Foundation Laid for Transformation of 4 Medical College in Odisha: ମାର୍ଚ୍ଚ ୩ ତାରିଖ ଶନିବାର ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଠାରେ ଟିଚିଂ ହସ୍ପିଟାଲ ଶୁଭ ଉଦ୍ଘାଟନ କରିଛନ୍ତି। ଏହା ସହିତ ୪ ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି।
ଉଦ୍ଘାଟିତ ହୋଇଥିବା ଟିଚିଂ ହସ୍ପିଟାଲ ହେଉଛି ବଲାଙ୍ଗିର ଠାରେ ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବାରିପଦା ଠାରେ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲ, ସୁନ୍ଦରଗଡ ଠାରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ, କେନ୍ଦୁଝର ଠାରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀ ଧର ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ, ବାଲେଶ୍ୱର ଠାରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ। ଏହା ସହିତ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁର ଠାରେ ଏମ୍.କେ.ସି.ଜି.ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଏବଂ ଗବେଷଣା ପ୍ରତିଷ୍ଠାନକୁ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ଦିଗରେ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାର୍ଚ୍ଚ ୩ ତାରିଖ ଶନିବାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇ ରହିବ। ଗୋଟିଏ ଦିନରେ ୫ ମେଡିକାଲ କଲେଜ ହସ୍ପିଟାଲ ଠାରେ ୨୯୫୦ ଶଯ୍ୟା ଯୋଡି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବଲାଙ୍ଗିର ଠାରୁ ବାରିପଦା, ସୁନ୍ଦରଗଡ ଠାରୁ କେନ୍ଦୁଝର, ବାଲେଶ୍ୱର ସବୁ ଅଞ୍ଚଳର ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ତଥା ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଏପରି ଦିନ ଥିଲା ଯେ ଯେତେବେଳେ ରାଜ୍ୟର ମାତ୍ର ୩ ସରକାରୀ ମେଡିକାଲ କଲେଜ ରହିଥିଲା। ବିଗତ ୬ ବର୍ଷ ମଧ୍ୟରେ ୮ ନୂଆ ମେଡିକାଲ କଲେଜ, ୨ ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢି ଉଠିଛି। ଆଗାମୀ ଦିନରେ ଆହୁରି ୩ ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି। ପ୍ରତି ବର୍ଷ ଡାକ୍ତର ତଥା ପାରାମେଡିକ୍ ଷ୍ଟାଫ୍ ନିଯୁକ୍ତି ଦିଆଯାଉଛି। ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମ.ବି.ବି.ଏସ୍. ଡାକ୍ତର ଏବଂ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁ ଥିଲେ। ଏବେ ୨୫୨୫ ଏମ.ବି.ବି.ଏସ୍. ଡାକ୍ତର ଏବଂ ୯୭୨ ସ୍ପେଶିଆଲିଷ୍ଟ ବାହାରୁଛନ୍ତି। ଆମ ସରକାରଙ୍କ ୫ଟି ଉପକ୍ରମରେ ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି। ଲୋକଙ୍କ ସୁବିଧା ପାଇଁ ହସ୍ପିଟାଲ ‘ଆମ ହସ୍ପିଟାଲ’ ମାଧ୍ୟମରେ ବିକଶିତ ହେଉଛି।
ଭିତ୍ତିପ୍ରସ୍ତର ଦିଆଯାଇଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ବିଷୟରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଥିଲେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ, ବୁର୍ଲା ସ୍ଥିତ ଭିମ୍ସାର୍, ରାଉରକେଲା ସ୍ଥିତ ଆର.ଜି.ଏଚ୍. ହସ୍ପିଟାଲ ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଛି। ଏନେଇ ୩୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।
ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛୁ। ସରକାରୀ ଡାକ୍ତରଖାନାରେ ନୂଆ ନୂଆ ଚିକିତ୍ସା ସୁବିଧାର ମଧ୍ୟ ବିକାଶ କରାଯାଉଛି। ଧନୀ ଗରୀବ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ମିଳୁଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏହି ରୂପାନ୍ତରକୁ ଆମେ ସମସ୍ତେ ମିଶି ଆହୁରି ଆଗକୁ ନେବ ଏବଂ "ସୁସ୍ଥ ଓଡିଶା ସୁଖି ଓଡିଶା" ମାଧ୍ୟମରେ ନୂଆ ଓଡିଶା ଭିତ୍ତିକୁ ମଜବୁତ କରିବ।
କାର୍ଯ୍ୟକ୍ରମରେ ବୁର୍ଲା ଠାରେ ଉପସ୍ଥିତ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଲୋକଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି। ୫ଟି ଉପକ୍ରମରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଲୋକଙ୍କୁ ଉନ୍ନତମାନର ତଥା ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଜାରି ରହିଛି।
କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପରିଚାଳନା କରିଥିଲେ। ଏ ସବୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୫ଟି ଅଧ୍ୟକ୍ଷ କହିଥିଲେ ଯେ ଗ୍ରାମାଞ୍ଚଳର ସବୁ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବଲପୁର ଠାରୁ ଶୁଭାରମ୍ଭ କରିବେ। ବ୍ରହ୍ମପୁର ଏବଂ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଜିଲ୍ଲା ଗସ୍ତ ସମୟରେ ସେମାନେ ଯେଉଁ ପ୍ରସ୍ତାବ ତଥା ଅଭିଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରିଛନ୍ତି। ଖୁବ୍ ଶୀଘ୍ର ତାହାକୁ କାର୍ଯ୍ୟକାରୀ ହେବ।
କାର୍ଯ୍ୟକ୍ରମରେ ବଲଙ୍ଗିର ଠାରେ ରାଜ୍ୟ ଜଳ ସମ୍ପଦ ଏବଂ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସୁନ୍ଦରଗଡ ଠାରେ "ଆମ ଓଡିଶା ନବୀନ ଓଡିଶା" ସଂଯୋଜକ ଯୋଗେଶ ସିଂ, କଟକ ଠାରେ ବିଧାୟକ ସୌଭିକ ବିଶ୍ୱାଳ, ବ୍ରହ୍ମପୁର ଠାରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ। ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ରାଜ୍ୟବାସୀ କେବେ ଭୁଲିବେ ନାହିଁ। ରୂପାନ୍ତରଣ କ୍ଷେତ୍ରରେ ରାଜ୍ୟକୁ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସାରା ବିଶ୍ୱରେ ବେଞ୍ଚମାର୍କ ସୃଷ୍ଟି କରିଛି। ବଲାଙ୍ଗିର ଏବଂ ସୁନ୍ଦରଗଡ ଠାରେ ଏହି ନୂଆ ହସ୍ପିଟାଲ କେବଳ ଜିଲ୍ଲାବାସୀଙ୍କୁ ନୁହେଁ ପଡୋଶୀ ରାଜ୍ୟଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ ବୋଲି ସେମାନେ କହିଥିଲେ।
ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏହି ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଡି.ଏମ.ଇ.ଟି. ଧନ୍ୟବାଦ ଅର୍ପଣ କରିଥିଲେ।
(ବିଦ୍ର: ଏହି ଆର୍ଟିକିଲରେ ପ୍ରଦାନ ସମସ୍ତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି। ଏଥିରେ ଜୀ ଓଡି଼ଶା ନ୍ୟୁଜର ନିଜସ୍ୱ ତଥ୍ୟ ନୁହେଁ।)