Odisha News: ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ। ନୃସିଂହନାଥଠାରୁ ୫ କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ। ସମସ୍ତ ପର୍ଯ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ୪୦ ଜଣିଆ ଟିମ ଗଠନ କରାଯାଇଥିଲା। ଏହି ରେସ୍କୁ ଅପରେଶନରେ DVF, ପୋଲିସ, ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ ମିଳିତ ଭାବେ ସାମିଲ ହୋଇଥିଲେ। ତେବେ ବର୍ତ୍ତମାନ ସମୟରେ ସମସ୍ତ ପର୍ଯ୍ୟଟକ ଠିକ୍ ଥିବା ପାଇକମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା।
ସୂଚନା ଅନୁସାରେ, ଗତକାଲି ବର୍ଷା ଓ ଅନ୍ଧାରରେ ବଟବଣା ହୋଇ ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ କିଛି ପର୍ଯ୍ୟଟକ ଫସିଯାଇଥିଲେ । ହେଲେ ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ପାଇକମାଲ ପୁଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ରାତି ବଢ଼ିବା ସହ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଭୋରରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।