Hindi News >>Home >>Odisha State

Odisha Politics: ଜଣେ ପରେ ଜଣେ କେନ୍ଦ୍ରକୁ ଗଲେଣି ୮ ଅଧିକାରୀ, ଜଣଙ୍କୁ ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନ ଆସିବାର ଏକ ବର୍ଷ ପୂରିବାକୁ ବସିଛି। ହେଲେ ପରିବର୍ତ୍ତନ ସହ ଖାପ ଖୁଆଇ ପାରୁ ନାହାନ୍ତି ସର୍ବଭାରତୀୟ ସେବା ଅଧିକାରୀ। ଫଳରେ ପ୍ରଥମେ ବଦଳି ପରେ ରାଜ୍ୟରୁ ବାହାରି କେନ୍ଦ୍ର ସେବାକୁ ଆଦରିବାକୁ ପସନ୍ଦ କରିଛନ୍ତି। ଏ ଭିତରେ ୮ ଜଣ ଅଧିକାରୀ କେନ୍ଦ୍ର ଡେପ୍ୟୁଟେସନ୍କୁର ପସନ୍ଦ କରିଥିବା ବେଳେ ଆହୁରି କିଛି ଅଧିକ

Advertisement
Odisha Politics: ଜଣେ ପରେ ଜଣେ କେନ୍ଦ୍ରକୁ ଗଲେଣି ୮ ଅଧିକାରୀ, ଜଣଙ୍କୁ ସ୍ୱେଚ୍ଛାକୃତ ଅବସର
Prabhudatta Moharana|Updated: Jun 04, 2025, 01:35 PM IST
Share

Odisha Politics: ଭୁବନେଶ୍ୱର: ରାଜ୍ୟରେ ବିଜେପି ଶାସନ ଆସିବାର ଏକ ବର୍ଷ ପୂରିବାକୁ ବସିଛି। ହେଲେ ପରିବର୍ତ୍ତନ ସହ ଖାପ ଖୁଆଇ ପାରୁ ନାହାନ୍ତି ସର୍ବଭାରତୀୟ ସେବା ଅଧିକାରୀ। ଫଳରେ ପ୍ରଥମେ ବଦଳି ପରେ ରାଜ୍ୟରୁ ବାହାରି କେନ୍ଦ୍ର ସେବାକୁ ଆଦରିବାକୁ ପସନ୍ଦ କରିଛନ୍ତି। ଏ ଭିତରେ ୮ ଜଣ ଅଧିକାରୀ କେନ୍ଦ୍ର ଡେପ୍ୟୁଟେସନ୍କୁର ପସନ୍ଦ କରିଥିବା ବେଳେ ଆହୁରି କିଛି ଅଧିକାରୀ ଧାଡ଼ିରେ ରହିଛନ୍ତି। ପୁଣି ଜଣେ ଅଧିକାରୀ କେନ୍ଦ୍ରକୁ ଯିବା ବଦଳରେ ଚାକିରି ଛାଡ଼ିବାକୁ ଶ୍ରେୟସ୍କର ମନେ କରିଛନ୍ତି। ରାଜନୀତିକ ସମୀକ୍ଷକଙ୍କ କହିବା ଅନୁସାରେ ଏହି ୯ ଅଧିକାରୀଙ୍କ ଭିତରୁ ମାତ୍ର ଜଣେ ଅଧିକାରୀ ପରିବର୍ତ୍ତିତ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇ ମଧ୍ୟ କେନ୍ଦ୍ରକୁ ଯିବାକୁ ପସନ୍ଦ କରିଛନ୍ତି। ଅନ୍ୟ ୮ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କ ଅନୁଚର। ଆଉ ତାଙ୍କୁ ସୁରକ୍ଷା ଦେବା ଲାଗି ମୋହନ ସରକାର କେନ୍ଦ୍ରୀୟ ଡେପୁଟେସନକୁ ଉଚିତ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି।  

ଏକଦା ଆଜିର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ବସୁଥିବାବେଳେ ପାଣ୍ଡିଆନ୍‍ ଓ ତାଙ୍କ ସହଯୋଗୀଙ୍କୁ ଅନେକ ସମାଲୋଚନା କରିଥିଲେ। କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଭିଲେନ୍‍ ବୋଲି ପ୍ରମାଣିତ କରିବାକୁ ଅନେକ ଉଦ୍ୟମ ବି ହୋଇଥିଲା। ଏବେ କ୍ଷମତା ଯିବା ପରେ ନିଜ ଦଳରେ ନେତା ବି ତାଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦେଇଥିବା ଅଯାଚିତ ସୁରକ୍ଷାରେ ସରକାରୀ କଳ ଓ ଦଳ ବି ନରମିଥିବା କୁହାଯାଇଛି। ଫଳରେ ଯେଉଁ ପାଣ୍ଡିଆନଙ୍କୁ ସରକାରରେ ଖଳ ନାୟକ, ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାଇଜାକ୍‍ କରିଥିବା ବ୍ୟୁରୋକ୍ରାଟ ବୋଲି ବିଜେପି କହି ଅନେକ ଅଭିଯୋଗ ଆଣୁଥିବା ଶାସନକୁ ଆସିବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପଦଟିଏ କହିବାକୁ ବି କେହି ସାହସ କରିଲେ ନାହିଁ। ଏପରିକି  ତାଙ୍କ ସମର୍ଥନ ବା କୋଟେରିରେ ଥିବା ଅଧିକାରୀଙ୍କୁ ବି ଛୁଇଁ ପାରିଲେ ନାହିଁ ମୋହନ ସରକାର। 

ହେଲେ କର୍ମୀଙ୍କୁ ସନ୍ତୁଷ୍ଟ କରିବା ତଥା ନିଜ ପ୍ରଭାବ ବୃଦ୍ଧି ପାଇଁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ବିକଳ୍ପ ପନ୍ଥା ଆପଣାଇଥିବା କୁହାଯାଇଛି। ଏହି ବିକଳ୍ପ ହେଉଛି ‘କେନ୍ଦ୍ରୀୟ ଡେପ୍ୟୁଟେସନ୍‍’। ରାଜ୍ୟରେ ଆଇଏଏସ୍‍ ଆଇପିଏସ୍‍ ଅଧିକାରୀଙ୍କ ସଂଖ୍ୟା ସୀମିତ ଥିଲେ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ଛାଡ଼ିବା ଲାଗି କ୍ଲିନ୍‍ ଚିଟ୍ ଦେଉଛନ୍ତି ମୋହନ ସରକାର। ସେଥିଲାଗି ଗଲା କିଛି ମାସ ଭିତରେ ୮ ଜଣ ଅଧିକାରୀ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯାଇଛନ୍ତି।  ଏହି ୮ ଅଧିକାରୀଙ୍କ ଭିତରୁ ୭ ଜଣ ଅଧିକାରୀ ଏକଦା ପାଣ୍ଡିଆନଙ୍କ ଅତ୍ୟନ୍ତ ଖାସ୍‍ ଥିଲେ। ଏମାନେ ଯାହା ଚାହୁଁଥିଲେ ତାହା ହେଉଥିଲା ଏବଂ ପାଣ୍ଡିଆନ୍‍ ଯାହା ଚାହୁଁଥିଲେ ତାହା ବେଆଇନ ହେଲେ ବି କାର୍ଯ୍ୟକାରୀ ହେଉଥିବା କୁହାଯାଏ।  ସଂକ୍ଷେପରେ କହିଲେ ଏମାନଙ୍କୁ ପାଣ୍ଡିଆନଙ୍କ ସାତ ଦୂତ ବୋଲି କୁହାଯାଏ। ସେଥିରେ ୪ ଆଇପିଏସ୍‍ ଓ ୩ ଆଇଏଏସ୍‍ ଅଧିକାରୀ ରହିଛନ୍ତି। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟାରେ ଥିବା ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେ, ଦିଲ୍ଲୀରେ ସରକାରଙ୍କ ପ୍ରତିନିଧି ଥିବା ଆଇପିଏସ୍‍ ରବିକାନ୍ତ ଏବଂ ଆଇପିଏସ୍‍ ଅଧିକାରୀ ମିତ୍ରଭାନୁ ମହାପାତ୍ର। ରାଉରକେଲା ଏସ୍ପି ଥିବା ସମୟରେ ସେ ବିଜେଡିର ପ୍ରତିନିଧି ଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। ଏପରିକି କ୍ଷମତାକୁ ଆସିବା ପରେ ତାଙ୍କୁ ସେଠାରୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲା। ଏବେ ସେ ବିଏସ୍ଏିଫ୍‍ ଆଇଜି ଭାବେ ଦାୟିତ୍ୱ ନେଇଛନ୍ତି। 

ଠିକ୍‍ ସେହିଭଳି ଆଉ ଜଣେ ବିବାଦୀ୍ୟ ଅଧିକରୀ ହେଉଛନ୍ତି ଆଇପିଏସ୍‍ ଆଶୀଷ ସିଂହ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭାବେ ସେ କାର୍ଯ୍ୟ କରୁଥିଲେ। ପାଣ୍ଡିଆନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସାଜି ସେ ନିଜ କାର୍ଯ୍ୟରେ ବିଜେଡିର ପ୍ରତିନିଧି ହେବାକୁ ଚାହିଁଥିଲେ। ଏଣୁ ତାଙ୍କୁ ବି ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରକୁ ଯିବା ପାଇଁ କ୍ଲିନ୍‍ ଚିଟ୍‍ ଦେଲେ। ଆଉ ସେ ଆଇଟିବିପିକୁ ସ୍ଥାନାନ୍ତରୀତ ହୋଇଛନ୍ତି। 

ଏବେ ତିନି ଆଇଏଏସଙ୍କ କଥା। ଯେଉଁମାନେ ବିଜେପି ପାଇଁ ବାଟରେ କଣ୍ଟା ସାଜିଥିଲେ ସେମାନେ ହେଲେ ଭିନୀଲ କ୍ରିଷ୍ଣା, ଭିଭି ଯାଦବ ଏବଂ ଆଶୀଷ ଠାକରେ। ଏମାନଙ୍କ ଭିତରେ ଭିଭି ଯାଦବ ବରିଷ୍ଠ। ଏ ତିନିଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମସ୍ତେ ଆଶଙ୍କା କରୁଥିଲେ। କିନ୍ତୁ ସରକାରର ଏକ ବର୍ଷ ଭିତରେ କାର୍ଯ୍ୟାନୁଷ୍ଠାନ ନୁହେଁ ତାଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍‍ ପାଇଁ କ୍ଲିନ୍‍ ଚିଟ୍‍ ଦେଇଥିଲେ ରାଜ୍ୟ ସରକାର। 

ଏହି ଦୂତ ମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା, ଯାହାଙ୍କ ଯୋଗୁ କାର୍ତ୍ତିକେୟ ଓଡ଼ିଶାରେ ଅଧିକାରୀ ହେବାକୁ ମନ ବଳାଇଥିଲେ, ତାଙ୍କୁ ବି ରାତି ଅଧିଆ ଭିଆରଏନ ନେବା ଲାଗି ସହାୟତା କରିଥିଲେ ରାଜ୍ୟ ସରକାର। ଅର୍ଥାତ୍‍ ତାଙ୍କ ନିବେଦନ କେଉଁଠି ବି ଅଟକି ନଥିଲା। ଏହା ପାଣ୍ଡିଆନଙ୍କ ପ୍ରଭାବ ନୁହେଁ ତ ଆଉ କ’ଣ? 

ଶେଷଧାଡ଼ିରେ ଏହା କୁହାଯାଇପାରେ ଯେ ପାଣ୍ଡିଆନଙ୍କ ସମସ୍ତ ୭ ବିଶ୍ୱସ୍ତ ଅଧିକାରୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ। ମୋହନ ମାଝିଙ୍କ ସରକାର ଗଲାପରେ ହୁଏତ ସେମାନେ ପୁଣି ରାଜ୍ୟକୁ ଫେରି ପାରନ୍ତି। ଏଣୁ ସେମାନେ ଦିଲ୍ଲୀରେ ରହିଲେ ବି ଓଡ଼ିଶାରେ ବିଜେପିର ପତନକୁ ନେଇ ଜପ କରିବା ସ୍ୱଭାବିକ। 
ଏହାଙ୍କ ସହ ନବମ ଅଧିକାରୀ ଯାହାଙ୍କୁ ଚାକିରିର ଶେଷକାଳ କେନ୍ଦ୍ରରେ କାଟିବାକୁ ପସନ୍ଦ ହୋଇଛି ସେ ହେଲେ ନିକୁଞ୍ଜ ବିହାରୀ ଧଳ। ସେ ଏବେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ। କିଛି ବର୍ଷ ତଳେ ସେ କେନ୍ଦ୍ରୀୟ ଡେପ୍ୟୁଟେସନ୍ରୁନ ଫେରିଥିଲେ। ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ। ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀ ଭାବେ ସେ ଅନେକ ସୁନାମ ଅର୍ଜନ କରିଥିଲୋ। ସେଥିଲାଗି ମୋହନ ଶାସନକୁ ଆସିବାପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଦାୟିତ୍ୱ ଦେଇଥିଲେ। ହେଲେ କିଛିଦିନ ପରେ ସରକାରଙ୍କ ସହ ନିକୁଞ୍ଜଙ୍କ ପଡ଼ିଲା ନାହିଁ । ଆଉ ସେ ବାଧ୍ୟ ହୋଇ ଅବସରର ମାତ୍ର କେଇ ମାସ ପୂର୍ବରୁ କେନ୍ଦ୍ରକୁ ଯାଇଛନ୍ତି।

ରାଜ୍ୟରେ ରାଜନେତା ଓ ଅଫିସରମାନଙ୍କ ଭିତରେ ଏପରି ଅହି ନକୂଳ ସମ୍ପର୍କ କିପରି ଆଗକୁ ଶାନ୍ତ ହୋଇ ବିକାଶ ଇଞ୍ଜିନରେ ସାମିଲ ହେବ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯଦି ତାହା ନ ହୁଏ ତେବେ ଆଗକୁ ପରିସ୍ଥିତି ଉତ୍କଟ ହୋଇପାରେ।

Read More
{}{}