୍ତୁ ସେମାନେ ଦି’ ନାରେ ଗୋଡ଼ ଦେଇ ସ୍ଥିର ପାଣି ଖୋଜୁଛନ୍ତି। 

ଏହି ନେତାମାନଙ୍କ ଭିତରୁ ଅନେକଙ୍କୁ ଦଳ ଏବେ କୌଣସି ସାଂଗଠନିକ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରି ନାହିଁ। ଏପରିକି ତାଙ୍କ ବିକଳ୍ପ ଖୋଜିବା ପାଇଁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀଗୁଡ଼ିକରେ ନୂଆ ନେତା ଖୋଜା ବି ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ  ଯୁବ ନେତାଏଁ ଆଉ ଆସ୍ଥା ରକ୍ଷା କରିପାରୁ ନାହାନ୍ତି ଦଳର ନେତାଙ୍କ ଉପରେ। ଏଣୁ ଉପଯୁକ୍ତ ସମୟ ଓ ସୁଯୋଗକୁ ଅପେକ୍ଷା କରାଯାଇଛି। ଏମାନେ କୌଣସି ମୁହୁର୍ତ୍ତରେ ବି ଦଳରୁ ଡିଆଁ ମାରି ପାରନ୍ତି। 

ଏବେ ଏହି ଡିଆଁ ମାରିବା ପର୍ଯ୍ୟାୟରେ ଯୋଡ଼ି ହୋଇଛନ୍ତି ଚର୍ଚ୍ଚାରେ ନଥିବା ଆଉ ଜଣେ ନେତା। ସେ ହେଉଛନ୍ତି ପ୍ରୟାସକାନ୍ତି ସାମଲ। ପୂର୍ବତନ ମନ୍ତ୍ରୀ ତଥା ୬ଥର  ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ସିଏ। ସେ ଏହି ଯୁବନେତାଙ୍କ ମେଳିରେ କେବେ ନଥିଲେ। କିନ୍ତୁ ସଂଗଠନର ଜଣେ ସମ୍ପାଦକ ଭାବେ  ଦଳରେ କାର୍ଯ୍ୟ କରୁଥିଲେ। ହେଲେ ନୂବ ଘୋଷିତ ଟିମ୍‍ରେ ସେ ନାହାନ୍ତି। କୁହାଯାଉଛି ତାଙ୍କ ବାପା ପ୍ରଫୁଲ୍ଲ ଗତ କିଛିଦିନ ତଳେ ପାଣ୍ଡିଆନ ତନ୍ତ୍ର ବିଷୟରେ ଓଲଟା ମନ୍ତବ୍ୟ ରଖିଥିଲେ। ଯାହା ପରୋକ୍ଷରେ ପାଣ୍ଡିଆନ୍‍ଙ୍କ ଶାସନକୁ ସମାଲୋଚନା କରିଥିଲା। ସେଥିଲାଗି ତାଙ୍କ ପୁଅଙ୍କୁ ଶାସ୍ତି ମିଳିଛି।  ଏଣୁ ବାପାଙ୍କ ଉପସ୍ଥିତିରେ ପୁଅ ଦଳ ଛାଡ଼ି ଏବେ ବିଜେପି ମୁହାଁ ହୋଇଥିବା ଆଲୋଚନା ହେଉଛି। ଯେହେତୁ ଭଦ୍ରକ ଜିଲ୍ଲାର ୬ ବିଧାନସଭା ମଣ୍ଡଳୀରେ ମାତ୍ର ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହେଉଛନ୍ତି ଏବଂ ୩ଟି ଆସନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଛନ୍ତି, ଏଠାରେ ବିଜେଡି ହେଉଛି ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ।  ଏଣୁ ବିଜେଡିର ଗଡ଼ ଭାଙ୍ଗିବାକୁ ବିଜେପି ଚେଷ୍ଟା କରିବା ସ୍ୱଭାବିକ। ପୁଣି ଏ ହି ଜିଲ୍ଲା ହେଉଛି ବିଜେପି ସଭାପତିଙ୍କ ଜିଲ୍ଲା ଆଉ ସେ ହେଉଛନ୍ତି ୨୦୨୪ର ପରାଜିତ ପ୍ରାର୍ଥୀ। ଅର୍ଥାତ୍‍ ଏ ଜିଲ୍ଲାରେ ସଂଗଠନ ମଜଭୁତ କରିବା ପାଇଁ ବିଜେଡି ଫାଟର ସୁଯୋଗ ନେବାକୁ ମନମୋହନ ଚାହିଁପାରନ୍ତି। ଠିକ୍‍ ସେହିପରି ଯାଜପୁରରେ ହ୍ୟାନି ଘଡ଼େଇଙ୍କ  କଥା। ଅସନ୍ତୁଷ୍ଟ ଡ୍ୟାନିଙ୍କ ମାମୁ ହେଉଛନ୍ତି ମନମୋହନ। ସେ ମାମୁଙ୍କ ଛାଇରେ ଆଗକୁ କିଛିଦିନ ନିଜ ଭାଗ୍ୟକୁ ପରୀକ୍ଷା କରିବାକୁ ଚାହୁଁଥିବା ସୂଚନା ମିଳିଛି। ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲଙ୍କ ଭଳି ବେଶ୍‍ ଚତୁର ହେଉଛନ୍ତି ତାଙ୍କ ପୁଅ ଡ୍ୟାନି। ଏଣୁ ଆଗକୁ କି ପଦକ୍ଷେପ ସେ ନେବେ ତାହାକୁ ଅପେକ୍ଷା କରିବା। 

ହେଲେ ଏ ବିଷୟରୁ ସ୍ପଷ୍ଟ ଯେ, ବିଜେଡିର ଅଷ୍ଟ ଯୁବ ନେତା ଏବେ କୌଣସି ମୁହୂର୍ତ୍ତରେ ଦଳ ଛାଡ଼ିବାକୁ ପ୍ରସ୍ତୁତ। ଆଉ ଏହାର ବାଟ ଖୋଲିଛନ୍ତି ପ୍ରୟାସକାନ୍ତି।  ଏଣୁ କେତେବେଳେ ବି ସମୁହିକ ବିସ୍ଫୋରଣର ଆଶଙ୍କାକୁ ଏଡ଼ାଯାଇ ନପାରେ।

Read More
{}{}